କୋଲକତା ଉପରେ ଏବେ ସାରା ଦେଶର ଆଖି । ମୋଦି ବନାମ ଦିଦି । ମମତାଙ୍କ ୱିକେଟ୍ ପଡ଼ିଲେ ପଦ୍ମ ଦଳ ବଙ୍ଗରେ ଆରମ୍ଭ କରିବ ବହୁ ପ୍ରତିକ୍ଷୀତ ନୂଆ ଇନିଂସ । ଦିଦି ଯଦି ବାଜି ମାରିନେବେ, ଦେଶରେ ବିଜେପି ବିରୋଧୀ କ୍ୟାମ୍ପର ବଢ଼ିବ ବଳ । ବିଜେପି ପାଇଁ ସ୍ୱପ୍ନ ହୋଇ ରହିଯିବ ବଙ୍ଗଳା ବିଜୟ ।

ପ୍ରଥମ ଦଫା ଭୋଟ ସରିଛି । ଦ୍ୱିତୀୟ ଦଫା ପାଇଁ ସରିଛି ସମରସଜ୍ଜା । କିଏ ମାରିବ ବାଜି । କିଏ ପିନ୍ଧିବ କୋଲକତା ବିଜୟ ମୁକୁଟ । କବ୍ଜା କରିବ ପଶ୍ଚିମବଙ୍ଗ । ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ବିଜେପି ବନାମ ଟିଏମସି । ମୋଦି ବନାମ ଦିଦି । ନାହିଁ ନଥିବା ତାତି । ଦିଦିଙ୍କ ଦୁର୍ଗ ଦଖଲ କରିବାକୁ ବିଜେପି ରାତି ଦିନ ଏକ କରିଛି । ଟିଏମସି ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ନଛୋଡ଼ବନ୍ଦା । ମୁଖ୍ୟମନ୍ତ୍ରୀ ଚଉକିକୁ ପୁଣି ଫେରି ବିଜେପି ମୁହଁରେ ଚୂନ କାଳି ବୋଳିବାକୁ ରାଣ ଖାଇଛନ୍ତି । ସଭା, ଶୋଭାଯାତ୍ରା, ଶକ୍ତିପ୍ରଦର୍ଶନକୁ ନେଇ ବଙ୍ଗଳାର ଚିତ୍ର ବିସ୍ଫୋରକ । ଏ ଭୋଟ ବିଶ୍ୱକପରେ କିଏ ହେବ ଚାମ୍ପିୟନ....କିଏ ରନର୍ସ ଅପ୍ ତା'କୁ ନେଇ ଆରମ୍ଭ ହୋଇଛି ହିସାବ ନିକାସ ।

ନିର୍ବାଚନ ପାଇଁ କମ୍ପୁଛି ବଙ୍ଗ । ଭୋଟ ଗର୍ଜନ ତର୍ଜନକୁ ନେଇ କାନ ତାବଦା । ବେଙ୍ଗଲର ମନ ଜିଣିବାକୁ ମନମତାଣିଆ ଭାଷଣ ସାଙ୍ଗକୁ କିମିଆ କଲାଭଳି ପ୍ରତିଶ୍ରୁତି । ବିଜେପି ଓ ଟିଏମସି ଲଗାଇଛନ୍ତି ଜି ଜାନ୍ । ଗଡ଼ ଦଖଲ କରିବାକୁ ଖେଳୁଛନ୍ତି ପଲିଟିକସ୍ର ନୂଆ ଗେମ୍ । ମାଟି କାମୁଡ଼ି ପଡ଼ିଥିବା କଂଗ୍ରେସ ଓ ବାମ ଦଳ ମଧ୍ୟ ଝାଡ଼ିଝୁଡ଼ି ହୋଇ ଉଠିଛନ୍ତି । ସାଂପ୍ରଦାୟିକତା କାର୍ଡ ଖେଳି ଭୋଟ ଭିଡ଼ିବାକୁ ଅୱେସି, ଅଦ୍ଦାକ ସିଦ୍ଦିକଙ୍କ ଦଳ ମଧ୍ୟ ଆଶା ବାନ୍ଧିଛି ।

