ଏମିତି ବି ପ୍ରେମ ହୁଏ ! ୯୫ ବର୍ଷର ବୟସ୍କଙ୍କ ସହ ୮୪ ବର୍ଷର ବୟସ୍କାଙ୍କ ହୋଇଗଲା ପ୍ରେମ; ୪୦ ଅତିଥିଙ୍କ ଗହଣରେ ହେଲେ ଜନ୍ମ ଜନ୍ମାନ୍ତରର ସାଥି

ଲଣ୍ଡନ,୨୨/୦୫: ଥରେ ଭାବନ୍ତୁ ତ ୯୫ ବର୍ଷ ବୟସରେ ଆପଣ କ’ଣ କରୁଥିବେ? ବିଶେଷତଃ ଭଜନ କିର୍ତ୍ତନ କରୁଥିବେ, ପୂଜାପାଠ କରୁଥିବେ ଓ ପରିବାର ସହିତ ସମୟ ବିତାଉଥିବେ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୯୫ ବର୍ଷ ବୟସରେ ବ୍ରିଟେନର ଜଣେ ବୃଦ୍ଧ ପ୍ରେମ ବିବାହ କରିଛନ୍ତି, ତା ପୁଣି ଜଣେ ୮୪ ବର୍ଷର ବୃଦ୍ଧାଙ୍କୁ। ୨୩ ବର୍ଷ ତଳେ ଉଭୟ ପରଷ୍ପର ସହିତ ଦେଖା ହୋଇଥିଲେ, ଆଉ ୨୩ ବର୍ଷ ପରେ ଏବେ ଉଭୟ ଜୀବନସାଥି। କିଏ କୁହେ ପ୍ରେମରେ ବୟସ ନଥାଏ ତ ଆଉ କିଏ କୁହେ ଏସବୁ ହେଉଛି ପୌଢ଼ତ୍ବରେ ପିଲାଳିଆମୀ।
ସୂଚନାନୁସାରେ, ବ୍ରିଟେନର ୯୫ ବର୍ଷୀୟ ଜୁଲିୟାନ୍ ମୋଏଲ୍ ବିବାହ କରିନଥିଲେ। କାରଣ ତାଙ୍କ ମନରେ କୌଣସି ଝିଅ ପ୍ରତି ଫିଲିଙ୍ଗ୍ସ ନଥିବା ସେ କୁହନ୍ତି। ବୟସ ସହିତ, ପ୍ରେମର ସନ୍ଧାନ କରିବାକୁ ଲାଗିଲେ ସେ। ଶେଷରେ ମିଳିଲେ ମନର ନାୟିକା। ବୟସ ଗଡ଼ିଯାଇଥିଲେ ବି ବିବାହ କରିଥିଲେ। ଏଥିରେ ବି ଥିଲା ଟ୍ବିଷ୍ଟ। କାରଣ ପ୍ରାୟ ୨୩ବର୍ଷ ପୂର୍ବେ, ଜୁଲିୟାନଙ୍କର ଭାଲେରୀ ୱିଲିୟମ୍ସଙ୍କ ସହିତ ଏକ ଚର୍ଚ୍ଚରେ ଭେଟ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଥିଲା କିନ୍ତୁ କେହି କାହାରିକୁ କହିପାରୁନଥିଲେ, ପରଷ୍ପରଙ୍କ ଭିତରେ ପ୍ରେମ ହେଲାଣି ବୋଲି। ଅପେକ୍ଷାର ଅନ୍ତ ଘଟିଲା ୨୩ ବର୍ଷ ପରେ। ୨୦୨୨ ଫେବୃଆରୀରେ ୯୫ ବର୍ଷିୟ ଜୁଲିୟାନ୍, ମୋଏଲ୍ ଭାଲେରୀ ୱିଲିୟମ୍ସଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଭାଲେରି ୱିଲିୟମ୍ସ ମଧ୍ୟ ଏହି ପ୍ରସ୍ତବରେ ରାଜି ହେବା ପରେ ଚଳିତ ମେ’ ୧୯ ରେ, ଦୁହେଁ ପରସ୍ପରକୁ ଜୀବନସାଥିୀ ଭାବରେ ୪୦ ଅତିଥିଙ୍କ ଗହଣରେ ବିବାହ କରିଛନ୍ତି। କଲଭାରୀ ବାପ୍ଟିଷ୍ଟ ଚର୍ଚ୍ଚରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।
ବିବାହ ପରେ ନିଜ ଭାବନାକୁ ପ୍ରକାଶ କରି ଉଭୟ କହିଛନ୍ତି ଯେ, ସେମାନେ ଏହି ବୟସରେ ପରଷ୍ପରର ହୋଇପାରିଛନ୍ତି ବୋଲି ବିଶ୍ବାସ କରିପାରୁ ନାହାନ୍ତି। ଦୁହେଁ ପରସ୍ପରର ବହୁତ ଯତ୍ନ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ଏବଂ ବର୍ତ୍ତମାନ ଉଭୟ ଦମ୍ପତି ହନିମୁନ୍ ପାଇଁ ଅଷ୍ଟ୍ରେଲିଆରେ ଜୁଲିଆନ୍ ମୋୟେଲଙ୍କ ପୈତୃକ ଘର ପରିଦର୍ଶନ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି। ୱେଲ୍ସ ଅନ୍ଲାଇନ୍ ରିପୋର୍ଟ କରିଛି ଯେ ଜୁଲିୟାନ୍ ୧୯୫୪ ମସିହାରେ ଅଷ୍ଟ୍ରେଲିଆରୁ ବ୍ରିଟେନକୁ ଯାଇଥିଲେ ଏବଂ ୧୯୭୦ ରୁ ୧୯୮୨ ମଧ୍ୟରେ ୱେଲ୍ସ ନ୍ୟାସନାଲ ଥିଏଟରରେ ଜଣେ ଅଭିନେତା ଥିଲେ।