ନୂଆଦିଲ୍ଲୀ,୨୨।୯:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ରଖନ୍ତି। ବିଶ୍ବ ନେତାଙ୍କ ସହ ତାଙ୍କର ଭଲ ବନ୍ଧୁତ୍ବ ରହିଛି। ଏଭଳି କିଛି କହିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ। ପିଏମ୍ ମୋଦିଙ୍କ ଭାଷଣ ଉପରେ ଆଧାରିତ ୪ଟି ପୁସ୍ତକର ଉନ୍ମୋଚନ ସମାରୋହକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ନେତା ସି ଜିନପିଙ୍ଗଙ୍କ ସମେତ ବିଶ୍ୱ ନେତାମାନଙ୍କ ସହିତ ତାଙ୍କର ସମ୍ପର୍କ ଖୁବ୍ ଭଲ। ଭାରତ ଉପରେ ୫୦% ଟାରିଫ ଲଗାଇବା ପରେ ବି ଟ୍ରମ୍ପ ସବୁବେଳେ ମୋଦିଙ୍କୁ ନିଜର ଘନିଷ୍ଠ ବନ୍ଧୁ କହିଛନ୍ତି। ଅନ୍ତର୍ଜାତୀୟ ରାଜନୈତିକ ମତଭେଦ ଭିତରେ ବି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ପିଏମ୍ ମୋଦିଙ୍କ ମଜବୁତ ସମ୍ପର୍କ ରହିଛି।’

ପଦଭାର ଗ୍ରହଣ କରିବାର ପରେ ପ୍ରଥମ ସାର୍ବଜନୀକ କାର୍ଯ୍ୟକ୍ରମରେ ରାଧାକୃଷ୍ଣନ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ  କହିଛନ୍ତି, ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ ଲଗାଇଛନ୍ତି, କିନ୍ତୁ ସେ ମୋଦିଙ୍କୁ ତାଙ୍କର ଭଲ ବନ୍ଧୁ କୁହନ୍ତି। ଏଭଳି ସ୍ଥିତିରେ ବି ସେ କେବେ କହିନାହାନ୍ତି ସେ ମୋଦିଙ୍କ ବିରୋଧରେ ଅଛନ୍ତି। ସବୁବେଳେ ତାଙ୍କର ସାଥ୍ ଦେଉଥିବାର ଦେଖାଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ମଧ୍ୟ ଘନିଷ୍ଠ ବନ୍ଧୁତା ରହିଛି। ବିବାଦ ପରେ ବି ଚୀନ୍ ରାଷ୍ଟ୍ରପତି ମଧ୍ୟ ପିଏମ୍‌ ମୋଦିଙ୍କ ଭଲ ବନ୍ଧୁ, ଯାହାକି ଆମେ ଆଜି ସ୍ପଷ୍ଟ ଭାବରେ ଦେଖିପାରୁଛୁ।

​​​​​​​ଉପରାଷ୍ଟ୍ରପତି କହିଛନ୍ତି, ଏହି କାରଣରୁ କହିହେବ ମୋଦି ଅସମ୍ଭବକୁ ସମ୍ଭବ କରିପାରନ୍ତି। ମୋଦିଙ୍କ ଦୃଷ୍ଟିକୋଣର ଆଲୋଚନା କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନତାଙ୍କ ହିତରେ ନିଷ୍ଠାପୂର୍ବକ କାର୍ଯ୍ୟ କରନ୍ତି। ଏହା ବଦଳରେ କିଛି ପାଇବାର ଆଶା ରଖନ୍ତି ନାହିଁ। କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯେଉଁ ଚାରୋଟି ପୁସ୍ତକ ଉନ୍ମୋଚନ କରିଛନ୍ତି ତାହା ପ୍ରଧାନମନ୍ତ୍ରୀଙ୍କ ୨୦୨୨-୨୪ ସମୟରେ 'ସବକା ସାଥ, ସବକା ବିକାଶ' ବିଷୟବସ୍ତୁ ଉପରେ ଦେଇଥିବା କିଛି ଭାଷଣ ଉପରେ ଆଧାରିତ। ଏହି ପୁସ୍ତକଗୁଡ଼ିକ ଅନେକ ଦିଗରେ ତାଙ୍କର ସୁଶାସନ ପ୍ରତି ଦୃଷ୍ଟିକୋଣ ଏବଂ ଆଭିମୁଖ୍ୟକୁ ପ୍ରତିଫଳିତ କରେ।