ହିନ୍ଦୁତ୍ୱ ବନାମ ବାଂଲାଦେଶୀ

ଦିଦିରେ ଦାୟ ନା ମୋଦିରେ? ଦିଦି ପୁଣି କମବ୍ୟାକ୍ କରିବେ ନା ପଦ୍ମ ଦଳ ଉଡ଼ାଇବ ଗେରୁଆ ବାନା? ବେଙ୍ଗଲ ବିଗଫାଇଟକୁ ନେଇ ରାଜନୈତିକ ପାଣିପାଗ ପୂରା ତତଲା । ମମତାଙ୍କ ମୁସଲମାନ ଭୋଟବ୍ୟାଙ୍କ ସମୀକରଣକୁ ଭେଦ କରିବାକୁ ବିଜେପି ଆପଣାଇଛି ରଣକୌଶଳ । ମୁସଲମାନ ଭୋଟର ଯେଉଁଠି ଅଧିକ, ସେଇଠି ଆଣ୍ଠଉଛି ପଦ୍ମ । ବଡ଼ ଭୋଟ ବ୍ୟବଧାନରେ ପରାଜୟ ସହୁଛି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଭୋଟ ଦିଦିଙ୍କ ପାଇଁ ବଡ଼ ସମ୍ପତ୍ତିି ପାଳଟିଛି । ଏହାର ମୁକାବିଲା ପାଇଁ ବିଜେପି ‘ଜୟ ଶ୍ରୀରାମ’ କହୁଛି । ହିନ୍ଦୁତ୍ୱ କାର୍ଡ ଖେଳୁଛି ।

୨୭ ପ୍ରତିଶତ ମୁସଲିମ ଭୋଟରଙ୍କ ସମର୍ଥନ । ୧୫ ବର୍ଷ ଧରି କ୍ଷମତାରେ ଦିଦି । ୭୦ ପ୍ରତିଶତ ହିନ୍ଦୁ ଭୋଟର ଯେଉଁଥିରେ ଫେଲ୍, କମ ସଂଖ୍ୟକ ମୁସଲିମ ଭୋଟର କିନ୍ତୁ କରୁଛନ୍ତି କମାଲ । ବଙ୍ଗଳାରେ ମୁସଲିମ୍ ଭୋଟ୍ ସବୁବେଳେ ନିର୍ଣ୍ଣାୟକ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଥଇଥାନ ସହ ସରକାରୀ ସୁବିଧା ଦେଇ ମମତା କ୍ଷମତା ହାସଲ କରୁଛନ୍ତି । ଏ ଅଭିଯୋଗ କରୁଛି ବିଜେପି । ଟିଏମସି ସରକାର ମସଜିଦ୍ର ଇମାମ ଓ ମୁଆଜିନଙ୍କୁ ମାସିକ ଭତ୍ତା ଦେଉଛି । ମଦ୍ରାସା ବୋର୍ଡ ଅନୁଦାନ ପାଇଁ ଖୋଲିଛି ଭଣ୍ଡାର । ଉର୍ଦ୍ଦୁକୁ ମିଳିଛି ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ମମତାଙ୍କ ଏ ଅହେତୁକ ଅନୁକମ୍ପା ତାଙ୍କ ପାଇଁ ତିଆରି କରିଛି କ୍ଷମତାର ଅଭେଦ୍ୟ ଦୁର୍ଗ । ବଙ୍ଗଳାର ୨୯୪ଟି ବିଧାନସଭା ସିଟ୍ରୁ ପ୍ରାୟ ୯୦ ସିଟ୍ରେ ମୁସଲିମ୍ ଭୋଟର ହେଉଛନ୍ତି ଭାଗ୍ୟବିଧାତା । ୨୦୧୧ରେ ୨୫ ଜଣ ମୁସଲମାନ ବିଧାୟକ ଥିଲେ । ଏବେ ସଂଖ୍ୟା ୪୪ । ସେଥିରୁ ଟିଏମସିର ୪୩ । ମମତା ପଶ୍ଚିମବଙ୍ଗରେ ସିଏଏ କିମ୍ବା ଏନଆରସି ଲାଗୁ କରାଇଦେବେନି ବୋଲି ବଜ୍ର ଶପଥ ନେଇ ମୁସଲିମଙ୍କ ପାଖରେ ତ୍ରାଣକର୍ତ୍ତା ଭାବେ ଉଭା ହୋଇଛନ୍ତି । ଲକ୍ଷ୍ୟ ଗୋଟିଏ, ୪ର୍ଥ ଥର ପାଇଁ ବଙ୍ଗଳା ଗାଦି । ମମତାଙ୍କ ଗଣିତ ସରଳ । ଯଦି ସେ ଏହି ୩୦% ଭୋଟ୍କୁ ଏକଜୁଟ୍ କରି ରଖିବେ, ତେବେ ୭୦% ହିନ୍ଦୁ ଭୋଟ୍ ବିଭାଜିତ ହେଲେ ବି ଟିଏମସି ସହଜରେ ଜିତିଯିବ । ଏଥର କିନ୍ତୁ ଚିତ୍ର ଭିନ୍ନ । ଏସଆଇଆରରେ ବଙ୍ଗଳା ଭୋଟର ତାଲିକାରୁ କାଟିଛି ୫୪ ଲକ୍ଷ ନାଁ । ଏଥିରେ ବାଂଂଲାଦେଶୀଙ୍କର ସିଂହଭାଗ । ବିଜେପି ମମତାଙ୍କ ଏ ମୁସଲମାନ ଗଣିତକୁ ଓଲଟପାଲଟ କରିବାକୁ ‘ହିନ୍ଦୁତ୍ୱ’କୁ କରିଛି ଟ୍ରମ୍ପକାର୍ଡ ।

ମୋଦିଙ୍କ ‘ଝାଲମୁଢ଼ି’ ଫର୍ମୁଲା

କଂଗ୍ରେସ ମୁକ୍ତ ଭାରତ କେବଳ ନୁହେଁ, ବିଜେପି ଯୁକ୍ତ ପୂର୍ବ ଭାରତ । ଏ ମିଶନରେ ପଦ୍ମ ଦଳ ସଫଳ ହୋଇଛି । ପୂର୍ବ ଭାରତର ଅସଲ ଦୁର୍ଗ ପଶ୍ଚିମବଙ୍ଗରେ ଦଳର କୌଶଳ ଏଯାଏଁ କାଟୁ କରିନି । କୋଲକତା ଦଖଲ କରିବାକୁ ବିଜେପିର ଲକି ମାସ୍କଟ ମୋଦି, ଷ୍ଟ୍ରାଟେଜିଷ୍ଟ ଇନ୍ ଚିଫ୍ ଅମିତ୍ ଶାହଙ୍କ ବ୍ଲୁପ୍ରିଣ୍ଟ ଆଧାରରେ ଦଳ ପାଗ ଭିଡିଛି । ନିଜେ ମୋଦି ଦଳୀୟ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିବା ସହ ବଙ୍ଗବାସୀଙ୍କ ଭାବପ୍ରବଣତା ଭିଡ଼ିବାକୁ ସବୁ କୌଶଳ କରିଛନ୍ତି । ମୋଦି ଭୋଟ ରାଲିରେ ଆସି ‘ଝାଲମୁଢ଼ି’ ଖାଇବାର ଭିଡିଓ ବଙ୍ଗ ରାଜନୀତିରେ ବଡ଼ ପ୍ରଭାବ ପକାଇଛି ।

