ସନାତନ ଧର୍ମରେ ହରିଶୟନ ଏକାଦଶୀ ଠାରୁ ଆରମ୍ଭ  ହୋଇଥିବା ଚତୁର୍ମାସ୍ୟା ବ୍ରତର ଅନ୍ତିମ ତଥା ଶ୍ରେଷ୍ଠ ମାସ  ହେଉଛି କାର୍ତ୍ତିକ ମାସ । ଓଡ଼ିଶାରେ ମାନ୍ୟତା ଅଛି ଏହି ମାସକୁ ସର୍ବଶ୍ରେଷ୍ଠ ଧର୍ମ ମାସ ଭାବେ ଉଭୟ ହରି ଏବଂ ହରଙ୍କ ମିଳିତ  ଶକ୍ତି ଅଧିକ ଏହି ସମୟରେ ପୃଥିବୀକୁ ପୁଣ୍ୟମୟ କରିଥାଏ ।  ଏହି ମାସରେ ଉଭୟ ଭଗବାନ ଶିବ ଓ ପାର୍ବତୀ ଏବଂ  ଭଗବାନ ବିଷ୍ଣୁ ରାଧା-କୃଷ୍ଣ ଭାବେ ପୃଥିବୀ ଭ୍ରମଣ କରିବା ସହ  ସଂସାରର କଲ୍ୟାଣ କରନ୍ତି । ବୈଷ୍ଣବପନ୍ଥୀଙ୍କ ମତରେ, କାର୍ତ୍ତିକ  ମାସର ମୂଳ ଦେବତା ହେଲେ ଦାମୋଦର । ବାଳକୃଷ୍ଣଙ୍କ  ଲୀଳାମୟ ସ୍ୱରୂପ ହେଲା ଦାମୋଦର । ସାରା ବ୍ରହ୍ମାଣ୍ଡର  ପାଳନକର୍ତ୍ତାଙ୍କୁ ମନୁଷ୍ୟ ଦେହରେ ତାଙ୍କର ପାଳନକର୍ତ୍ତ୍ରୀ  ମାତା ଯଶୋଦା ଯେତେବେଳେ ସ୍ନେହର ରଜ୍ଜୁରେ ଖୁଣ୍ଟ ସହ  ବାନ୍ଧି ଦେଇଥିଲେ ସେତେବେଳେ ତାଙ୍କର ସେହି ସ୍ୱରୂପ ହିଁ  ଦାମୋଦର । ‘ନମାମିଶ୍ୱରଂ ସଚ୍ଚିଦାନନ୍ଦ ରୂପମ୍‌, ଲସତ୍‌ କୁଣ୍ଡଳଂ  ଗୋକୁଲେ ଭାଜମାନମ୍‌। ୟଶୋଦା ଭିୟୋଲୁଖଲାଦ୍‌ ଧାବମାନଂ,  ପରାମୃଷ୍ଟମ ଅତ୍ୟନ୍ତତୋ ହତ୍ୟ ଗୋପ୍ୟ’ (ଦାମୋଦର  ଅଷ୍ଟକଂ, ପଦ୍ମପୁରାଣ) । ତେଣୁ ଭଗବାନ ବିଷ୍ଣୁଙ୍କ ଦ୍ୱାଦଶ ନାମ ମଧ୍ୟରୁ ତାଙ୍କର ଅନ୍ୟତମ ପ୍ରିୟ ନାମ ହେଲା ଦାମୋଦର ।  ଏହି କ୍ରମରେ ଶ୍ରୀମନ୍ଦିରରେ ପାଳିତ ହେଉଥିବା କାର୍ତ୍ତିକ ମାସ  ସମୟରେ ମହାପ୍ରଭୁ ରାଧା-ଦାମୋଦର ବେଶରେ ଦର୍ଶନ  ଦେଇଥାନ୍ତି ।

ansuman kar

