ମା’ ଭଣ୍ଡାରଘରଣୀ ପୀଠରୁ ଜଳିଲା ମଣ୍ଡେଇ ମଶାଲ

ନବରଙ୍ଗପୁର, ୨୯।୧୧ ନବରଙ୍ଗପୁର ବ୍ଳକ ବେତାଳ ଗାଁର ମା’ ଭଣ୍ଡାରଘରଣୀ ପୀଠରୁ ମଣ୍ଡେଇ ମହୋତ୍ସବର ମଶାଲ ଜଳିଛି। ଢେମସା ନୃତ୍ୟ ଓ ପାରମ୍ପାରିକ ଆଦିବାସୀ ବେଶଭୂଷାରେ ଆଦିବାସୀ ନାଚଗୀତରେ ମସଗୁଲ ହୋଇଯାଇଥିଲେ। ସେମାନଙ୍କ ନୃତ୍ୟରେ ସାମିଲ ହୋଇ ମଙ୍ଗଳ ବିଭାଗର ଆଦିବାସୀ ଛାତ୍ରଛାତ୍ରୀ ନାଚଗୀତରେ ମଣ୍ଡେଇ ଶୁଭାରମ୍ଭ ମଞ୍ଚ ଦୁଲକି ଉଠିଥିଲା। ମା’ ଭଣ୍ଡାରଘରଣୀ ପୀଠରେ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରି ଉଦଘାଟନୀ ମଞ୍ଚ ନିକଟରେ ପହଞ୍ଚିଥିଲା। ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଡ. କମଳଲୋଚନ ମିଶ୍ର ମୁଖ୍ୟ କର୍ତ୍ତା ଭାବେ ଯୋଗ ଦେଇ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ମଶାଲକୁ ଧରି ମଞ୍ଚ ନିକଟରେ ପହଞ୍ଚିଥିଲେ।

ଜିଲାପାଳ ଡ. କମଳଲୋଚନ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏସଡିସି ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ସମ୍ମାନୀତ ଅତିଥି ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲା ପରିଷଦ ଉପାଧ୍ୟକ୍ଷ ଲିପିକା ବାରୋଇ ପ୍ରମୁଖ ଯୋଗ ଦେଇ ମଣ୍ଡେଇ ମହୋତ୍ସବ ନବରଙ୍ଗପୁର ଜିଲା ପରିଚୟ। ପାରମ୍ପରିକ କଳା ଓ ସଂସ୍କୃତିର ଏକ ମହାମିଳନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅତିଥିମାନେ ମଣ୍ଡେଇ ପୋଷ୍ଟରକୁ ଉନ୍ମୋଚିତ କରିଥିଲେ। ମଞ୍ଚ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଥିଲା। ସେହିଭଳି ଅତିଥିମାନେ ଭତ୍ତା ଓ ମନରେଗା ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଶରତ ଭତ୍ରା,ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ, ପିଇଟିଡିଏ ବେଣୁଧର ଶବର, ଅଧୀକ୍ଷଣ ଯନ୍ତ୍ରୀ ପ୍ରଫୁଲ ମିଶ୍ର, ବିଡିଓ ଶିବ ପ୍ରସାଦ ପଟ୍ଟନାୟକ, ଜିଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ, ପ୍ରମୁଖ ସହଯୋଗ କରିଥିବା ବେଳେ ଜିଲୂା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଳ ମଞ୍ଚ ପରିଚାଳନା କରିଥିଲେ। ଚଳିତ ବର୍ଷ ଡିସେମ୍ବର ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ମଣ୍ଡେଇ ମହୋତ୍ସବ ପାଳନ ହେବ। ୧୦ରୁ ୧୫ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ।