ମୁଖ୍ୟମନ୍ତ୍ରୀଙ୍କୁ ନାଲି ଚୁଡ଼ି ଭେଟିଦେବ ମହିଳା ମୋର୍ଚ୍ଚା ‘ପୁଲିସ ମହିଳାଙ୍କ ଏତଲା ରଖୁନି’

ଭୁବନେଶ୍ୱର,୧୯ ।୧(ବ୍ୟୁରୋ): ରାଜ୍ୟରେ ନାବାଳିକାଙ୍କଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ ସବୁ ସ୍ଥାନରେ ନାରୀ ଜାତି ଅସମ୍ମାନିତ ଓ ଅପମାନିତ । ଏଥି ପାଇଁ ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ଏବଂ ପୁଲିସ ପ୍ରଶାସନ ସଂପୂର୍ଣ୍ଣ ରୂପେ ଦାୟୀ । ପ୍ରତିଦିନ ଗଣଧର୍ଷଣ ଏବଂ ସରକାରୀ ହଷ୍ଟେଲରେ ନାବାଳିକା ଗର୍ଭବତୀ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଲାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି ନୀରବଦ୍ରଷ୍ଟା ସାଜିଛନ୍ତି । ଏହା ସତ୍ୱେ ମୁଖ୍ୟମନ୍ତ୍ରୀ ନିଜ ପିଠି ଥାପୁଡେଇ ପୁଲିସ ବିଭାଗକୁ ସାବାସି ଦେଇ ମହିଳାମାନଙ୍କୁ ପୁଣିଥରେ ଅସମ୍ମାନିତ କରିବା ଅତ୍ୟନ୍ତ ନିନ୍ଦନୀୟ । ମହିଳା ଅସୁରକ୍ଷିତ ଥିବାରୁ ଏହାର ପ୍ରତିବାଦରେ ୨୧ରେ ମୁଖ୍ୟମନ୍ତ୍ରୀଙ୍କୁ ନାଲିଚୁଡ଼ି ଦେଇ ପ୍ରତିବାଦ କରାଯିବ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା କହିଛନ୍ତି ।
ଶ୍ରୀମତି ପରିଡ଼ା କହିଛନ୍ତି, ପିପିଲି ପୀଡିତା ବେବିନା ଘଟଣାରେ ପିପିଲି ଆଇଆଇସି କ’ଣ ପ୍ରଶଂସାର ପାତ୍ର କି ? ଏସପିଙ୍କ ଅଫିସରୁ ମାତ୍ର ୫ କିମି ଦୂରରେ ବେଲଟିକିରି ଠାରେ ନାବାଳିକା ଚାଲାଣ, ନାବାଳିକାଙ୍କ ସହ ଯୌନ ବ୍ୟଭିଚାର, ଧର୍ମାନ୍ତରୀକରଣ ଆଦି ଘଟଣା ପାଇଁ ପୁଲିସ ପ୍ରଶଂସା ପାଇବାକୁ କେତେ ଯୋଗ୍ୟ? ବିଜେପି ମହିଳା ମୋର୍ଚ୍ଚା ମହିଳା ସୁରକ୍ଷା ଯାତ୍ରା କରିବା ସମୟରେ ରାଜ୍ୟର ୨୭୨ଟି ଥାନାରେ ପୋଲିସ ମହିଳାଙ୍କ ଏତଲା ରଖୁନାହିଁ । ପୁଲିସର ପ୍ରଶ୍ନ ବାଣରେ ଆଜି ମହିଳା ସମାଜ ଏତଲା ଦେବାକୁ ଭୟ କରୁଛି । ଯେଉଁ ରାଜ୍ୟରେ ପୋଲିସ ମହିଳାଙ୍କୁ ସୁରକ୍ଷା ଦେଇ ପାରୁନି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ପୋଲିସଙ୍କୁ ସାବାସି ଦେଇ ଚାଲିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।