୩୫ମିନିଟ୍ ଆଗୁଆ ଉଠିଲା ମହାଦୀପ

ଭୁବନେଶ୍ୱର,୪ା୩(ବ୍ୟୁରୋ): ପବିତ୍ର ମହାଶିବରାତ୍ରି ଅବସରରେ ଆଜି ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି । ଏହି ଉପଲକ୍ଷେ ଆଜି ପ୍ରତ୍ୟୁଷରୁ ଏକାମ୍ରକ୍ଷେତ୍ରରେ ପ୍ରବଳ ଜନସମାଗମ ଦେଖାଯାଇଥିଲା । ରବିବାର ରାତି ୧୨ଟା ଠାରୁ ଶ୍ରୀଲିଙ୍ଗରାଜଙ୍କ ମେଘନାଦ ପ୍ରାଚୀର ଉଭୟ ପାଶ୍ୱର୍ରେ ଥିବା ବ୍ୟାରିକେଡ୍ରେ ଶ୍ରଦ୍ଧାଳୁଗଣ ଧାଡ଼ି ଲଗାଇବା ଆରମ୍ଭ କରିଥିଲେ । ପ୍ରତ୍ୟୁଷ ସାଢ଼େ ୩ଟା ବେଳେ ସାହାଣ ମେଲା ଦର୍ଶନ ପାଇଁ ସିଂହଦ୍ୱାର ଖୋଲିଥିଲା । ପ୍ରତୀକ୍ଷାରତ ହଜାର ହଜାର ଭକ୍ତ ଧାଡ଼ିରେ ମନ୍ଦିର ବେଢ଼ାକୁ ପ୍ରବେଶ କରିଥିଲେ । ଲୋକ ଗହଳି ଏତେ ହୋଇଥିଲା ଯେ ଧାଡ଼ି ମନ୍ଦିର ଚାରିପଟେ ୨ଥର ବୁଲି ଯାଇଥିଲା । ଶେଷରେ ସମସ୍ତଙ୍କ ଉତ୍କଣ୍ଠାର ଅବସାନ ଘଟାଇ ଧାର୍ଯ୍ୟ ସମୟ ଠାରୁ ୩୫ମିନିଟ ଆଗୁଆ ଅର୍ଥାତ୍ ରାତି ପ୍ରାୟ ୯ଟା ୨୫ରେ ସମର୍ଥା ସେବାୟତ ମନ୍ଦିର ଚୂଡ଼ାକୁ ମହାଦୀପ ଉଠାଇଥିଲେ । ଠିକଣା ସମୟ ଠାରୁ ଆଗୁଆ ମହାଦୀପ ଉଠିଥିବାରୁ ହର୍ଷଉଲ୍ଲାସରେ ଭକ୍ତଗଣ ହର ହର ମହାଦେବ, ଓଁ ନମ ଶିବାୟରେ ପରିବେଶ କମ୍ପାଇଥିଲେ । ମହାଦୀପ ଦର୍ଶନ କରି ବ୍ରତ ସମାପନ କରିଥିଲେ ।
ଆଜି ଠିକଣା ସମୟରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦୈନିକ ନୀତିକାନ୍ତି ଆରମ୍ଭ ହୋଇଥିଲା । ଭୋର ୩ଟା ବେଳେ ଗମ୍ଭୀରା ଖୋଲାଯାଇ ଠାକୁରଙ୍କ ଆଳତୀ ଅବକାଶ ନୀତି ସମ୍ପନ୍ନ କରାଯାଇଥିଲା । ଏହାପରେ ସାହାଣ ମେଲା ଦର୍ଶନ ନିମନ୍ତେ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇଥିଲା । ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଠାକୁରଙ୍କୁ ଅତି ନିକଟରୁ ଦର୍ଶନ ଲାଭ କରିପାରିଥିଲେ ଶ୍ରଦ୍ଧାଳୁ । ଠାକୁରଙ୍କ ରୋଷହୋମ, ଛାମୁ ପରିଷ୍କାର ସମ୍ପନ୍ନ ହୋଇ ମହାସ୍ନାନ କରାଯାଇଥିଲା । ପୁନଶ୍ଚ ସେବାୟତଗଣ ଠାକୁରଙ୍କୁ ବେଶ କରି ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ସହିତ ଶ୍ରୀଜୀଉ ଓ ଠାକୁରାଣୀଙ୍କ ବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀଜୀଉଙ୍କ ବେଢ଼ା ନୀତି ସମ୍ପନ୍ନ ପରେ ଭୋଗମଣ୍ଡପ ଆରମ୍ଭ ହୋଇଥିଲା ।
ଆଶଙ୍କା କରାଯାଉଥିଲା ଯେ ଭୋଗମଣ୍ଡପ ନୀତିରେ ବିଳମ୍ବ ଘଟିବ । କିନ୍ତୁ ସେବାୟତଗଣ ଏହି ନୀତିକୁ ସୁରୁଖୁରୁରେ ସମ୍ପନ୍ନ କରି ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳକୁ ପୁନଶ୍ଚ ସାହାଣମେଲା ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ଦେଇଥିଲେ । ଠାକୁରଙ୍କ ଧାର୍ଯ୍ୟ ସମୟ ଠାରୁ ନୀତିକାନ୍ତି ପ୍ରାୟ ଏକଘଣ୍ଟା ଆଗୁଆ ଚାଲିଥିଲା । ପ୍ରାୟ ଘଣ୍ଟାକ ପରେ ସାହାଣମେଲା ଦର୍ଶନ ବନ୍ଦ କରାଯାଇ ଠାକୁରଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା । ଭକ୍ତଗଣ ଠାକୁରଙ୍କୁ ଆଡ଼କାଠ ଠାରେ ଦର୍ଶନ କରିଥିଲେ । ସନ୍ଧ୍ୟା ପ୍ରାୟ ୭ଟାରେ ପହୁଡ଼ ନୀତି ସମ୍ପନ୍ନ ହୋଇ ସନ୍ଧ୍ୟା ଆଳତୀ, ବେଶ ନୀତି ସମାପନ ପରେ ମହାପ୍ରଭୁ ବେଢ଼ା ପରିକ୍ରମା ପାଇଁ ବାହାରିଥିଲେ । ଏହାପରେ ସେବାୟତଗଣ ବିଧିମତେ ବିନ୍ଦୁସାଗରରୁ ୧୦୮ ପୂର୍ଣ୍ଣ କଳସୀ ତୀର୍ଥଜଳ ମନ୍ଦିରକୁ ଆଣିଥିଲେ । ସବୁକାମ ଆଗୁଆ ଚାଲିଥିବାରୁ ରାତି ୯ଟା ୨୩ରେ ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଉଠିଥିଲେ । ରାତି ୯ଟା ୨୫ରେ ମନ୍ଦିର ଚୂଡ଼ାରେ ମହାଦୀପ ସ୍ଥାପନ କରିଥିଲେ ।