୨୫ ବର୍ଷ ତଳେ ବନ୍ୟା ଜଳରୁ ଛାଣି ଆଣିଥିଲେ ବର୍ଷକର ବାରହା ଛୁଆ, ସ୍ନେହ ଆଦର ପାଇ ମନ୍ଦିର ପୂଜକଙ୍କ ମମତା ଡୋରିରେ ବାନ୍ଧି ହୋଇଯାଇଛି ରାଜୁ…

ମାଲକାନଗିରି, ୨୦/୦୫ : ସଭ୍ୟ ଶିକ୍ଷିତ ସମାଜର ମଣିଷମାନେ ବଡ଼ ହୋଇ ନିଜ ଜନ୍ମକଲା ମା-ବାପାଙ୍କୁ ଭୁଲିଯାଉଛନ୍ତି। ବୃଦ୍ଧାବସ୍ଥା ବେଳେ ସେମାନଙ୍କୁ ହତାଦର କରି ତାଙ୍କୁ ପର କରିଦେଉଛନ୍ତି। ନିଜ ପିଲାମାନେ ବାପା-ମାଆଙ୍କୁ ଅଲୋଡ଼ା କରିଦେଉଥିବା ବେଳେ ଜଙ୍ଗଲର ପଶୁ ବାରହା ଜଣେ ମନ୍ଦିର ପୂଜକକୁ ନିଜର ବାପା ଭଳି ମାନିବା ଓ ପୂଜକ ବାରହାକୁ ନିଜର ସନ୍ତାନ ଭଳି ସ୍ନେହ ଆଦର କରିବା ଘଟଣା ଏବେ ମାଲକାନଗିରି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ମାଲକାନଗିରି ସହର ଜଗନ୍ନାଥ ମନ୍ଦିର ସାହିର ମହେନ୍ଦ୍ର ପାତ୍ରଙ୍କ ନିକଟରେ ପୋଷା ମାନିଛି ଏକ ଜଙ୍ଗଲୀ ବାରହା। ଏହି ବାର୍ହାଟି ମଣିଷଙ୍କ ଭଳି ଖାଦ୍ୟ ଖାଉଛି, ପୁଅ ଭଳି ମହେନ୍ଦ୍ରଙ୍କ ପାଖେପାଖେ ଘୂରି ବୁଲୁଛି।

ରାଜୁ ଓ ମହେନ୍ଦ୍ର ପାତ୍ରଙ୍କ ସମ୍ପର୍କ ୨୫ବର୍ଷ ତଳର। ମାଲକାନଗିରି ସହର ଜଗନ୍ନାଥ ମନ୍ଦିର ସାହିର ମହେନ୍ଦ୍ର ପାତ୍ର ହେଉଛନ୍ତି ମା ମଙ୍ଗଳା ମନ୍ଦିରର ପୂଜକ। ସେ ଦୀର୍ଘ ୨୫ ବର୍ଷ ତଳେ ବନ୍ୟା ଜଳରୁ ଛାଣି ଆଣିଥିଲେ ବର୍ଷକର ବାର୍ହା ଛୁଆକୁ। ତାକୁ ଲାଳନପାଳନ କରି ଛୋଟରୁ ବଡ଼ କରିଥିଲେ। ଆଉ ଶ୍ରଦ୍ଧାରେ ତା ନାଁ ଦେଇଥିଲେ ରାଜୁ। ଛୋଟବେଳେ ରାଜୁ ଛେଳିମେଣ୍ଢାଙ୍କ ପଲ ଭିତରେ ରହି ବଡ଼ ହୋଇଛି। ମାଙ୍କ ମନ୍ଦିରରେ ଭୋଗ ଲାଗିବା ପରେ ରାଜୁ ଖାଇବୁ ଆ କହି ଡାକିଦେଲେ ସେ ଯେଉଁଠି ଥିଲେ ବି ଧାଇଁ ଆସେ। ଆଉ ମହେନ୍ଦ୍ର ରାଜୁକୁ ପ୍ରସାଦ ଖୁଆଇ ଆଉଁଶି ଦିଅନ୍ତି। ପୁଅ ଭଳି ସ୍ନେହ ଆଦର ପାଇ ମହେନ୍ଦ୍ରଙ୍କ ଆଗପଛରେ ଘୂରି ବୁଲେ ରାଜୁ।

ମଣିଷ ଛୁଆ ପରି ଆଇସ୍କ୍ରିମ୍, ବିସ୍କୁଟ, ଚକଲେଟ୍, ମନ୍ଦିରର ଭୋଗ ଏବେ ରାଜୁର ପ୍ରିୟ ଖାଦ୍ୟ । ରାଜୁ ବଡ଼ ହୋଇଗଲା ପରେ ବନଭିଭାଗ କେସ୍ ଭୟରେ ରାଜୁକୁ ନେଇ ଜଙ୍ଗଲରେ ଛାଡି ଦେଇଥିଲେ ମହେନ୍ଦ୍ର। ହେଲେ ରାଜୁ ତାର ସାଙ୍ଗସାଥୀଙ୍କ ସହିତ ମିଶି ସାରି ଖାଇବା ସମୟ ହୋଇଗଲେ ପୁଣି ମନ୍ଦିର ନିକଟକୁ ଫେରି ଆସିଥାଏ। ଆଉ ମହେନ୍ଦ୍ରଙ୍କ ହାତରୁ ଖାଦ୍ୟ ଓ ଭୋଗ ଖାଇ ଜଙ୍ଗଲକୁ ଚାଲିଯାଇଥାଏ ବୁଲିବାକୁ। ଆନେକ ଥର ଜଙ୍ଗଲ ଭିଭାଗର ଅଧିକାରୀମାନେ ରାଜୁକୁ ଧରି ନେଇ ଜଙ୍ଗଲରେ ଛାଡିବା ଉଦ୍ୟମ କରି ବିଫଳ ହୋଇଥିବା କୁହନ୍ତି ମହେନ୍ଦ୍ର ପାତ୍ର । ଆଉ ଏବେ ଏହି ବିଶାଳକାୟ ବାରହାଟି ମାଲକାନଗିରି ସହର ସହ ପାଖ ମଲ୍ଲିକେଶ୍ୱର ପର୍ବତରେ ଅଣାୟାସରେ ଘୁରି ବୁଲୁଥିଲେ ମଧ୍ୟ କକାହାରିକୁ କିଛି କ୍ଷଥିକରୁ ନାହିଁ। ଲୋକଙ୍କ ହାତରୁ ବିସ୍କୁଟ, ଆଇସକ୍ରିମ୍ ଖାଇ ଖୁସି ହୋଇ ଘଷି ହୋଇ ମୁଣ୍ଡ ହଲେଇ ଜଙ୍ଗଲକୁ ପଳାଇଥାଏ।
ଏହି ଘଟଣା ଏବେ ସମଗ୍ର ମାଲକାନଗିରି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ମହେନ୍ଦ୍ର ଜଣେ ପଶୁପକ୍ଷୀ ପ୍ରେମୀ ହୋଇଥିବାରୁ ସେ ନିଜେ ବିବାହ ନକରି ମା ମଙ୍ଗଳଙ୍କ ପୂଜା କରିବା ସହ ଜଙ୍ଗଲର ପଶୁପକ୍ଷୀଙ୍କର ସେବାରେ ଲାଗିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।