ନୂଆଦିଲ୍ଲୀ,୨୮/୧୦: ଭୂକମ୍ପ ଝଟକାରେ ଥରିଲା ତୁର୍କୀ । ସୋମବାର ବିଳମ୍ବିତ ରାତିରେ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ବାଲିକେସିର ପ୍ରଦେଶର ସିନ୍ଦିର୍ଗି ସହରରେ ଥିବା ଜଣାପଡ଼ିଛି । ତେବେ ଏହି ଭୂକମ୍ପରେ ଅତିକମରେ ୩ଟି କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । ତୁର୍କୀର ଜରୁରୀକାଳୀନ ପ୍ରତିକ୍ରିୟା ସଂସ୍ଥା କହିଛି ଯେ,ଏଥିରେ କୌଣସି ମୃତାହତଙ୍କ ରିପୋର୍ଟ ନାହିଁ।
ଇସ୍ତାନବୁଲ, ବୁର୍ସା, ମାନିସା ଏବଂ ଇଜମିର ପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ତୁର୍କୀ ସବୁଠାରୁ ଅଧିକ ଭୂମିକମ୍ପ ଦ୍ୱାରା ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ଗତ ଅଗଷ୍ଟରେ, ଉତ୍ତର-ପଶ୍ଚିମ ପ୍ରଦେଶ ବାଲିକେସିରର ସିନ୍ଦିର୍ଗିରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ଏକାଧିକ ଆହତ ହୋଇଥିଲେ। ସେବେଠାରୁ, ଏହି ଅଞ୍ଚଳରେ ଛୋଟ ଛୋଟ ଭୂମିକମ୍ପ ଅନୁଭୂତ ହୋଇଛି। ସେହିପରି ସେପ୍ଟେମ୍ବର ମାସରେ ତୁର୍କୀର ବାଲିକେସିର ପ୍ରଦେଶରେ ୪.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ରିପୋର୍ଟ କରିଛନ୍ତି ଯେ,ବାଲିକେସିରର ସିନ୍ଦିର୍ଗି ଅଞ୍ଚଳରେ ଘଟିଥିବା ଏହି ଭୂମିକମ୍ପର ଗଭୀରତା ୭.୭୨ମିଟର ଥିଲା। ତୁର୍କୀ ରାଷ୍ଟ୍ରପତି ରେସେପ୍ ଏର୍ଡୋଗାନ୍ ତାଙ୍କ ଦେଶବାସୀଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରି ଏକ ବିବୃତ୍ତି ଜାରି କରିଥିଲେ। ଦେଶର ସର୍ବବୃହତ ସହର ଇସ୍ତାନବୁଲ ସମେତ ଅନେକ ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ସେହପରି ୨୦୨୩ ମସିହାରେ ୭.୮ ତୀବ୍ରତାର ଏକ ଭୂମିକମ୍ପ ତୁର୍କୀରେ ୫୩,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୧ଟି ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ପ୍ରଦେଶରେ ଲକ୍ଷ ଲକ୍ଷ କୋଠା ନଷ୍ଟ କିମ୍ବା କ୍ଷତିଗ୍ରସ୍ତ ହୋଇଥିଲା।