ଭୁବନେଶ୍ବର,୧୬।୪ : ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ   ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ଜେଲରୁ ମିଳିଛି ମୁକ୍ତି। କାରାଦଣ୍ଡ ସମୟରେ ଉତ୍ତମ ଆଚରଣ  ପାଇଁ ସରକାର  ମହେନ୍ଦ୍ରଙ୍କ ମୁକ୍ତି ପାଇଁ କରିଥଲେ ସୁପାରିଶ। କୋର୍ଟଙ୍କ  ନିର୍ଦେଶ କ୍ରମେ ସେ ବୁଧବାର ଜେଲରୁ  ମୁକୁଳିଛନ୍ତି। ମହେନ୍ଦ୍ର ୨୦୦୦ ମସିହାରୁ ଦୀର୍ଘ  ୨୫ ବର୍ଷ ଧରି ଆଜୀବନ ସଜ୍ଜା କାଟୁଥିଲେ।  

୧୯୯୯ ମସିହା ୨୨ ତାରିଖ ରାତିରେ ଆନନ୍ଦପୁର ଥାନା ମନୋହରପୁର ଗ୍ରାମରେ ଅଷ୍ଟେ୍ରଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ତାଙ୍କର ୨ ପୁଅ ଫିଲିପ୍ (୧୦ ) ଓ  ଟିମୋଥି (୬)ଙ୍କ ସହ ଗାଡ଼ିରେ ଶୋଇଥିଲେ। ଏହି ସମୟରେ  ଦାରା ସିଂଙ୍କ ନେତୃତ୍ବରେ କିଛି ଲୋକ ଗାଡ଼ିରେ ନିଆଁ ଲଗେଇ ଦେଇଥିଲେ। ଫଳରେ ଗାଡି ଭିତରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।  ଏହି ଘଟଣା ସାରା ବିଶ୍ୱରେ ସେତେବେଳେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। 

ଏହି ମାମଲାରେ ଦାରା ସିଂହ ଏବଂ  ତାଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ପୋଲିସ ଗିରଫ କରିଥିଲା। ୨୦୦୩ରେ ନିମ୍ନ ଅଦାଲତ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । କିନ୍ତୁ ୨୦୦୫ରେ ହାଇକୋର୍ଟ ଦାରା ସିଂଙ୍କ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ଏହି ଆଦେଶ ମଧ୍ୟ ୨୦୧୧ରେ ସୁପ୍ରିମ୍‌କୋର୍ଟ କାଏମ୍‌ ରଖିଥିଲେ । ଦାରାଙ୍କ ସହଯୋଗୀ ମହେନ୍ଦ୍ର ମଧ୍ୟ ଏହି ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ତେବେ ଉତ୍ତମ ଆଚରଣ ପାଇଁ  ମହେନ୍ଦ୍ର ହେମ୍ବ୍ରମଙ୍କୁ ବୁଧବାର ଜେଲରୁ ମୁକ୍ତ କରାଯାଇଛି।