ମହାରାଷ୍ଟ୍ରରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା: ୧୨ ମୃତ, ୨୦ରୁ ଅଧିକ ଆହତ

ନାଗପୁର,୨୩।୫: ମହାରାଷ୍ଟ୍ରରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ ମଙ୍ଗଳବାର ସକାଳେ ନାଗପୁର-ପୁଣେ ରାଜପଥରେ ଏକ ଦୁର୍ଘଟଣା ଘଟିଥିଲା ଯେଉଁଠାରେ ଏକ ଟ୍ରକ ସହିତ ଏକ ବସ୍ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଦ୍ୱିତୀୟ ଘଟଣା ସୋମବାର ରାତି ପ୍ରାୟ ୧୧ ଟା ସମୟରେ ଘଟିଥିଲା। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ ଦରିଆପୁର-ଅଞ୍ଜନଗାଓଁ ରୋଡ୍ରେ ଏକ ଏସ୍ୟୁଭି, ଟ୍ରକ୍ ସହିତ ମାଡ ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୭ ଜଣ ଆହତ ହୋଇଛନ୍ତି।
ମଙ୍ଗଳବାର ସକାଳେ ହୋଇଥିବା ଦୁର୍ଘଟଣା ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଘଟିଛି। ଦୁର୍ଘଟଣାର ଶିକାର ହୋଇଥିବା ବସ୍ ପୁନେରୁ ବୁଲଢାଣାର ମେହେକର ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ଆସି ବସ୍ ଦେହରେ ମାଡ ହୋଇଥିଲା। ଏହି ଦୁର୍ଘଟଣାରେ ବସ୍ରେ ଥିବା ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେଭଳି ସୋମବାର ରାତି ପ୍ରାୟ ୧୧ଟା ବେଳେ ଅମରାବତୀର ଦରୟାପୁର-ଅଞ୍ଜନଗାଓଁ ରୋଡ୍ରେ ହୋଇଥିବା ଏକ ଅନ୍ୟ ଦୁର୍ଘଟଣାରେ ଏସ୍ୟୁଭି କାର ଓ ଟ୍ରକ୍ ଭିତରେ ଦୁର୍ଘଟଣା ହୋଇଥିଲା। ଖବର ଅନୁସାରେ, ଏସ୍ୟୁଭିରେ ଯାଉଥିବା ଗୋଟିଏ ପରିବାରର ଲୋକ ଏକ ପାରିବାରିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦରୟାପୁର ଫେରୁଥିଲେ। ଏହି ସମୟରେ ଏସ୍ୟୁଭି ଯାଇ ଟ୍ରକ୍ ସହ ମାଡ଼ ହୋଇଥିଲା। ଦୁର୍ଘଟଣା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଦରୟାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।