ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

କୁଆଡ଼େ ଗଲା ହୀରାକୁଦ ତଳମୁଣ୍ଡର ୭ ନୂଆ ବ୍ୟାରେଜ୍‌ ପ୍ରକଳ୍ପ ! ସମୁଦ୍ରକୁ ବୋହି ଯାଉଛି ୨୬ ହଜାର ଏମ୍‌ସିଏମ୍‌ ପାଣି

ସମ୍ବଲପୁର,୧୯/୭(ବ୍ୟୁରୋ): ୩ ବର୍ଷ ତଳେ ହଠାତ୍‌ ଛତିଶଗଡ ସରକାର ମହାନଦୀର ଉପରମୁଣ୍ଡରେ ବହୁ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ୍‌ ନିର୍ମାଣ କରି ପାଣି ଅଟକାଉଥିବା ନେଇ ଓଡିଶା ସରକାର ପ୍ରତିବାଦ କରିଥିଲେ । ଯଦିଓ ଏତେ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ୍‌ ରାତାରାତି ନିର୍ମାଣ ହୋଇନଥିଲା, ତଥାପି ଓଡିଶା ସରକାର ଏହାକୁ ଗତ ୨୦୧୬ ମଇ ମାସରେ ତୁରନ୍ତ ପ୍ରସଙ୍ଗ କରି ଯୁଦ୍ଧଂଦେହୀ ଡାକରା ଭଳି ଆନ୍ଦୋଳନମୁହାଁ ହୋଇଥିଲେ । ତେବେ, ଏହି ବିବାଦ ମୁଣ୍ଡ ଟେକିବା ଦିନରୁ ଛତିଶଗଡ ସବୁ ବେଳେ ହୀରାକୁଦରୁ ସମୁଦ୍ରକୁ ଲକ୍ଷ ଲକ୍ଷ କ୍ୟୁସେକ୍‌ ପାଣି ବୋହି ଯାଉଥିବା କଥା କହି ଆସିଛି । ଓଡିଶା ସରକାର ନିଜସ୍ୱ ବ୍ୟବହାର ପାଇଁ ହୀରାକୁଦ ବନ୍ଦ ବ୍ୟତୀତ ୭୦ ବର୍ଷ ମଧ୍ୟରେ ଗୋଟିଏ ବି ପ୍ରକଳ୍ପ ନ କରି ଦୋଷ ଖସାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରି ଆସିଛି । ଏଭଳି ସ୍ଥିତିରେ ବିଳମ୍ବରେ ହେଲେ ମଧ୍ୟ ଗତବର୍ଷ ମଇ ମାସରେ ରାଜ୍ୟ ସରକାର ହୀରାକୁଦ ତଳମୁଣ୍ଡରେ ୭ଟି ବ୍ୟାରେଜ୍‌ ସହ ବିଭିନ୍ନ ଶାଖା ନଦୀ ଏବଂ ନାଳରେ ୨୨ଟି ବ୍ୟାରେଜ୍‌ ଓ ଆନିକଟ୍‌ କରିବାକୁ ଘୋଷଣା କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଏନେଇ ପାହୁଣ୍ଡେ ବି କଥା ଆଗେଇ ପାରିନାହିଁ । ଏପରିକି ଗତ ସପ୍ତାହରେ ଅନୁମୋଦିତ ହୋଇଥିବା ରାଜ୍ୟ ବଜେଟ୍‌ରେ ଏଥିପାଇଁ ଟଙ୍କା ଟିଏ ବି ବ୍ୟବସ୍ଥା ହୋଇନଥିବା ଜଣାପଡିଛି ।