ଓଡ଼ିଶାର ପ୍ରମୁଖ ଶୈବକ୍ଷେତ୍ର ତଥା ଭାରତର ଅନ୍ୟତମ  ବୃହତ୍‌ ଶିବ ମନ୍ଦିରରେ ମଧ୍ୟ ଦେବାଧିଦେବ ମହାଦେବ  ଭକ୍ତମାନଙ୍କୁ ଦାମୋଦର ବେଶରେ ଦର୍ଶନ ଦେବା ଯେତିକି ଦୁର୍ଲଭ ସେତିକି ତାଙ୍କ ବେଶର ନାମକରଣ ଆଶ୍ଚର୍ଯ୍ୟଜନକ ।  ଏକାମ୍ର ଲିଙ୍ଗରାଜ ମନ୍ଦିରରେ ରୁଦ୍ରରୂପୀ ମହାପ୍ରଭୁ ଲିଙ୍ଗରାଜ  ତ୍ରିଭୁବନେଶ୍ୱରଙ୍କ ବୈଷ୍ଣବ ନାମ ସଂଯୁକ୍ତ ଏହି ଦିବ୍ୟ, ଦୁର୍ଲଭ  ବେଶ ପ୍ରକୃତରେ ବଡ଼ବେଶ, ଯାହାକି କାର୍ତ୍ତିକ କୃଷ୍ଣପକ୍ଷ  ପ୍ରତିପଦାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ଦୁଇଥର ଅନୁଷ୍ଠିତ  ହୋଇଥାଏ ସକାଳ ଧୂପ ଓ ସନ୍ଧ୍ୟା ଧୂପ । ବର୍ଷରେ କେବଳ  ଏଇ ଗୋଟିଏ ମାସରେ ମହାପ୍ରଭୁ ଲିଙ୍ଗରାଜ ନିରାକାର  ବ୍ରହ୍ମ ସ୍ୱରୂପରୁ ସଂପୂର୍ଣ୍ଣ ସାକାର ରୂପରେ ଏହି ଦାମୋଦର  ବେଶ ଧାରଣ କରିଥାନ୍ତି । ଏହି ବେଶକୁ ରାଜାବେଶ ବା  ରାଜରାଜେଶ୍ୱର ବେଶ ମଧ୍ୟ କୁହାଯାଏ । ମାତ୍ର ସଂସ୍କୃତିର  ଅପଭ୍ରଂଶକ୍ରମେ ପୁରୀ ଅନୁକରଣ ଏହାକୁ କିଛି ଲୋକ  ଦାମୋଦର ବେଶ ମଧ୍ୟ କହନ୍ତି ।

ହରିହର ଉପାସନାର ଆଦ୍ୟ ଭୂମି ଉତ୍କଳରେ ଶିବ ଓ  ବିଷ୍ଣୁଙ୍କ ମିଳିତ ସ୍ୱରୂପର ଦିବ୍ୟ ପରିକଳ୍ପନା ହେଉଛି ଏହି ରାଜବେଶ । ଶିବ ହେଉଛନ୍ତି ସନ୍ନ୍ୟାସୀ, ବିଷ୍ଣୁ ହେଉଛନ୍ତି  ସଂସାରୀ, ମାତ୍ର ସନ୍ନ୍ୟାସୀ ଶିବ ଓ ତାଙ୍କ ପରିବାର ଏହି  ସଂସାରକୁ ଚଳିବାର ଶିକ୍ଷା ଦେଉଥିବାବେଳେ ସମସ୍ତ  ଐଶ୍ୱର୍ଯ୍ୟ ମଧ୍ୟରେ ବିଷ୍ଣୁ ସଂସାରୀମାନଙ୍କୁ ନିର୍ମୋହତାର ଶିକ୍ଷା  ଦେଉଛନ୍ତି । ସେଥିଲାଗି ତ ଉଭୟ ଶିବ ଓ ବିଷ୍ଣୁ ପରସ୍ପରକୁ  ନିଜର ଆରାଧ୍ୟାୟ ମାନନ୍ତି । ଏହି ଗୂଢ଼ ତତ୍ତ୍ୱର ପ୍ରତୀକ ଭାବେ  ଡମ୍ବରୁଧାରୀ ଶିବ ସମସ୍ତ ଐଶ୍ୱର୍ଯ୍ୟକୁ ଧାରଣ କରି ଦାମୋଦର ଭାବେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହା ଭାବରେ ଗ୍ରହଣୀୟ, କିନ୍ତୁ  ଇତିହାସରେ ଏହା ଗ୍ରହଣୀୟ ନୁହେଁ । ଏହି ବେଶରେ ଲିଙ୍ଗରାଜଙ୍କୁ ଏକ ବିଶାଳ ରୁପାର ମୁଖା,  ରୌପ୍ୟନିର୍ମିତ ଅର୍ଦ୍ଧଚନ୍ଦ୍ର, ପାଟ୍ଟବସ୍ତ୍ରର ଘୋଡ଼, ପୁଷ୍ପରାଜି  ଏବଂ ଚନ୍ଦନ ଆଦିରେ ସଜ୍ଜିତ କରାଯାଇଥାଏ । ଏହି ବେଶରେ  ବେଲପତ୍ର ମାଳ, ପଦକମାଳ, ଘାଗଡ଼ା ତଥା ବାଘନଖି ମାଳ  ସହ ରୁପାର ଚନ୍ଦ୍ର ଓ ସୁବୃହତ୍‌ ରୌପ୍ୟ ନାଗ (ବର୍ତ୍ତମାନ  ଅପ୍ରଚଳିତ) ଆଦି ଲାଗି କରାଯାଏ ।

ରୁଦ୍ରମୁଖାରେ ଅଙ୍କିତ ନେତ୍ର, ତ୍ରିପୁଣ୍ଡ, ତଥା କର୍ଣ୍ଣଲମ୍ବୀ ସୁଦୀର୍ଘ ନିଶ ଲାଗି ଏହି ବେଶରେ ତ୍ରିଭୁବନେଶ୍ୱରଙ୍କ ରାଜକୀୟ ଠାଣି ପରିଲକ୍ଷିତ  ହୁଏ । ତେଣୁ ଅନେକ ଏହାକୁ ରାଜରାଜେଶ୍ୱର ବେଶ ମଧ୍ୟ  କୁହନ୍ତି । ଏହି ବେଶ ଥିବାବେଳେ ନଡ଼ିଆପାତି, କଦଳୀ, ଅଦାଖଣ୍ଡ ଏବଂ ମୁଗର ଭୋଗ ଠାକୁରଙ୍କୁ ଲାଗି ହୋଇଥାଏ । ସଦା ନିରାଡମ୍ବରପ୍ରିୟ ମହାଦେବୀଙ୍କୁ ଏହି ଦିବ୍ୟ ଆଡମ୍ବରପୂର୍ଣ୍ଣ  ବେଶରେ ଦର୍ଶନ କରି ସ୍ତୁତି କରାଯାଇଛି- ‘ଜଟା ଗଙ୍ଗା  ତରଙ୍ଗାତ୍ତଚଳଦିନ୍ଦୁ କଳାଧରଃ । ଖେଳଦ୍ଭିର୍ଭୁଜଗଦ୍ୱନ୍ଦେ୍ୱରାବଦ୍ଧ  ମକୁଟୀତଟଃ । ସ୍ମିତ ଶ୍ରୀପୁଞ୍ଜ- କିଞ୍ଜଳ୍ମ-ମଞ୍ଜୁଳାନନ ପଙ୍କଜମ୍‌ ।  କଣ୍ଠଶଙ୍ଖନିଧି ସ୍ଫୁରର୍ଜନ୍‌ ମୁଦିତୋର୍ଜିତ ବୈଭବଂ । ଗଙ୍ଗା  ତୁଙ୍ଗ ଜଟା ମୌଳିଃ ତ୍ରିପୁଣ୍ଡ୍ରୋଦ୍ୟତ୍‌ ଭାଳାମଳବିରାଜିତଃ ।  ସୋମ ଧାମ ସମାନୋଦ୍ୟତ୍‌ କୋଟି କନ୍ଦର୍ପ ସନ୍ନିଭମ୍‌ ।

