ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଖଣ୍ଡୱାରେ ଏକ ବଡ଼ ଦୁର୍ଘଟଣାର ଖବର ଏବେ ଆସିଛି। ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଟ୍ରଲି ନଦୀରେ ପଡ଼ି ୮ ରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ଟ୍ରଲିରେ ପ୍ରାୟ ୨୦-୨୨ ଜଣ ଥିଲେ। ଏକ JCB ସାହାଯ୍ୟରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ପିଲା। ଏହି ଘଟଣା ପାଣ୍ଡନା ଥାନା ଅଞ୍ଚଳ ଅନ୍ତର୍ଗତ ଅର୍ଦଲା କଲାଙ୍ଗ ଗାଁରେ ଘଟିଛି।
ଖବର ପାଇ ସମଗ୍ର ଅଂଚଳରେ ଆତଙ୍କ ଖେଳିଯାଇଛି । ପାଣ୍ଡନା ଥାନାର ପୋଲିସ ଏବଂ ଗ୍ରାମବାସୀ ତୁରନ୍ତ ନଦୀ ନିକଟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ, ଦୁର୍ଗା ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ଟ୍ରାକ୍ଟରର ଡ୍ରାଇଭର ଏହାକୁ ଏକ କଲଭର୍ଟ ଉପରେ ରଖିଥିଲେ। ସେଠାରୁ ଟ୍ରାକ୍ଟର ଟ୍ରଲିଟି କଲଭର୍ଟରେ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା।