ମୋରବି,୧୭/୦୫: ଗୁଜରାଟର ମୋରବିରେ ଏକ ଅଭାବନୀୟ ଘଟଣା ଘଟିଛି । ଘରଭଡ଼ା ଦେଇ ନ ପାରି ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଝିଅକୁ ଘର ମାଲିକଙ୍କ ହାତରେ ଟେକିଦେବା ଏବଂ ଉଭୟ ଦୁଷ୍କର୍ମ ଶିକାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଭଡ଼ା ବଦଳରେ ଘର ମାଲିକ ବ୍ୟକ୍ତି ଜଣକ ଠାରୁ ସହମତି ନେଇ ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ତାଙ୍କ ଝିଅକୁ ବି ଦୁଷ୍କର୍ମ କରିଥିଲେ । ଅଭିଯୋଗ ହେବା ପରେ ପୁଲିସ ଘର ମାଲିକ, ପୀଡ଼ିତାଙ୍କ ସ୍ୱାମୀ ଏବଂ ଅନ୍ୟ ଜଣଙ୍କ ବିରୋଧରେ ମାମଲା ଦାୟର କରିଛି । ଦୁଇଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଜଣେ ଫେରାର ଅଛି ।

ଖବର ଅନୁସାରେ, ଛଅ ମାସ ତଳେ ବ୍ୟକ୍ତି ଜଣକ ପରିବାର ଧରି ମୋରବି ଆସିଥିଲେ । ସେମାନେ ଘର ଭଡ଼ା ନେଇ ରହିଥିଲେ । ଘରଭଡ଼ା ମାସିକ ୨ ହଜାର ଟଙ୍କା ଥିଲା । କିନ୍ତୁ ନିୟମିତ କାମ ନ ମିଳିବାରୁ ଭଡ଼ା ଦେବା ସମ୍ଭବ ହୋଇ ନ ଥିଲା । ଘର ମାଲିକ ବାରମ୍ବାର ଟଙ୍କା ମାଗିଥିଲେ । କିନ୍ତୁ ଯୁବକ ଜଣକ ନିରୁପାୟ ବୋଲି କହିଥିଲେ । ଏହାପରେ ଘର ମାଲିକ ତାଙ୍କୁ ରାଜି କରାଇ ତାଙ୍କ ପତ୍ନୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ତାଙ୍କ ଆଖି ନାବାଳିକା ଝିଅ ଉପରେ ପଡ଼ିଥିଲା । ଶେଷରେ ତାକୁ ବି ବାରମ୍ବାର ଯୌନ ଉତ୍ପୀଡ଼ନ ଦେଇଥିଲେ ଘର ମାଲିକ । ଘଟଣା ବାବଦରେ ଜାଣିବା ପରେ ଯୁବକଙ୍କ ଶ୍ୱଶୁର ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ । ମୋରବି ଏ-ଡିଭିଜନ ପୁଲିସ ଘର ମାଲିକ, ପୀଡ଼ିତାଙ୍କ ସ୍ୱାମୀ ଓ ଅନ୍ୟ ଜଣକ ବିରୋଧରେ ମାମଲା ଦାୟର କରିଛି । ଅଭିଯୁକ୍ତ ସ୍ୱାମୀ ଜେଲରେ ଥିବା ବେଳେ ଘର ମାଲିକଙ୍କୁ ରିମାଣ୍ଡରେ ପଠାଯାଇଛି । ଫେରାର ଅଭିଯୁକ୍ତକୁ ଧରିବାକୁ ପୁଲିସ ଚଢ଼ଉ ଜାରି ରଖିଛି ।

ଅଧିକ ପଢ଼ନ୍ତୁ ;-  Indus Waters Treaty: ପାକିସ୍ତାନକୁ ଭାରତର ଝଟ୍କା; ସିନ୍ଧୁ ଜଳ ଚୁକ୍ତିରେ କୋର୍ଟଙ୍କ ରାୟକୁ କଲା ପ୍ରତ୍ୟାଖାନ, କହିଲା ବୁନ୍ଦାଏ ପାଣି...