ଗତ ୨୦୧୬ ମଇ ମାସରେ ମହାନଦୀର ଉପରମୁଣ୍ଡରେ ୬ଟି ବ୍ୟାରେଜ୍‌ ସାଙ୍ଗକୁ ଅର୍ପା ନଦୀରେ ଏକ ବଡ ବନ୍ଧ ବାନ୍ଧିବାକୁ ଛତିଶଗଡ ସରକାରଙ୍କ ଯୋଜନା ନେଇ ଓଡିଶା ସରକାର ଅବଗତ ହୋଇଥିଲେ । ହେଲେ ସେହି ସମୟ ବେଳକୁ ୬ଟି ବ୍ୟାରେଜ୍‌ର କାମ ସରିସାରିଥିବା ବେଳେ ଅର୍ପା-ଭୈସାଝର ପ୍ରକଳ୍ପ ବି ୬୦ ଭାଗ କାମ ସରିଯାଇଥିଲା । ଏହାକୁ ନେଇ ଓଡିଶା ସରକାର ନିଜର ଶାସକ ଦଳ ବିଜେଡିକୁ ଧରି ରାଜରାସ୍ତାକୁ ଓହ୍ଲାଇବା ସହିତ ସମ୍ବଲପୁରରୁ ଦିଲ୍ଲୀ ଯାଏ ଏବଂ ସୁଖାସୋଢାରୁ ପାରାଦୀପ ଯାଏ ଆନ୍ଦୋଳନ କରିଥିଲେ । ଆଉ ଶେଷରେ ସୁପ୍ରିମକୋର୍ଟରେ ଆବେଦନ କରି ଟ୍ରିବ୍ୟୁନାଲ୍‌ ଗଠନ ଯାଏ ପଦକ୍ଷେପ ନେଲେ । ଏହି ସବୁ ପ୍ରକଳ୍ପ ପାଇଁ ଓଡିଶାରେ ଭୟଙ୍କର ଜଳସଙ୍କଟ ହେବ ବୋଲି ରାଜ୍ୟ ସରକାର ଆଶଙ୍କା କରି ଆସିଛନ୍ତି ।

{"id":27922,"width":718,"height":538}

ହେଲେ ତତ୍କାଳୀନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ସରକାର ପର୍ଯ୍ୟନ୍ତ ସମସ୍ତେ ଓଡିଶା ସରକାରଙ୍କ ଅପାରଗତାକୁ ଦାୟୀ କରି ଆସିଛନ୍ତି । ହୀରାକୁଦ ବନ୍ଧ ଦେଇ ୮୪ ଭାଗ ପାଣି ସମୁଦ୍ରକୁ ସରକାର ବୁହାଇ ଦେଉଛନ୍ତି ବୋଲି ଛତିଶଗଡ ଅଭିଯୋଗ କରି ଆସିଛି । ଗତ ୭୦ ବର୍ଷ ମଧ୍ୟରେ ହୀରାକୁଦ ତଳମୁଣ୍ଡରେ ଗୋଟିଏ ବି ଜଳ ପ୍ରକଳ୍ପ ଓଡିଶା ସରକାର କରିପାରିନାହାନ୍ତି ବୋଲି ଅଭିଯୋଗ କରିଛି । ଏପରିକି ଓଡିଶା ବିଜେପି ମଧ୍ୟ ଓଡିଶାକୁ ମହାନଦୀର ପାଣି ସଂରକ୍ଷଣ କରିବାରେ ଅବହେଳା କରିଥିବା ନେଇ ପାଲଟା ଦୋଷ ଲଦି ଆସିଛି । ବାସ୍ତବରେ ମହାନଦୀ ଦେଇ ୪୮ ଲକ୍ଷ ୭୩୨ ମିଲିଅନ କ୍ୟୁବିକ୍‌ ମିଟର୍‌ (ଏମ୍‌ସିଏମ୍‌) ଜଳ ପ୍ରବାହିତ ହେଉଥିବା ବେଳେ ସେଥିରୁ ୨୫ ଲକ୍ଷ ୭୮୩ ମିଲିଅନ୍‌ କ୍ୟୁବିକ୍‌ ମିଟର୍‌ ପାଣି ହୀରାକୁଦ ଦେଇ ସମୁଦ୍ରକୁ ଚାଲିଯାଉଛି ।

