ଭୁବନେଶ୍ବର, ୨୩/୦୧: ମହାନଦୀ ଟ୍ରିବ୍ୟୁନାଲ ସମ୍ପର୍କିତ ବୈଠକ ଶେଷ । ଲୋକସେବା ଭବନରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ମିଟିଂ । ଏଥିରେ ସାମିଲ ହୋଇଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଅନ୍ୟ ବିଭାଗୀୟ ଅଧିକାର ଉପସ୍ଥିତ ଥିଲେ । ବୈଠକ ଶେଷ ପରେ ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ସୁରେଶ ପୂଜାରୀ । ସେ କହିଛନ୍ତି, ମହାନଦୀ ସମସ୍ୟା ମୋହନ ସରକାରଙ୍କୁ ଉତ୍ତାଧିକାରୀ ସୂତ୍ରରେ ବିଗତ ସରକାରଙ୍କ ଠାରୁ ମିଳିଛି । ୨୪ ବର୍ଷ ଶାସନ ବେଳେ ଏ ସମସ୍ୟା ସୃଷ୍ଟି ହୋଇଥିଲା। ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ୫୦୦ରୁ ଅଧିକ ବ୍ୟାରେଜ ନିର୍ମାଣ କରିଥିଲେ । ଯେଉଁ ସମୟରେ ନିର୍ମାଣ କଲେ ବିଜେଡି ସରକାର ସେ ସମୟରେ ବିରୋଧ କଲେ ନାହିଁ ।
ମହାନଦୀ ପ୍ରସଂଗକୁ ନେଇ କେନ୍ଦ୍ର ସରକାର ତତ୍ପରତା ଦେଖାଇଥିଲେ । ଟ୍ରିବ୍ୟୁନାଲ ଗଠନ କଲେ ଅଢ଼େଇ ବର୍ଷ କାର୍ଯ୍ୟକାଳ ରଖିଲେ । ସେ ସମୟରେ ସମାଧାନ ହେଲା ନାହିଁ ବୋଲି, ନିୟମ ଅନୁଯାୟୀ, ଥରେ ବଢ଼େଇ ଏହାକୁ ପାଞ୍ଚ ବର୍ଷ କଲେ । ଏହି ଅବଧି ମଧ୍ୟରେ ଓଡ଼ିଶା ପକ୍ଷରୁ କେବଳ ଗୋଟିଏ ସାକ୍ଷୀକୁ ଟ୍ରିବ୍ୟୁନାଲରେ ଉପସ୍ଥାପନା କରାଯାଇଥିଲା । ୨୧ଜଣଙ୍କ ତାଲିକା ଦିଆଯାଇଥିଲା କିନ୍ତୁ ସାକ୍ଷ୍ୟ ଗ୍ରହଣ ହେଲା ନାହିଁ । ବିଜେଡି ସରକାର ସତ୍ୟପାଠ ବି ଦାଖଲ କଲେ ନାହିଁ । ଖାଲି ଏତିକି ନୁହେଁ, ବିଧାନସଭା ସମୟରେ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ କହିଥିଲେ, ଛତିଶଗଡ଼ ବ୍ୟାରେଜ୍ ହେଲ ବି ଓଡ଼ିଶାର କୌଣଶି କ୍ଷତି ହେବ ନାହିଁ। ମହାନଦୀ ସ୍ରୋତ କିମ୍ବା ପରିମାଣ ପ୍ରଭାବିତ ହୋଇନାହିଁ । ରାଜ୍ୟ ଜଳସମ୍ପଦ ମନ୍ତ୍ରୀଙ୍କ ସେହି ବିବୃତ୍ତିକୁ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲରେ ଉପସ୍ଥାପନ କରିଛନ୍ତି । ଯଦି ମନ୍ତ୍ରୀ କହୁଛନ୍ତି କ୍ଷତି ହେଉନି ତାହେଲେ ଟ୍ରିବ୍ୟୁନାଲ କାହିଁକି ଆସିଛ ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ସେ ଆହୁରି ମଧ୍ୟ କହିଛନ୍ତି, ମହାନଦୀ ପ୍ରସଂଗରେ ଓଡ଼ିଶା ସରକାର ବିରୋଧରେ ଛତିଶଗଡ଼ ବ୍ୟବହାର କରୁଥିବା ଅସ୍ତ୍ର ଦେଇଛି ବିଜେଡି । ମାମଲାରେ ହାରିବା ପାଇଁ ଏବଂ ଛତିଶଗଡ଼ ଜିତିବା ପାଇଁ ଯାହା ଦରକାର ବିଜେଡି କରି ସାରିଛି । ୬୦ଟି ଶୁଣାଣିରେ ଯେଉଁ ନିଷ୍ଠାର ସହ ଯୁକ୍ତି ହେବାର ଥିଲା, ତାହା ହେଲା ନାହିଁ । ଆଉ ଏବେ କହୁଛନ୍ତି, ଟ୍ରିପଲ ଇଞ୍ଜିନ ସରକାର କିଛି କରୁନାହାନ୍ତି । ମୋହନ ମାଝୀଙ୍କ ସରକାର ଓଡ଼ିଶାର ସ୍ବାର୍ଥ ପାଇଁ ଲଢ଼େଇ କରିବ । ଆମେ ଖୁବ୍ ଶୀଘ୍ର ଟ୍ରିବ୍ୟୁନାଲ ନିକଟରେ ସତ୍ୟପାଠ ଦାଖଲ କରିବୁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।...
ଆହୁରି ଅଧିକ ପଢ଼ନ୍ତୁ-କଲମା ବ୍ୟାରେଜ୍ ତଳେ ବାଲିବନ୍ଧ ନିର୍ମାଣ କରିବା ପ୍ରସଙ୍ଗ; ଛତିଶଗଡ଼କୁ ଚିଠି ଲେଖିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ କମିଟି