ଭୁବନେଶ୍ୱର, ଟ୍ରେନ୍‌ ଲାଇନ୍‌ରୁ ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଗେଙ୍ଗୁଟିଆ ଗାଁ ନିକଟ ରେଳ ଟ୍ରାକ୍‌ରୁ ମିଳିଛି ମୃତଦେହ । ମୃତକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସାହିର ରସାନନ୍ଦ ପତି । କାମାକ୍ଷାନଗର ଅନନ୍ତପୁର ସାହି ସ୍ଥିତ ରାମ ମନ୍ଦିରର ପୂଜକ ଥିଲେ ରସାନନ୍ଦ ପତି । 

ସୂଚନା ମୁତାବକ, ଗତ ୧୪ ତାରିଖ ଦିନ ୨ଟାରୁ ଘରୁ ଆସି ଆଉ ଫେରିନଥିଲେ ରସାନନ୍ଦ । ଶେଷରେ ଗେଙ୍ଗୁଟିଆ ଗାଁ ନିକଟ ରେଳ ଟ୍ରାକ୍‌ରୁ ରସାନନ୍ଦଙ୍କ ମୃତଦେହ ମିଳିଛି । ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି । ଯେଉଁଥିରେ ସେ ଲେଖିଛନ୍ତି ଯେ, ପ୍ରାୟ ୧୦ ବର୍ଷ ହେବ ହୃଦ୍‌ଘାତ ଜନିତ ରୋଗରେ ପୀଡିତ ଥିଲେ । ଏପିରିକି ବହୁ ଧାର କରଜ କରି ୪ ଥର ହାର୍ଟ ଅପରେସନ କରାଇଛି ।  ଏପିରିକ ଗତ ୧୦ ମାସ ହେବ ମୋ ଦେହ ବହୁତ ଖରାପ ରହୁଛି । ଯେତେ ଔଷଧ ଖାଇଲେ ମଧ୍ୟ ଭଲ ହେଉନାହିଁ । ମୋ ପାଖରେ ଆଉ ପଇସା ନାହିଁ ଔଷଧ ଖାଇବାକୁ । ରୋଗଯନ୍ତ୍ରଣା ଆଉ ସହି ହେଉନାହିଁ । ଶେଷରେ ମୁଁ ଆତ୍ମହତ୍ୟା କରୁଛି । ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି ।  ମୋର କେବଳ ଗୋଟିଏ ଇଚ୍ଛା ଅଛି, ମୋ ମୃତ୍ୟୁ ପରେ ମୋ ଶରୀରକୁ ବଡ଼ମେଡିକାଲକୁ ଦାନ କରିବେ । ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ସୁଇସାଇଡ୍‌ ନୋଟକୁ ମଧ୍ୟ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।