ମୋଦିଙ୍କ ଝାଲମୁଢ଼ି ଭିଡିଓ ଭାଇରାଲ ହୋଇଛି । ଗୁଗୁଲରେ ରେକର୍ଡ ସର୍ଚ୍ଚ ହେଉଛି । ଏହା ବଦଳାଇବ କି ବଙ୍ଗ ଭୋଟରଙ୍କ ମୁଡ୍? ପଶ୍ଚିମବଙ୍ଗରେ ‘ଝାଲମୁଢ଼ି’ କେବଳ ଖାଦ୍ୟ ନୁହଁ, ଆବେଗ । ପରିବାରରେ ସନ୍ଧ୍ୟାର ପ୍ରିୟ ଖାଦ୍ୟ । ଝାଲମୁଢ଼ି ଖାଇ ମୋଦି ଇଣ୍ଟରନେଟରେ କରିଛନ୍ତି ସର୍ଜିକାଲ ଷ୍ଟ୍ରାଇକ୍ । ସୋସିଆଲ ମିଡିଆରେ ୩୨ କୋଟି ଲୋକ ଏ ଭିଡିଓକୁ ଦେଖିଲେଣି । କୋଟବଙ୍ଗଳାର ସଂସ୍କୃତି ସହ ଯୋଡ଼ି ହୋଇ ଭୋଟ ଭିଡ଼ିବାରେ ମୋଦିଙ୍କ କୌଶଳ ଟିଏମସି ଶିବିରକୁ ଚିନ୍ତାରେ ପକାଇଛି । ପ୍ରଧାନମନ୍ତ୍ରୀଙ୍କ ଭୋଟସଭାରେ ଲୋକଙ୍କ ଭିଡ଼ ମଧ୍ୟ ଦିଦିଙ୍କ କ୍ୟାମ୍ପର ନିଦ ହଜାଇଛି ।

ବିଜେପି ଏଥର ଦିଦିଙ୍କୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ଗ୍ରହଣ କରି ରଣ କୌଶଳ ଆଦରିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳର ପ୍ରମୁଖ ଷ୍ଟାର ପ୍ରଚାରକମାନେ ଘନ ଘନ ଭୋଟଭିକ୍ଷା କରିଛନ୍ତି । ମମତାଙ୍କ ‘ଜଙ୍ଗଲରାଜ’ର ପୋଲ ଖୋଲିଛନ୍ତି । ଦିଦିଙ୍କ ପାଇଁ ବଙ୍ଗଳାରେ ବିକାଶର ସୂର୍ଯ୍ୟୋଦୟ ହେଉନି ବୋଲି ପାପ ବି ବୋଳୁଛନ୍ତି । ମା..ମାଟିି..ମାନୁଷ, ଖେଲା ହୋବେ ସ୍ଲୋଗାନ ଦେଇ ଅତୀତରେ ଭୋଟରଙ୍କ ମନ ଜିଣିଥିବା ଦିଦି ଏଥର ‘ବୋଦୋଲ ନଏ, ବୋଦଲା ଚାଏ’ର ଅପିଲ୍ କରିଛନ୍ତି । ଭୋଟରଙ୍କୁ କହୁଛନ୍ତି ବିଜେପିକୁ ପଚାର, କିଏ ତାଙ୍କର ମୁଖ୍ୟମନ୍ତ୍ରୀ ଚେହେରା?

ସାରା ଦେଶର ଆଖି

କୋଲକତା ଉପରେ ଏବେ ସାରା ଦେଶର ଆଖି । ମମତାଙ୍କ ୱିକେଟ୍ ପଡ଼ିଲେ ପଦ୍ମ ଦଳ ବଙ୍ଗରେ ଆରମ୍ଭ କରିବ ବହୁ ପ୍ରତିକ୍ଷୀତ ନୂଆ ଇନିଂସ । ଦିଦି ଯଦି ବାଜି ମାରିନେବେ ଦେଶରେ ବିଜେପି ବିରୋଧୀ କ୍ୟାମ୍ପର ବଢ଼ିବ ବଳ । ବିଜେପି ପାଇଁ ସ୍ୱପ୍ନ ହୋଇ ରହିଯିବ ବଙ୍ଗଳା ବିଜୟ । ଦେଶରେ ବିଜେପି ଓ ମୋଦି ବିରୋଧୀ ତଗଡ଼ା ସ୍ୱରରେ ଶୀର୍ଷରେ ଅଛନ୍ତି ମମତା । କେନ୍ଦ୍ରକୁ ମୁହଁତୋଡ଼ ଜବାବ ଦେବାରୁ ଆରମ୍ଭ କରି ପ୍ରମୁଖ ପ୍ରସଙ୍ଗରେ ଦିଦି ସିଧାସଳଖ ମୋଦି ଓ ଶାହଙ୍କ ଉପରେ ହମ୍ଲା କରୁଛନ୍ତି । ବାଘୁଣୀ ଦିଦିଙ୍କୁ ଶକ୍ତିହୀନ କରିବାକୁ ବିଜେପି ସବୁ ବଳ ଲଗାଇ ଭୋଟ ଲଢ଼ୁଛି । ମମତାଙ୍କ ଠାରୁ କଳାହରଣ ସହ ପଶ୍ଚିମବଙ୍ଗର ଗାଦି ଦଖଲ କରିବାକୁ ବିଜେପି କିଛି ବି ସୁଯୋଗ ହାତଛଡ଼ା କରୁନି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଆତ୍ମବିଶ୍ୱାସର ସହ ଭବିଷ୍ୟବାଣୀ କରୁଛନ୍ତି, ଦିଦି ହାରିବା ନିଶ୍ଚିତ । କୋଲକତା ଦେଖିବ ବିକାଶର ନୂଆ ଶାସନ ।