ଘୃତ  କାଠିନ୍ୟବନ୍ମୁର୍ତ୍ତଂ ସଚ୍ଚିଦାନନ୍ଦ ସମ୍ପଦମ୍‌’ । ପ୍ରତ୍ୟହ କାର୍ତ୍ତିକ ମାସରେ ହେଉଥିବା ମହାପ୍ରଭୁଙ୍କ ଏହି  ଦେବଦୁର୍ଲଭ ଦୃଶ୍ୟ ଭକ୍ତ ମନକୁ ପବିତ୍ର କରିବା ସହ ଉତ୍କଳୀୟ  ଉନ୍ନତ ପରମ୍ପରା ଓ ଚିନ୍ତାଧାରାର ପରିଚାୟକ । କାର୍ତ୍ତିକ ମାସର  ସୋମବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ବଳଭଦ୍ରଙ୍କ ହରି-ହର ବେଶ ହେଉ କିମ୍ବା ସ୍ୱର୍ଣ୍ଣାଦ୍ରିରେ ମହାପ୍ରଭୁ ଲିଙ୍ଗରାଜଙ୍କ  ବଡ଼ବେଶ । ଉଭୟ ଆମ ଆଧ୍ୟାତ୍ମିକ ଚେତନା ଓ ସଂସ୍କୃତିର  ଅଭିବୃଦ୍ଧିର ପ୍ରତୀକ । ତେଣୁ ଚଳିତ କାର୍ତ୍ତିକରେ ଲିଙ୍ଗରାଜ  ମନ୍ଦିରରେ ବ୍ରତ ପାଳନ କରୁଥିବା ସମୟରେ ହେଉ କିମ୍ବା  ଦର୍ଶନ କରୁଥିବାବେଳେ ହେଉ, ସେଇ ଦାମୋଦର ରୂପୀ ହରିହରଙ୍କ ଶରଣାଶ୍ରିତ ହୁଅନ୍ତୁ । କାରଣ, ଶିବ ମଧ୍ୟ କୃଷ୍ଣଙ୍କ ପରି  ଭକ୍ତଙ୍କ ଭାବରଜ୍ଜୁରେ ବାନ୍ଧିହୋଇ ଏହି ଅତ୍ୟନ୍ତ ଐଶ୍ୱରିକ ରୂପ  ଧାରଣ କରୁଛନ୍ତି । ପୁନଶ୍ଚ ମରାଠୀ ବ୍ରାହ୍ମଣମାନଙ୍କ ଦ୍ୱାରା ଗୋଆ  ଠାରେ ଶିବଙ୍କ ଦାମୋଦର ସ୍ୱରୂପର ପୂଜାର ତଥ୍ୟ ଥିବାବେଳେ  ଲିଙ୍ଗରାଜଙ୍କ ଏହି ବେଶର ସ୍ୱରୂପ ସେଇଠାରୁ ପ୍ରେରିତ ହୋଇ  ମରହଟ୍ଟା ଶାସନ କାଳରେ ଆରମ୍ଭ ହେଲା ବୋଲି କିଛି ତଥ୍ୟ  ମିଳୁଥିବା ବେଳେ ତାହା ଯଥେଷ୍ଟ ପ୍ରମାଣିକ ନୁହେଁ । ମହାପ୍ରଭୁ  ଲିଙ୍ଗରାଜଙ୍କ ବଡ଼ବେଶ ଯେ ଅପ୍ରଚାରରେ ଦାମୋଦର ବେଶ  ଭାବେ ଆଜି ଅଧିକ ପ୍ରଚଳିତ । ମାତ୍ର ଏହା ଶ୍ରୀମନ୍ଦିରର ରାଇ- ଦାମୋଦର କିମ୍ବା ରାଧା-ଦାମୋଦର ବେଶ ଠାରୁ ସଂପୂର୍ଣ୍ଣ ଭିନ୍ନ  ଏବଂ ଅନନ୍ୟ । ଏହି ପରମ୍ପରା ଉପରେ ଅଧିକ ଗବେଷଣା  ଚାଲିବା ଉଚିତ ।