କାନ୍ଥରେ ମୁଣ୍ଡ ବାଡ଼େଇ ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା, ନେପାଳରେ ରହୁଥିଲେ ପ୍ରେମିକା

ବେଙ୍ଗାଲୁରୁ: ପୁଣି ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା। ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲା ସମସ୍ତଙ୍କୁ ଚକିତ କରିଥିବା ବେଳେ କର୍ଣ୍ଣାଟକରେ ପୁଣି ଲିଭ୍-ଇନ୍ ପାର୍ଟନର ହତ୍ୟା ମାମଲା ସାମ୍ନାକୁ ଆସିଛି।ବେଙ୍ଗାଲୁରୁ ପୁଲିସ ପ୍ରେମିକାଙ୍କ ହତ୍ୟା ମାମଲାରେ ବୁଧବାର ଜଣେ ବ୍ୟକ୍ତିକୁ ଗିରଫ କରିଛି। ଏନେଇ ପୁଲିସ କହିଛି ଦୁଇ ଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ଏହାପରେ ପ୍ରେମିକ ଜଣଙ୍କ ରାଗରେ ପ୍ରେମିକାଙ୍କୁ ଘର କାନ୍ଥରେ ମୁଣ୍ଡକୁ ବାଡ଼େଇଥିଲା। ଫଳରେ ପ୍ରେମିକାଙ୍କ ମୃତ୍ୟୁ ହୋଇଥିଲା।
ଘଟଣା ବେଙ୍ଗାଲୁରୁ ହୋରାମାବୁ ଅଞ୍ଚଳରେ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି, ନେପାଳର କୃଷ୍ଣା କୁମାରୀ। ସେ ବିୟୁଟିସିଆନ ଭାବେ କାମ କରନ୍ତି। ଅଭିଯୁକ୍ତଙ୍କ ନାଁ ହେଉଛି ସନ୍ତୋଷ ଧାମୀ। ଦୁଇ ଜଣ କିଛି ବର୍ଷ ହେବ ଲିଭ୍-ଇନ୍ରେ ରହୁଥିଲେ।
ଏନେଇ ପୂର୍ବ ଡିଭିଜନ ଡିସିପି ଭୀମାଶଙ୍କର ଏସ ଗୁଲେଡ଼ କହିଛନ୍ତି, ମହିଳା କୃଷ୍ଣା କୁମାରୀଙ୍କୁ ତାଙ୍କର ଲିଭି-ଇନ୍ ପାର୍ଟନର ସନ୍ତୋଷ ଧାମୀ ହତ୍ୟା କରିଛି। ପୁଲିସ ଅଭିଯୁକ୍ତକୁ ପଚରାଉଚାରା କରିବାରୁ ସେ କହିଛି ଯେ ଝଗଡ଼ା ପରେ ରାଗତେ ତାର ପ୍ରେମିକାଙ୍କ ମୁଣ୍ଡକୁ କାନ୍ଥରେ ବାଡ଼େଇ ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଘଟଣାର ତଦନ୍ତ ଚାଲିଥିବା ପୁଲିସ କହିଛି।