ମାଲକାନଗିରି,୨୭/୧ : ମାଲକାନଗିରି ଜିଲ୍ଲା ସଦର ମହାକୁମା ଜୟପୁରିଆଗୁଡାଠାରେ ପ୍ରତିଷ୍ଟିତ ମୁକାଲରାଜ ଭୈରବୀ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ମୁକା ଦେବତା ମାଘ ଯାତ୍ରା ଓ ପାହନ୍ଦି କୁପାର ଲିଙ୍ଗ ସିରାୱାର୍ଡେଶଙ୍କ ସମାବେଶ। ମହୁରୀ ଢୋଲ ମାଦଳ ଦିଶାରୀ କାଳସି ନାଟରେ ଦୁଲୁକୁଛି ରାଜ ରାସ୍ତା ଓ ମୁକା ଦେବତା ପୀଠ । ଯାତ୍ରା ଲାଗି ପୂର୍ବରୁ ମୁକା ଦେବତା ଯାତ୍ରା କମିଟି ପକ୍ଷରୁ ବିଭିନ୍ନ ଗ୍ରାମର ଦେବାଦେବୀ ପୀଠ ଓ ଗାଁରୁ ପୂଜକ, ଦିଶାରୀ, ଚଲାଣ, ନାୟକ, ଶିରା, ଢ଼ୋଲିଆ, ମହୁରିଆ, ଗାଁ ମୁଖିଆଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ମାଲକାନଗିରିର ଗଣପର୍ବ ବଡ଼ ଯାତ୍ରା ପ୍ରତି ଦୁଇ ବର୍ଷରେ ପାଳନ ହେବା ପରି, ଏହି ମୁକାଲ ଦେବତା ମାଘ ଯାତ୍ରା ମଧ୍ୟ ଠିକ୍ ସେହିପରି ପାଳନ ହେବା ପାଇଁ ନିଷ୍ପତ୍ତି ନିଆ ଯାଇଥିବା ମୁକାଲ ଦେବତା ଯାତ୍ରା କମିଟିର ସଭାପତି ଇର୍ମା ମାଡ଼ି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଏହି ଯାତ୍ରା ନୂଆ କରି ମାଲକାନଗିରି ସହରରେ ଆରମ୍ଭ ହୋଇଛି । ଜିଲ୍ଲାର ୭ଟି ମୁଠା ମାଲକାନଗିରି, ପଡ଼ିଆ, କାଲିମେଳା, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି ଅଞ୍ଚଳରୁ ସମସ୍ତ ଦେବା ଦେବୀ ପୀଠରୁ ପ୍ରାୟ ୭ଶହରୁ ଊର୍ଦ୍ଧ୍ବ ଲାଠି ଓ ସିରୁଆ, ପୂଜାରୀ, ୱାର୍ଡେମାନେ ଏହି ଯାତ୍ରାରେ ଯୋଗଦେବେ ବୋଲି ସମ୍ପାଦିକା ଶୁକ୍ରି ମାଡକାମୀ, ଲବ ପଡିଆମୀ, ସିନ୍ଦିରୀ ମାଳ ପଞ୍ଚାୟତ ସରପଞ୍ଚ ଘାସି ନାୟକ, ପ୍ରମୋଦ ପଡ଼ିଆମୀ କହିଛନ୍ତି ।
ସୋମବାର ରାତିରେ ଦୀର୍ଘ ୭୦କିଲୋମିଟର ଦୂର ପଡିଆ ବ୍ଲକସ୍ଥ କମାର ଗୁଡାଗ୍ରାମରୁ ପାରା ଲାମା ଦେବୀ ଶୋଭାଯାତ୍ରାରେ ଆସି ମାଉଲି ମା’ ମନ୍ଦିରରେ ପହଁଚିଥିଲେ । ଆଜି ସକାଳୁ ଭୈରବୀ ମନ୍ଦିର ଓ ମାଉଲି ମା’ ମନ୍ଦିରରୁ ବିରାଟ ଶୋଭାଯାତ୍ରା ବାହାରି ଦେବାଦେବୀଙ୍କ ଲାଠି ପାଳଙ୍କି ଜୟପୁରିଆଗୁଡା ପୀଠରେ ପହଁଚି ଭୋଗ ପାଇଛନ୍ତି । ଏହି ଶୋଭାଯାତ୍ରାରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଆଦିବାସୀ ନେତା ପୂଜାରି ଦିଶାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଅଞ୍ଚଳର ଦେବୀଙ୍କ ପ୍ରତୀକ ଲାଠି, ଚୌକି, ଶୋଭାଯାତ୍ରା କରି ମାଉଲି ମା’ଙ୍କ ଆଜ୍ଞାମାଳକୁ ପୀଠରେ ସ୍ଥାପନ କରାଯାଇଥିଲା। ଏଠାରେ ମା'ଙ୍କ ଶକ୍ତି ପ୍ରଦର୍ଶନ କରାଯିବା ସହ ମା'ଙ୍କ ପୀଠରେ ପୂଜାର୍ଚ୍ଚନା ହୋଇଥିଲା। ଶିରା ଓ କାଳସି ନାଟ, ସେବକ କଣ୍ଟା ଦୋଳିରେ ଝୁଲିବା, ଲୁହା ଶିକୁଳି ପିଠିରେ ବାଡେଇ ହେବା ଓ ନାଟ କରିବା ମୁଖ୍ୟ ଆକର୍ଷଣ ଥିଲା । ଲାଠି ଗୁଡ଼ିକ ପୀଠର ମୁଖ୍ୟ ପୂଜାରୀ ଇର୍ମା ମାଡ଼ି,ଲବ ପଡିଆମୀ, ଇଙ୍ଗା କବାସୀ, ବଣ୍ଡା ମାଝୀ, ଶିବ ମାଡକାମୀ ପ୍ରମୁଖ ଗ୍ରାମବାସୀ ଦିଶାରୀ ପୂଜାରୀ ମାନେ ଦେବାଦେବୀଙ୍କୁ ପାଛୋଟି ଆଣିଥିଲେ।