ଏଭଳି ସ୍ଥିତିରେ ମହାନଦୀ ବିବାଦ ଏକ ଜାତୀୟ ପ୍ରସଙ୍ଗ ପାଲଟି ଟ୍ରିବ୍ୟୁନାଲରେ ଶୁଣାଣି ଆରମ୍ଭ ହେବା ବେଳକୁ ରାଜ୍ୟ ସରକାରଙ୍କ ଚେତା ପଶିଛି । ଆଉ ମହାନଦୀର ତଳମୁଣ୍ଡରେ ୭ଟି ବ୍ୟାରେଜ୍‌ ସହ ବିଭିନ୍ନ ଶାଖା ନଦୀ ଓ ନାଳରେ ଆହୁରି ୨୨ଟି ଚେକ୍‌ ଡ୍ୟାମ୍‌ ଓ ବ୍ୟାରେଜ୍‌ କରିବାକୁ ଯୋଜନା କରିଥିଲେ । ଗତବର୍ଷ ମଇ ୧୨ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଜଳସଂପଦ ସଚିବ ପ୍ରଦୀପ ଜେନା ଘୋଷଣା କରିଥିଲେ । ସମ୍ବଲପୁର, ବୌଦ୍ଧ, ସୋନପୁର ଏବଂ କଟକ ଜିଲ୍ଲାର ମୁଣ୍ଡୁଳି ମଧ୍ୟରେ ୭ଟି ବ୍ୟାରେଜ୍‌ କରିବା ସହିତ ବିଭିନ୍ନ ଶାଖା ନଦୀରେ ଚେକଡ୍ୟାମ୍‌ ଓ ବ୍ୟାରେଜ୍‌ କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ । ଏହି ବ୍ୟାରେଜ୍‌ରୁ ପିଇବା ପାଣିରୁ ଆରମ୍ଭ କରି ଜଳସେଚନ ଏବଂ ଶିଳ୍ପକୁ ଜଳଯୋଗାଣ ଆଦି ଚାହିଦା ପୂରଣ କରିବାକୁ ଲକ୍ଷ୍ୟ ରଖିଥିଲେ ।

ହେଲେ ଇତିମଧ୍ୟରେ ବର୍ଷେ ବିତିଥିବା ବେଳେ ପୁଣି ଥରେ ବିଜେଡି ସରକାର ଶାସନକୁ ଫେରିଛି । କିନ୍ତୁ, ଏହି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଏକପ୍ରକାର ବିସ୍ମୃତି ଗର୍ଭକୁ ଚାଲିଯାଇଛି । ଏପରିକି ଗତ ସପ୍ତାହରେ ଅନୁଷ୍ଠିତ ନୂଆ ସରକାରଙ୍କ ପ୍ରଥମ ପୂର୍ଣାଙ୍ଗ ବଜେଟ୍‌ରେ ଏନେଇ କୌଣସି ଅର୍ଥବରାଦ ହୋଇନଥିବା ଜଣାପଡିଛି । ଅପରପକ୍ଷେ, ବର୍ତ୍ତମାନ ସୁଦ୍ଧା ଛତିଶଗଡ ସରକାର ମହାନଦୀ ଏବଂ ଏହାର ଶାଖା ନଦୀରେ ୨୩୬୫ଟି ଛୋଟ ବଡ ପ୍ରକଳ୍ପ କରିସାରିଥିବା ବେଳେ ଆଗକୁ ଆହୁରି ୧୮୦୨ଟି ପ୍ରକଳ୍ପ ସେହି ମହାନଦୀ ବେସିନ୍‌ରେ ନିର୍ମାଣ କରିବାକୁ ଯାଉଥିବା ନେଇ ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଲେଣି । ଫଳରେ ଆଗକୁ ଓଡିଶା ସୁଖିଲା ମହାନଦୀ ପାଇଁ ହାହାକାର ପରିସ୍ଥିତିର ସମ୍ମୁଖୀନ ହେବା ଥୟ ।

Copyright © 2022 - Summa Real Media Private Limited. All Rights Reserved.