ଏୟାର ଷ୍ଟ୍ରାଇକ ପରେ କହିଲେ ମୋଦି : ମୋତେ ଏ ମାଟିର ରାଣ, ଦେଶକୁ କେବେ ନଇଁବାକୁ ଦେବିନି

ଜୟପୁର,୨୬।୨: ଲୋକସଭା ନିର୍ବାଚନ ୨୦୧୯ରେ ପୁଣିଥରେ କ୍ଷମତାକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ନିର୍ବାଚନୀ ରାଲି କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ରାଜସ୍ଥାନର ଚୁରୁରେ ନିର୍ବାଚନୀ ଜନସଭାରେ ଯୋଗ ଦେଇଥିଲେ। ପାକିସ୍ତାନରେ ଭାରତୀୟ ବାୟୁସେନା ଦ୍ବାରା କରାଯାଇଥିବା ଏୟାର ଷ୍ଟ୍ରାଇକ୍ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ରାଲି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁରୁ ରାଲିରେ କହିଛନ୍ତି ଆଜି ଦେଶର ମିଜାଜ ଅଲଗା ରହିଛି। ପୁରା ଶକ୍ତିର ସହ କୁହନ୍ତୁ ଭାରତ ମାତା କୀ ଜୟ। ମୋଦିଙ୍କ ଏହି ସ୍ଲୋଗାନ ପରେ ସେଠାରେ ଉପସ୍ଥିତ ଲୋକେ ଏକାଠି ଜୟ ଜୟକାର କରିବା ଆରମ୍ଭ କରିଦେଇଥିଲେ। ମୋଦି କହିଥିଲେ ଆସନ୍ତୁ ଏହି କ୍ଷଣକୁ ଆମେ ଭାରତର ପରାକ୍ରମୀ ବୀରଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରିବା। ଦେଶକୁ ବିଶ୍ବାସ ଦେଉଛି ଯେ ଦେଶ ସୁରକ୍ଷିତ ହାତରେ ରହିଛି। ୨୦୧୪ରେ ମୁଁ କହିଥିଲି ମୋତେ ଏ ମାଟିର ରାଣ, ମୁଁ ଦେଶକୁ ନଷ୍ଟ କରିବାକୁ ଦେବିନି, ମୁଁ ଦେଶକୁ ରୋକିବାକୁ ଦେବିନି, ମୁଁ ଦେଶକୁ ତଳକୁ ନୂଆଇଁ ଦେବିନାହିଁ। ଦେଶଠାରୁ ବଡ ଆଉ କିଛି ନାହିଁ। ମୋଦି ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ କବିତା ପଢିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ସୋମବାର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ଦେଶ ଉଦେଶ୍ୟରେ ସମର୍ପଣ କରାଯାଇଥିଲା। ଆମ ପାଇଁ ଦେଶଠାରୁ କିଛି ବଡ ନାହିଁ। ଦେଶର ନିର୍ମାଣରେ ପ୍ରତ୍ୟେକ୍ତ ବ୍ୟକ୍ତିଙ୍କୁ ଆଜି ଏହି ମହତ୍ତ୍ବପୂର୍ଣ୍ଣ ଦିନରେ ପ୍ରଧାନସେବକ ପ୍ରଣାମ କରୁଛି। ମୋ ପାଇଁ ନିଜ ଅପେକ୍ଷା ଦଳ ଓ ଦଳ ଠାରୁ ଦେଶ ବଡ। ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ପୂର୍ବତନ ସୈନିକଙ୍କ ଓଆରପି ଦେବାର ପ୍ରତିଶୃତି ଦେଇଥିଲି। ଆମର ସରକାର ଏ ପର୍ଯ୍ୟନ୍ତ ୩୫ ହଜାର କୋଟି ଟଙ୍କା ଦେଇସାରିଛି। ଆମର ସରକାର କୃଷକଙ୍କ ପାଇଁ ଏପଯ୍ୟନ୍ତ ସବୁଠାରୁ ବଡ ଯୋଜନା ଲାଗୁ କରିଛନ୍ତି। ପ୍ରତି ଛୋଟ କୃଷକଙ୍କ ଖାତାରେ ୬୦୦୦ ଟଙ୍କା ବାର୍ଷିକ ଦିଆଯିବ। ରାଜସ୍ତାନର କଂଗ୍ରେସ ସରକାର ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଲାଭାର୍ଥୀଙ୍କ ଲିଷ୍ଟ ପଠାଇନାହିଁ। ଏହି କାରଣରୁ ଏଠାର କୃଷକଙ୍କୁ ଯୋଜନାର ଲାଭା ମିଳିନାହିଁ। ଆଗାମୀ ୧୦ ବର୍ଷରେ କୃଷକଙ୍କ ଖାତାକୁ ୭.୫ ଲକ୍ଷ ଟଙ୍କା ଦିଆଯିବ। ଏହି ଯୋଜନାରୁ ୧୨ କୋଟି କୃଷକ ପରିବାରକୁ ସିଧା ଲାଭ ମିଳିବ। ରାଜସ୍ଥାନରେ ଆୟୁଷ୍ମାନ ଭାରତ ଯୋଜନାର ଲାଭ ମିଳୁନାହିଁ। କାରଣ ରାଜସ୍ତାନର କଂଗ୍ରେସ ସରକାର ତାଙ୍କୁ ଆଗକୁ ବଢାଇବାକୁ ଦେଉନାହାଁନ୍ତି। ସେ କହିଛନ୍ତି ଆପଣଙ୍କ ଗୋଟେ ଭୋଟ କାରଣରୁ ଦିଲ୍ଲୀରେ ମଜବୁତ ସରକାର ଗଠନ ହୋଇଛି ଓ ଆଶା କରାଯାଉଛି ଆପଣଙ୍କ ଏହି ଭୋଟ ପୁଣିଥରେ ମଜବୁତ ସରକାର ଗଠନ କରିବାର ସୁଯୋଗ ଦେବ। ଏଠାରେ ଉଲ୍ଳେଖନୀୟ ଯେ, ୪ ଦିନ ଭିତରେ ମୋଦିଙ୍କର ଏହା ହେଉଛି ରାଜସ୍ଥାନରେ ଦ୍ବିତୀୟ ସଭା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ସେଠାରେ ପହଁଞ୍ଚିଥିଲେ