ଓଡ଼ିଶାରେ ଶ୍ରମଯୋଗୀ ମାନଧନ ଯୋଜନା ଆରମ୍ଭ କଲେ ଧର୍ମେନ୍ଦ୍ର: ୨ କୋଟି ଓଡ଼ିଆଙ୍କୁ ସୁରକ୍ଷା କବଚ

ଭୁବନେଶ୍ୱର,୫ା୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ (ପିଏମ୍-ଏସ୍ୱାଇଏମ୍) ଯୋଜନା ଓଡ଼ିଶାର ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବା ୨ କୋଟି ଗରିବ ଓ ଉପେକ୍ଷିତ ଓଡ଼ିଆଙ୍କ ସୁରକ୍ଷା କବଚ ଭାବେ କାମ କରିବ । ଏ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ମାସିକ ସର୍ବନିମ୍ନ ୩,୦୦୦ ଟଙ୍କାର ପେନ୍ସନ୍ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ନେଇଥିବା ଏ ଛୋଟ ପଦକ୍ଷେପ ସେମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ । କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏଭଳି ସୂଚନା ଦେଇଛନ୍ତି ।
ଭୁବନେଶ୍ୱରଠାରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଓ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି, ପିଏମ୍-ଏସ୍ୱାଇଏମ୍ ଯୋଜନାର ଆରମ୍ଭ ସହ ଦେଶରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ପୂର୍ବରୁ ଦେଶର ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବା ୪୨ କୋଟି ଲୋକଙ୍କ ଭବିଷ୍ୟତ ସୁନିଶ୍ଚିତ କରିବାକୁ କୌଣସି ବ୍ୟବସ୍ଥା ନ ଥିଲା । ଓଡ଼ିଶା ଭଳି ରାଜ୍ୟରେ ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ । ଏଣୁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଦ୍ୱାରା ଓଡ଼ିଶା ବେଶ୍ ଲାଭବାନ ହେବ ।
ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ ଅଢ଼େଇ କୋଟି ଲୋକ କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ଲୋକ ଅଣ-ସଂଗଠିତ କ୍ଷେତ୍ରରେ ଅଛନ୍ତି । ସେମାନଙ୍କ ପାଇଁ ପିଏମ୍-ଏସ୍ୱାଇଏମ୍ ସ୍କିମ୍ ବେଶ୍ ଫାଇଦା ପହଞ୍ଚାଇବ । ୧୮ରୁ ୪୦ ବର୍ଷ ବୟସ ବର୍ଗର ଅଣ-ସଂଗଠିତ କ୍ଷେତ୍ର କର୍ମଚାରୀ ଯୋଜନାରେ ସାମିଲ ହୋଇପାରିବେ । ୧୮ ବର୍ଷ ବୟସର ବ୍ୟକ୍ତି ମାସକୁ ସର୍ବନିମ୍ନ ୫୫ ଟଙ୍କା ଓ ୪୦ ବର୍ଷ ବୟସର ବ୍ୟକ୍ତି ସର୍ବନିମ୍ନ ୨୦୦ ଟଙ୍କା ଅବଦାନରେ ଏଥିରେ ସାମିଲ ହୋଇପାରିବେ । ସେହିଭଳି ଜଣେ ହିତାଧିକାରୀ ଯେତିକି ଅର୍ଥ ଜମା କରିବେ, କେନ୍ଦ୍ର ସରକାର ମଧ୍ୟ ସମାନ ପରିମାଣର ଅର୍ଥ ଅବଦାନ ଦେବେ । ଏଥିସହ ଆଜିଠାରୁ ପ୍ରଥମ ଥର ପାଇଁ ଭାରତରେ ଅଣ-ସଂଗଠିତ କ୍ଷେତ୍ର କର୍ମଚାରୀଙ୍କ ପାଇଁ ମାସକୁ ସର୍ବନିମ୍ନ ୩,୦୦୦ ଟଙ୍କାର ପେନ୍ସନ୍ ବ୍ୟବସ୍ଥା ଲାଗୁ ହେଲା ।
ଏବେ ସାରା ଦେଶରେ ୬ ଲକ୍ଷରୁ ଅଧିକ ଲୋକ ଶ୍ରମଯୋଗୀ ମାନଧନ ଯୋଜନାରେ ସାମିଲ ହୋଇଥିବା ବେଳେ ଓଡ଼ିଶାରେ ୩୦,୦୦୦ରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି । ରାଜ୍ୟରେ ୨୪,୦୦୦ ଲୋକଙ୍କ ପାଇଁ ପିଏମ୍-ଏସ୍ୱାଇଏମ୍ କାର୍ଡ ତିଆରି ସରିଛି । କିନ୍ତୁ ନିର୍ମାଣ ଶ୍ରମିକ, ଉଠା ଦୋକାନୀ, ରିକ୍ସାବାଲା, ଦିନ ମଜୁରିଆ ଉପକୃତ ହେବାକୁ ଥିବା ଏହି ଯୋଜନା କାର୍ଯ୍ୟକାରୀରେ ରାଜ୍ୟ ସରକାର ଆବଶ୍ୟକୀୟ ସହଯୋଗ କରୁନାହାନ୍ତି । ଏପରିକି ପ୍ରଶାସନିକ ଅଧିକାରୀମାନେ ଏନେଇ ଥିବା ଦାୟିତ୍ୱକୁ ଠିକ୍ ଭାବେ ତୁଲାଉନାହାନ୍ତି । ଗରିବ ଓ ଉପେକ୍ଷିତ ବର୍ଗଙ୍କ ବାର୍ଦ୍ଧକ୍ୟ ଜୀବନରେ ନିରାପତ୍ତା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ସହଯୋଗର ହାତ ବଢ଼ାନ୍ତୁ ବୋଲି ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।