ବିବାହ କରିବାକୁ ରାଜି ନ ହେବାରୁ ନାବାଳିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେବାକୁ ଧମକ, ଅଭିଯୁକ୍ତ ମହମ୍ମଦ ଗିରଫ

ଲକ୍ଷ୍ନୌ ୨୮/ ୧୧: ବିବାହ ପାଇଁ ରାଜି ନହେବାରୁ ନାବାଳିକାଙ୍କୁ ହତ୍ୟା ଧମକ । ୧୭ ବର୍ଷୀୟା ନାବାଳିକାଙ୍କୁ ହତ୍ୟାକରି ଖଣ୍ଡ ଖଣ୍ଡ କରି ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଉତ୍ତର ପ୍ରଦେଶର କାନପୁର ସ୍ଥିତ ଚମନ ଗଞ୍ଜରୁ ଅଭିଯୁକ୍ତ ମହମ୍ମଦ ଫୈଜକୁ ଗିରଫ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ମହମ୍ମଦ ଫୈଜ ବାରମ୍ବାର ନାବାଳିକାଙ୍କୁ ପ୍ରେମ ନିବେଦନ କରୁଥିଲା ଏବଂ ବିବାହ କରିବାକୁ ଜିଦ୍ ଧରୁଥିଲା । କିନ୍ତୁ ନାବାଳିକା ଜଣକ ରୋକଠୋକ୍ ମନା କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ମହମ୍ମଦ ଫୈଜ କହିଥିଲା ଯେ, ଯଦି ବାହାଘର ନହୁଏ ତାହେଲେ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେବି ।
ପୋଲିସ କହିବା ମୁତାବକ, ଅଭିଯୁକ୍ତ ଫୈଜ ନାବଳିକାଙ୍କ ସ୍କୁଲ ପାଖକୁ ଯାଇ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରୁଥିଲା । ବାରମ୍ବାର ଏଭଳି କରୁଥିଲା ଅଭିଯୁକ୍ତ । ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ବାପା ସ୍ଥାନୀୟ ଥାନାରେ ମାମଲା ରୁଜୁ କରିଥିଲେ । ଝିଅର ଜୀବନ ପ୍ରତି ବିପଦ ଥିବା ମାମଲାରେ ଉଲ୍ଲେଖ କରିଥିଲେ ନାବାଳିକାଙ୍କ ବାପା ।
ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମହମ୍ମଦ ଫୈଜର ଘରେ ଚଢାଉ କରିଥିଲା ପୋଲିସ । ଯେତେବେଳେ ପୋଲିସ ତାର ଘରେ ପହଞ୍ଚିଥିଲେ ଫୈଜର ପରିବାର ଲୋକେ ପ୍ରବଳ ଯୁକ୍ତିତର୍କ କରିଥିଲେ । ତେବେ ଅଧିକ ପୋଲିସ ଡକାଇବାକୁ ଧମକ ଦେବା ପରେ ଯାଇ ସେମାନେ ଫୈଜକୁ ଛାଡିଥିଲେ ଏବଂ ପୋଲିସ ତାକୁ ଥାନାକୁ ଆଣିଥିଲା ।
ଘଟଣାକୁ ନେଇ ନୌବସ୍ତା ଏସିପି ଅଭିଷେକ କୁମାର ପାଣ୍ଡେ କହିଛନ୍ତି, ମହମ୍ମଦ ଫୈଜ ବିରୁଦ୍ଧରେ ନାବାଳିକାଙ୍କ ପରିବାର ଲୋକେ ପୋକ୍ସୋ ଆଇନ ଆଧାରରେ ମାମଲା ରୁଜୁ କରିଥିଲେ । ବାରମ୍ବାର ଝିଅକୁ ଧମକ ଦିଆଯାଉଥିବା ଏବଂ ହରିରାଣ କରାଯାଉଥିବା ମାମଲାରେ ଉଲ୍ଲେଖ କରିଥିଲେ । ସେହି ଆଧାରରେ ପୋଲିସ ଅଭିଯୁକ୍ତ ମହମ୍ମଦ ଫୈଜକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ ପଠାଯାଇଛି’।