ରାହୁଲଙ୍କୁ ଭେଟିବ ରାଜ୍ୟ ମହିଳା କଂଗ୍ରେସ

ଭୁବନେଶ୍ୱର,୧୯ ।୩(ବ୍ୟୁରୋ): କଂଗ୍ରେସରେ ମହିଳା ପ୍ରାର୍ଥୀଙ୍କୁ ଉପଯୁକ୍ତ ନ୍ୟାୟ ମିଳୁନି । ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାର ୬ଟି ଲୋକସଭା ସିଟ୍ରେ ଜଣେ ବି ମହିଳା ପ୍ରାର୍ଥୀ ସ୍ଥାନ ପାଇନାହାନ୍ତି । ୩୬ଟି ବିଧାନସଭା ସିଟ୍ରେ ମାତ୍ର ଗୋଟିଏ ମହିଳା ମୁହଁ ଦେଖିବାକୁ ମିଳିଛି । ଫଳରେ ଦଳରେ ମହିଳାଙ୍କୁ କୋଣଠେସା କରାଯାଉଛି । ଏହା ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ମହିଳା କଂଗ୍ରେସ ଅଭିଯୋଗ କରିଛି । ତେଣୁ ଏ ବାବଦରେ ଦଳର ମୁଖିଆ ରାହୁଲ ଗାନ୍ଧୀଙ୍କୁ ଭେଟି ଫେରାଦ ହେବେ ବୋଲି ଆଜି ଚେତାବନୀ ଦେଇଛନ୍ତି ଦଳର ମହିଳା ନେତ୍ରୀ । ମହିଳା କଂଗ୍ରେସର ରାଜ୍ୟ ସଭାପତି ସୁମିତ୍ରା ଜେନାଙ୍କଠୁଁ ଆରମ୍ଭ କରି ଗଞ୍ଜାମ ମହିଳା କଂଗ୍ରେସର ଜିଲ୍ଲା ସଭାପତି ସ୍ୱରୂପା ତ୍ରିପାଠୀ ଆଜି ଏଭଳି ବର୍ଷିଛନ୍ତି । ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୁମିତ୍ରା କହିଛନ୍ତି, ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଥିଲା ଏଥର ଅଧିକ ମହିଳା ପ୍ରାର୍ଥୀ ଦେବ କଂଗ୍ରେସ ।
ଦଳକୁ ଅଧିକ ସଂଖ୍ୟାରେ ମହିଳା ଭୋଟ୍ ଆଣିବା ପାଇଁ ହାଇକମାଣ୍ଡ୍ ଏହି ଯୋଜନା କରିଥିଲେ । ପରବର୍ତ୍ତୀ ସମୟରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି. ଡି ସଥୀସାନ୍ ମଧ୍ୟ ସମାନ କଥା କହିଥିଲେ । ସାରା ରାଜ୍ୟରେ ୧୪୭ଟି ବିଧାନସଭା ଆସନ ପାଇଁ ୫୨ ଜଣ ମହିଳା ଆବେଦନ କରିଛନ୍ତି । ଏପରିକି ପ୍ରଥମ ପର୍ଯ୍ୟାୟରେ ଘୋଷିତ ହୋଇଥିବା ୩୬ଟି ଆସନ ପାଇଁ ୧୦ ଜଣ ମହିଳାଙ୍କ ନାମ ସୁପାରିଶ ହୋଇଥିବା ସୁମିତ୍ରା କହିଛନ୍ତି । ହେଲେ ମହିଳାଙ୍କୁ ଟିକେଟ୍ ମିଳିପାରିନଥିବାରୁ ଅସନ୍ତୋଷ ଦେଖା ଦେଇଛି । ଆଗାମୀ ଦିନରେ ଘୋଷଣା ହେବାକୁ ଥିବା ସିଟ୍ଗୁଡିକରେ ମହିଳାମାନଙ୍କୁ ନ୍ୟାୟ ମିଳିବ ବୋଲି ଆଶା କରୁଛି । ନଚେତ୍ ସଭାପତି ରାହୁଲଙ୍କୁ ଭେଟି ଗୁହାରି କରିବୁ ବୋଲି ସୁମିତ୍ରା କହିଛନ୍ତି । ସମାନ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ମହିଳା କଂଗ୍ରେସର ଜିଲ୍ଲା ସଭାପତି ସ୍ୱରୂପା । ସେ ଆସ୍କା ବିଧାନସଭା ସିଟ୍ ପାଇଁ ଆବେଦନ କରିଥିଲେ । ହେଲେ ତାଙ୍କୁ ଟିକେଟ୍ ମିଳିନି । ଦଳ ତାଙ୍କ କଥା ବିଚାର ନ କଲେ, ସେ ଆଗାମୀ ଦିନରେ ଦଳୀୟ ପଦବୀ ଛାଡିବେ ବୋଲି ସୂଚନା ଦେଇଛନ୍ତି ।