ନୂଆଦିଲ୍ଲୀ,୧୩/୧୦:  ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନିଙ୍କୁ ହତ୍ୟା ଧମକ । ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି । ତେବେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଗତକାଲି ଜୁଲାନା ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ଜିନ୍ଦ ଜିଲ୍ଲାସ୍ଥିତ ଦେବାରର ଗାଁର ମୂଳ ବାସିନ୍ଦା  ଆଜମେର୍‌ ବୋଲି ଜଣାପଡିଛି। 

ତେବେ ଏନେଇ ଜିନ୍ଦ ଏପ୍‌ପି କହିଛନ୍ତି ଆଜ୍‌ମେର ଅକ୍ଟୋବର ୮ ତାରିଖରେ ଭୋଟ ଗଣତି ବେଳେ ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ହତ୍ୟା ଧମକ ଦେଇଥିଲା । ଯେତେବଳେ ଏହି ଖବର ପୋଲିସ ପାଖରେ ପହଞ୍ଚିଲା, ସେତେବେଳେ ତୁରନ୍ତ ଏନେଇ ଥାନାରେ ଏକ ମାମଲା ରୁଜୁ କରାଗଲା ଆଉ ଆଜ୍‌ମେରକୁ ଗିରଫ କରାଗଲା । ଆସନ୍ତା ୧୭ରେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂ ସୈନି । ଅକ୍ଟୋବର ୧୭ ରେ ପଞ୍ଚକୁଲାରେ ନୂଆ ସରକାରର ଶପଥ ସମାରୋହ ଉତ୍ସବ ଆୟୋଜିତ ହେବ । ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ସାମିଲେ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ସରକାର କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ମହାରାଷ୍ଟ୍ରରେ ଏନ୍‌ସିପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଯାହାକି ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ସିଦ୍ଦିକି ବଲିଉଡ୍‌ ଜଗତ ସହ ଖୁବ୍‌ ଜଡ଼ିତ ଥିଲେ । ଭାଇଜାନ ସଲମାନ ଖାନଙ୍କ ଖୁବ୍‌ ନିକଟତର ଥିଲେ । ଏହ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଏବେ ବାବା ସିଦ୍ଦିକି ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ ପଚରାଉଚରା ବେଳେ ଗିରଫ ଅଭିଯୁକ୍ତମାନେ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ଥିବା କହିଛନ୍ତି। ଅଭିଯୁକ୍ତମାନେ ଗତ ୨୫-୩୦ ଦିନ ଧରି ସେହି ଅଞ୍ଚଳର ରେକି କରୁଥିଲେ। ଏହି ତିନି ଅଭିଯୁକ୍ତ ଘଟଣା ପୂର୍ବରୁ ଅଟୋ ରିକ୍ସା ଦ୍ୱାରା ବାନ୍ଦ୍ରା ଇଷ୍ଟରେ ପହଞ୍ଚିଥିଲେ । ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।