ଜଣାଶୁଣା ମାଲାୟାଲମ ହାସ୍ୟ ଅଭିନେତା କେ.ଏସ୍ ପ୍ରେମକୁମାରଙ୍କ ପରଲୋକ, ଦୀର୍ଘ ଦିନ ଧରି ଫୁସ୍ଫୁସ୍ ଜନିତ ରୋଗରେ ଅସୁସ୍ଥ ଥିଲେ…

ନୂଆଦିଲ୍ଲୀ: ଜଣାଶୁଣା ମାଲାୟାଲମ୍ ଅଭିନେତା ତଥା ହାସ୍ୟ ଅଭିନେତା କେ.ଏସ୍ ପ୍ରେମକୁମାରଙ୍କ ୬୮ ବର୍ଷ ବୟସରେ ଦେହାନ୍ତ ହୋଇଛି । କୋଚୁ ପ୍ରେମାନ ନାମରେ ଜଣାଶୁଣା ଏହି ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଶନିବାର ତାଙ୍କର ଦେହାନ୍ତ ହୋଇଛି । ପରିବାର ଲୋକଙ୍କ ଅନୁଯାୟୀ, ସେ ଥିରୁବନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରେମନ୍ ତାଙ୍କ ଦଶନ୍ଧି ଧରି ଅଭିନୟ କ୍ୟାରିୟରରେ ୨୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ତାଙ୍କର ବଳିଷ୍ଠ ଅଭିନୟ ସହିତ ହୃଦୟଷ୍ପର୍ଶୀ କମେଡି ପାଇଁ ଜଣାଶୁଣା ।
ଲୋକପ୍ରିୟ ମାଲାୟାଲମ୍ ହାସ୍ୟ ଅଭିନେତା କୋଚୁ ପ୍ରେମନ୍ ଦୀର୍ଘ ସମୟ ଧରି ଫୁସଫୁସ ଜନିତ ରୋଗରେ ପୀଡିତ ଥିଲେ । ଏହା ପରେ ସେ ଥିରୁବନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ, କିନ୍ତୁ ଶେଷରେ ସେ ଏହି ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । କୋଚୁ ପ୍ରେମନଙ୍କ ମୃତ୍ୟୁରେ ସମଗ୍ର ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ଏହା ସହିତ ଅନେକ ନେତା ଓ ଅଭିନେତା ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି । କୋଚୁଙ୍କ ମୃତ୍ୟୁରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ସମବେଦନା ଜଣାଇଛନ୍ତି । ଚଳଚ୍ଚିତ୍ରରେ ତାଙ୍କର ବ୍ୟଙ୍ଗ ଅଭିନୟ ତାଙ୍କୁ ଇଣ୍ଡଷ୍ଟ୍ରିରେ ଏକ ଲୋକପ୍ରିୟ ଚେହେରା କରିଥିଲା । ସେ ଜଣେ ସଫଳ ଥିଏଟର କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ।