ନୂଆଦିଲ୍ଲୀ : ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମମତା ବାନାର୍ଜୀ ରଣହୁଙ୍କାର ଦେଇଛନ୍ତି। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଶନିବାର ପଶ୍ଚିମବଙ୍ଗର ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ ହୋଇ ଏକ ମିଳିତ ମଞ୍ଚ ଗଠନ କରିବାକୁ ନିବେଦନ କରିଛନ୍ତି, ଯାହାଦ୍ୱାରା ବିଜେପିର ମୁକାବିଲା କରାଯାଇ ପାରିବ। ସୂଚନାଯୋଗ୍ୟ ଯେ, ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରେ ବିଜେପି ରାଜ୍ୟରେ କ୍ଷମତାସୀନ ହୋଇଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପିକୁ ବିରୋଧ କରୁଥିବା ଭିନ୍ନ ଭିନ୍ନ ବିଚାରଧାରାର ଛାତ୍ର ସଂଗଠନ ଏବଂ NGO ଗୁଡ଼ିକୁ ମଧ୍ୟ ଗେରୁଆ ଦଳ ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି।
ରାଜ୍ୟରେ ବିଜେପିର ପ୍ରଥମ ସରକାର ଶପଥ ଗ୍ରହଣ କରୁଥିବା ଦିନ ହିଁ ମମତା ଏହି ବୟାନ ଦେଇଛନ୍ତି। ବାନାର୍ଜୀ କହିଛନ୍ତି, "ମୁଁ ବାମପନ୍ଥୀ ଏବଂ ଅତି-ବାମପନ୍ଥୀଙ୍କ ସମେତ ସମସ୍ତ ବିରୋଧୀ ଦଳଙ୍କୁ ନିବେଦନ କରୁଛି ଯେ ବିଜେପି ବିରୋଧରେ ଏକ ମିଳିତ ମଞ୍ଚ ଗଠନ ପାଇଁ ସମସ୍ତେ ଏକାଠି ହୁଅନ୍ତୁ।" ସେ ଜାତୀୟ ଦଳଗୁଡ଼ିକୁ ମଧ୍ୟ ଏଥିରେ ସାମିଲ ହେବାକୁ କହିଛନ୍ତି।
ଟିଏମସି ମୁଖ୍ୟ କହିଛନ୍ତି ଯେ , ଯଦି କୌଣସି ରାଜନୈତିକ ଦଳ ଏହି ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା କରିବାକୁ ଚାହାଁନ୍ତି, ତେବେ ସେ ସେମାନଙ୍କ ସହ କଥା ହେବେ। କବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ଅବସରରେ କାଳୀଘାଟସ୍ଥିତ ନିଜ ବାସଭବନ ସମ୍ମୁଖରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, "ଏହା ଭାବିବାର ସମୟ ନୁହେଁ ଯେ, ଶତ୍ରୁର ଶତ୍ରୁ ମୋର ବନ୍ଧୁ। ଆମର ପ୍ରଥମ ଶତ୍ରୁ ହେଉଛି ବିଜେପି।"
ସେ ଦାବି କରିଛନ୍ତି ଯେ ନିର୍ବାଚନ ଫଳାଫଳ ପରେ ସାରା ରାଜ୍ୟରେ ଟିଏମସି କର୍ମୀ ଓ ସମର୍ଥକଙ୍କ ଉପରେ ଅତ୍ୟାଚାର କରାଯାଉଛି। ସେ କହିଛନ୍ତି ଯେ କିଛି ଖରାପ ଲୋକ ବିଜେପି ଶିବିରରେ ପଶି ଗୁଣ୍ଡାଗର୍ଦ୍ଦି କରୁଛନ୍ତି। ପଶ୍ଚିମବଙ୍ଗରେ ବିଜେପି ବହୁମତ ସହ ବିଜୟ ହାସଲ କରିଛି। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ୨୦୭ଟି ସିଟ୍ ଜିତି ବିଜେପି ପ୍ରଥମ ଥର ପାଇଁ ସରକାର ଗଢ଼ିଥିବା ବେଳେ TMC କୁ ୮୦ଟି ସିଟ୍ ମିଳିଛି।
ମମତା ବାନାର୍ଜୀ ସୂଚନା ଦେଇଛନ୍ତି ଯେ ନିର୍ବାଚନ ପରେ ଅନେକ ବିରୋଧୀ ଦଳର ନେତା ତାଙ୍କ ସହ ଯୋଗାଯୋଗ କରିଛନ୍ତି।ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ସହ କଥା ହୋଇଛନ୍ତି। ଶିବସେନା (ୟୁବିଟି) ପ୍ରମୁଖ ଉଦ୍ଧବ ଠାକରେ ଏବଂ ତେଜସ୍ୱୀ ଯାଦବ ତାଙ୍କୁ ସନ୍ଦେଶ ପଠାଇଥିବା ବେଳେ ସପା ନେତା ଅଖିଳେଶ ଯାଦବ କୋଲକାତା ଆସି ତାଙ୍କୁ ସାକ୍ଷାତ କରିଛନ୍ତି। ସେ ସମସ୍ତଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏହା ସହ ମଧ୍ୟ ପଢନ୍ତୁ : ବଙ୍ଗଳାରେ ବିଜେପିର ବିଜୟ ଶଙ୍ଖନାଦ, ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