ଚନ୍ଦନେଶ୍ଵର, ୮/୬ : ଭୋଗରାଇର ଶଙ୍ଖାରିରେ ଥିବା ରାଧା ଗୋପିନାଥ ଜୀଉଙ୍କ ମନ୍ଦିରରେ ରବିବାର ସନ୍ଧ୍ୟାରେ ମେଙ୍ଗୋ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୮ପ୍ରକାରର ପ୍ରାୟ ୨୦କ୍ୟୁଇଣ୍ଟାଲରୁ ଅଧିକ ଆମ୍ବରେ ରାଧା ଗୋପିନାଥ ଓ ପ୍ରଭୁପାଦଙ୍କୁ ସଜା ଯାଇଥିଲା।
ପ୍ରକାଶ ଯେ, ପ୍ରତି ବର୍ଷ ଜୁନ୍ ମାସ ପାଣ୍ଡବା ନିର୍ଜଳା ଏକାଦଶୀ ପର ଦିନ ଦ୍ବାଦଶୀ ତିଥି ଅବସରରେ ଏହି ପର୍ବ ପାଳନ କରାଯାଏ। ଶ୍ରୀଜୀଉଙ୍କଠାରେ ହରିନାମ ସଂକୀର୍ତ୍ତନ କରି ମଣିଷ ଚେତନାର ବିକାଶ କରି ଈଶ୍ବରଙ୍କ ଶରଣାପନ୍ନ ହେବା ଏହି ପର୍ବର ମୁଖ୍ଯ ଉଦ୍ଦେଶ୍ଯ ବୋଲି ମନ୍ଦିରର ସଭାପତି ଲାବଣ୍ୟ ଗୌର ଦାସ ପ୍ରକାଶ କରିଛନ୍ତି।
ଏହି ଅବସରରେ ସନ୍ଧ୍ୟା ଆଳତି, ଭାଗବତ କଥା, ଭଜନ କୀର୍ତ୍ତନ ଓ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ବେଗନଫୁଲି, ହେମ ସାଗର,ତୋତା, ନଟି ଆଦି ୨୦ କ୍ୟୁଇଣ୍ଟାଲ ଆମ୍ବର ସାଜସଜା ଭକ୍ତମାନଙ୍କୁ ବେଶ୍ ଆକର୍ଷିତ କରିଥିଲା । ଏଥିରେ ମନ୍ଦିରର ମୁଖ୍ଯ ପରିଚାଳକ ବ୍ରଜ ସୁନ୍ଦର ଦାସ, ବ୍ରଜେନ୍ଦ୍ର ପ୍ରିୟ ଦାସ, ଗୋପାଳ ଚନ୍ଦ୍ର ସାହୁ, ଦିଲ୍ଲୀପ ସେନାପତି, ଦୁଲାଲ ମହାନ୍ତି, ଜୀବନ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପ୍ରକାଶ ଯେ, ଏହି ଉତ୍ସବ ଲାଗି ମନ୍ଦିର ପକ୍ଷରୁ ବହୁ ଆମ୍ବ ଆସିଥିବାବେଳେ ଭକ୍ତମାନେ ମଧ୍ଯ ଦାନ କରିଥିଲେ।