ଭୁବନେଶ୍ୱର,୩୦/୦୯:  ସର୍ବମଙ୍ଗଲ ମାଙ୍ଗଲ୍ୟେ ଶିବେ  ସର୍ବାର୍ଥ ସାଧିକେ, ଶରଣ୍ୟେ ତ୍ର‌୍ୟମ୍ବକେ ଗୌରୀ, ନାରାୟଣୀ ନମୋସ୍ତୁତେ... ପ୍ରତୀକ୍ଷାର ଅନ୍ତ । ଜଗତଜନନୀ  ମା’ ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।  ପୀଠେ ମହାନବମୀ ଏବଂ ମଣ୍ଡପରେ ମହାଷ୍ଟମୀ ପୂଜା ନୀତି କାନ୍ତି ଚାଲିଛି । ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗିଛି । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ଭାବ ଭକ୍ତିମୟ ପରିବେଶ । ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ରାତିରେ ସନ୍ଧିପୂଜା, ବଳି ସହ  ଚଣ୍ଡୀପାଠ କରାଯିବ ।

ସୋମବାର ସପ୍ତମୀ ପୂର୍ବାହ୍ଣରେ ଘଟ  ପ୍ରତିଷ୍ଠା ସହ ମା’ଙ୍କ ଚକ୍ଷୁଦାନ ଓ  ପ୍ରାଣପ୍ରତିଷ୍ଠା ହୋଇଥିଲା। ଧରାପୃଷ୍ଠକୁ  ମା’ଙ୍କୁ ଆବାହନ କରିଥିଲେ ଶାସ୍ତ୍ରଜ୍ଞ ପଣ୍ଡିତ । ପରେ ସପ୍ତଶତୀ ଚଣ୍ଡୀପାଠରେ  ପ୍ରକମ୍ପିତ ହୋଇଥିଲା ପୂଜା ମଣ୍ଡପ।  ଦିନତମାମ ମା’ଙ୍କ ଦର୍ଶନ ପାଇଁ ପୂଜା  ମଣ୍ଡପରେ ଅସମ୍ଭାଳ ଭିଡ଼ ଲାଗି ରହିଥିଲା । ସନ୍ଧ୍ୟାରେ ସାରା ସହର  ଏକପ୍ରକାର ଉତ୍ସବମୟ ପାଲଟିଲା ।  ପୂଜା ଜମୁଥିବାରୁ ମନୋରଞ୍ଜନ ପାଇଁ  ବଜାର, ରାମଦୋଳି ଆଦି ଲାଗିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ  ହୋଇଛି । ବିଭିନ୍ନ ରାଜନୈତିକ  ଦଳର ଛାମୁଆ ନେତା ଓ ସରକାରୀ  ଦଳର ମନ୍ତ୍ରୀଗଣ ମଣ୍ଡପ ବୁଲି ମା’ଙ୍କ ଆର୍ଶୀବାଦ ଲୋଡ଼ିଛନ୍ତି ।  ବାଚସ୍ପତି  ସୁରମା ପାଢ଼ୀ, ମନ୍ତ୍ରୀ ସୂର୍ଯ୍ୟବଂଶୀ  ସୂରଜ, ପୃଥ୍ୱୀରାଜ ହରିଚନ୍ଦନ, ସମ୍ପଦ  ସ୍ୱାଇଁ ପ୍ରମୁଖ ଝାରପଡ଼ା ଦୁର୍ଗାପୂଜା  ମଣ୍ଡପ ବୁଲିଥିଲେ ।