PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ମହାପ୍ରସାଦ ପାଇଁ କୁଡୁଆ ଅଭାବ ହାତ ବାନ୍ଧି ବସିଛନ୍ତି ସୁଆର ସେବକ: ଦୁଇଗୁଣା କୁଡ଼ୁଆ ଦର , ତଥାପି ମିଳୁନି

ପୁରୀ,୨୮/୦୭(ବ୍ୟୁରୋ): ମହାକାର୍ତ୍ତିକ ବ୍ରତକୁ ମହାବିପତ୍ତି । ହବିଷ୍ୟାଳିମାନେ ମହାପ୍ରସାଦ ପାଇବେ କେମିତି । ଠାକୁରଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରି ବ୍ରତପାଳନ କରାଯାଏ । ଏବେ ଠାରୁ ଅନ୍ନମହାପ୍ରସାଦ ପ୍ରସ୍ତୁତିରେ ସୃଷ୍ଟି ହେଲାଣି ଘୋର ସମସ୍ୟା । କୁଡ଼ୁଆ ଅଭାବରୁ ମହାପ୍ରସାଦ ପରିମାଣ କମିବା ସହ ଦର ଚଢା ହେଲାଣି । କୁଡ଼ୁଆ ଦୋକାନରେ ତାଲା ପଡ଼ିଲାଣି । ଅଧାରୁ ଅଧିକ ସୁଆର ସେବକ ମଧ୍ୟ ଭୋଗ ରାନ୍ଧିବାକୁ ଯାଉ ନାହାନ୍ତି । ଆନନ୍ଦବଜାରରେ ମଧ୍ୟ ଦୋକାନ ପରିମାଣ କମିଲାଣି । ଅବଢା ଦର ଚଢା ଥିଲେ ମଧ୍ୟ ବିକ୍ରି ପାଇଁ ରହୁନି । ଏଭଳି ପରିସ୍ଥିତିରେ କାର୍ତ୍ତିକ ମାସକୁ କଣ ଯେ ଘଟିବ ତାର କଳନା କରି ହେଉ ନାହିଁ ।

ମହାପ୍ରଭୁଙ୍କ ମହାପ୍ରସାଦକୁ ପଡ଼ିଛି ମହାସଙ୍କଟ । ବାତ୍ୟାକୁ ଅଢେଇ ମାସ ବିତିଥିଲେ ମଧ୍ୟ ‘ଫୋନି’ ମାଡ଼ରୁ ସୁଧୁରି ପାରିନି ଶ୍ରୀମନ୍ଦିର । କୁମ୍ଭକାରଙ୍କ ଭାଟି ଭାଙ୍ଗିଥିବାରେ ସେମାନେ କୁଡ଼ୁଆ ଯୋଗାଇ ପାରୁ ନାହାନ୍ତି । କୁଡ଼ୁଆ ନମିଳିବାରୁ ସୁଆର ସେବକମାନେ ମଧ୍ୟ ହାତ ବାନ୍ଧି ବସିଲେଣି । ଅଧାରୁ ଅଧିକ ସୁଆର ସେବକ ରାନ୍ଧିବାକୁ ଯାଉ ନାହାନ୍ତି । ଫଳରେ ଠାକୁରଙ୍କ ଅନ୍ନମହାପ୍ରସାଦ ପରିମାଣ ଢେର କମିଯାଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଥିବା କୁଡ଼ୁଆ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳୁଛି । ଦକ୍ଷିଣଦ୍ୱାର ସମ୍ମୁଖ ବଡ଼ କୁଡ଼ୁଆ ଦୋକାନରେ ତାଲା ଝୁଲୁଛି । ବେପାର ନଥିବାରୁ ଦୋକାନରେ ତାଲା ଠୁଙ୍କି ପରିଚାଳନାକାରୀ ହିସାବ ଖାତା ଧରି ମାଲିକ ଅପେକ୍ଷାରେ ରହିଛନ୍ତି । ଦିନକୁ ଶ୍ରୀମନ୍ଦିରକୁ ଯେଉଁଠି ୮/ ୧୦ଗାଡ଼ି କୁଡ଼ୁଆ ଆସେ ଫୋନିର ଅଢେଇ ମାସରେ ୧୦ ଗାଡ଼ି କୁଡ଼ୁଆ ଆସିଛି କି ନାହିଁ ସନ୍ଦେହ କହୁଛନ୍ତି ପରିଚାଳନାକାରୀ । ହାତ ଗଣତି ସୁଆର ସେବକ ଯିଏ ଯେଉଁଠି କୁଡ଼ୁଆ ଗଛିତ ରଖିଥିଲେ ସରିବାକୁ ବସିଲାଣି ।