ଫେବିକଲର ମଜଭୁତ ଯୋଡ଼ ଦିଦିଙ୍କ ଦୁର୍ଗରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ନୂଆ ଖେଳାଳି । ଇଣ୍ଡିଆନ୍ ସେକୁଲାର୍ ଫ୍ରଣ୍ଟର ଅବାସ ସିଦ୍ଦିକି, ଏଆଇଏମଆଇଏମ୍ ଓୱୈସୀ ଏବେ ମୁସଲିମ୍ ଯୁବକମାନଙ୍କୁ ଜାଲ ଫିଙ୍ଗୁଛନ୍ତି । ଏମାନେ ଯଦି ମୁସଲିମ ଭୋଟବ୍ୟାଙ୍କରେ ଭାଗ ବସାନ୍ତି ତେବେ ମମତାଙ୍କ କ୍ଲିନ୍ ସୁଇପର ଗଣିତ ବିଗିଡ଼ି ଯାଇପାରେ ବୋଲି ରାଜନୀତି ବିଶାରଦ କହୁଛନ୍ତି । ସେମାନଙ୍କ ଯୁକ୍ତି, ବିଜେପି ହିନ୍ଦୁତ୍ୱର ସୁନାମି ମମତାଙ୍କ ଦୁର୍ଗକୁ ଘେରିଛି । ବେକାରୀ, ରାଜନୈତିକ ହିଂସା, ସଂଖ୍ୟାଲଘୁ ତୁଷ୍ଟୀକରଣ ବିଜେପି ସପକ୍ଷରେ ଭୋଟରଙ୍କୁ ଭିଡ଼ୁଛି । ଅନ୍ୟପଟେ ‘କନ୍ୟାଶ୍ରୀ’, ‘ଲକ୍ଷ୍ମୀଭଣ୍ଡାର’ ଭଳି ଯୋଜନା, ଦୁର୍ବଳ ବିରୋଧୀ, ରାଜନୈତିକ କୌଶଳ ଦିଦିଙ୍କ ଗାଦିକୁ ସୁରକ୍ଷା ଦେବାରେ ବଡ଼ ଭୂମିକା ତୁଲାଇବ । ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାର ୧୫୨ ଆସନରେ ସରିଛି ମତଦାନ । ୯୨ ପ୍ରତିଶତର ରେକର୍ଡ ମତଦାନ ହୋଇଛି । ରାଜ୍ୟର ବିଧାନସଭା ଭୋଟରେ ଦଳ ମ୍ୟାଜିକ୍ ନମ୍ବର ଛୁଇଁବ, ପଦ୍ମ ପାର୍ଟି ଆଗୁଆ ଏ ଅଙ୍କ କଷିଛି । ଟିଏମସି କିନ୍ତୁ କହୁଛି-ଫିର ଏକ ବାର୍, ଦିଦି ସରକାର । ନିଷ୍ପତ୍ତି କିନ୍ତୁ ସର୍ବଶକ୍ତିମାନ ଭୋଟରଙ୍କ ହାତରେ । ଏବେ ମେ ୪ ଭୋଟ ଗଣତିକୁ ଅପେକ୍ଷା ।