ଏପରିକି ବାତ୍ୟା ପୂର୍ବ ଦର ଠାରୁ ୨ଗୁଣରୁ ଅଧିକ ମୂଲ୍ୟ ଦେଲେ ମଧ୍ୟ କୁଡ଼ୁଆ ମିଳୁନାହିଁ । ବାଇହାଣ୍ଡିର ଦର ଶହେରୁ ୧୨୦ ଥିଲା ବେଳେ ବର୍ତ୍ତମାନ ଦର ୨ଶହରୁ ୨୩୦ଟଙ୍କା । ଦାସିଆ ମାଟିହାଣ୍ଡିର ଦର ୭୦/୮୦ ଥିଲାବେଳେ ବର୍ତ୍ତମାନ ୧୫୦ଟଙ୍କା ଟପିଛି । ସେହିଭଳି ବଡ଼ମଠ କୁଡ଼ୁଆ ଦର ୪୦ ଟଙ୍କା ଥିଲାବେଳେ ବର୍ତ୍ତମାନ ୮୦ଟଙ୍କା ହେଲାଣି । ଫଳରେ ଅବଢା ଦର ମଧ୍ୟ ଚଢା ହୋଇଛି । ଗୋଟିଏ ସେଟ୍‌ ଅବଢା କହିଲେ ବାଇହାଣ୍ଡି ଅବଢା, ଦାସିଆ ଡ଼ାଲି ଓ ବଡ଼ମଠ କୁଡ଼ୁଆ ତରକାରୀ ୨ଟି ହେଲେ ଗୋଟିଏ ସେଟ୍‌ ଅବଢା । ଏହାର ଦର ଆଗେ ଥିଲା ୩ହଜାର ୯ଶହ ଟଙ୍କା । ଏବେ ତାହା ବଢି ୪ହଜାର୫ଶହରୁ ଉଦ୍ଧ୍ୱର୍ ହୋଇଗଲାଣି । ସେପଟେ ଚାହିଦା ଅଧିକ ଥିଲେ ମଧ୍ୟ ଅବଢା ପରିମାଣ ଯଥେଷ୍ଟ କମିଛି ।

ପରିସ୍ଥିତି ଏଭଳି ଯେ ସଦାସର୍ବଦା ଗହଳିରେ ଫାଟି ପଡ଼ୁଥିବା ଆନନ୍ଦବଜାର ମଧ୍ୟ ଫାଙ୍କା । ଅଧାରୁ ଅଧିକ ଅବଢା ଦୋକାନ ଖୋଲୁ ନାହିଁ । ଅଧିକାଂଶ ସୁଆର କୁଡ଼ୁଆ ଅଭାବରୁ ରୋଷେଇ କରିବାକୁ ଯାଉ ନାହାନ୍ତି । କୃଷ୍ଣଚନ୍ଦ୍ର ମହାସୁଆର କୁହନ୍ତି କୁଡ଼ୁଆ ନମିଳିବାରେ ହାତ ବାନ୍ଧି ବସିବାକୁ ହେଉଛି । ଅଧିକ ଦର ଦେଲେ ମଧ୍ୟ କୁଡ଼ୁଆ ମିଳୁ ନାହିଁ । ଲୋକଙ୍କ ବରାଦି ଅବଢା ମଧ୍ୟ ରଖା ଯାଉ ନାହିଁ । ଯଦି କାଁ ଭାଁ କିଏ କାହାରି ବରାଦି ରଖୁଛନ୍ତି ଅବଢା ଦର ଚଢା ରହୁଛି । ଏହାଦ୍ୱାରା ସାଧାରଣ ଶ୍ରଦ୍ଧାଳୁ ହିଁ କ୍ଷତି ସହୁଛନ୍ତି । ଆଶୁତୋଷ ସୁଆର କୁହନ୍ତି କୁମ୍ଭକାରମାନଙ୍କୁ ପ୍ରଶାସନିକ ସହଯୋଗ ନମିଳିଲେ କୁଡ଼ୁଆ ସଙ୍କଟ ଲାଗି ରହିବ । ଅବସ୍ଥାରେ ସୁଧାର ନହେଲେ ଆଗକୁ କାର୍ତ୍ତିକ ମାସରେ ମହାପ୍ରସାଦ ପ୍ରସ୍ତୁତି ନେଇ ମହା ସମସ୍ୟା ସୃଷ୍ଟି ହେବ । ସରକାର ଆଶୁ ପଦକ୍ଷେପ ନେଇ କୁଡ଼ୁଆ ସମସ୍ୟା ଦୂର କରିବାକୁ ସେବକ ଓ ଶ୍ରଦ୍ଧାଳୁ ମହଲରେ ଦାବି ହେଉଛି ।