ମଣିପୁର, ୨୨।୭: ମଣିପୁରରେ ଦୀର୍ଘ ଦିନରୁ ଜାରି ରହିଥିବା ଅଶାନ୍ତି ମଧ୍ୟରେ ଶାନ୍ତି ପ୍ରକ୍ରିୟାକୁ ଏକ ବଡ଼ ସଫଳତା ମିଳିଛି । ନିଷିଦ୍ଧ ଉଗ୍ରବାଦୀ ସଂଗଠନ କେସିପି-ପିଡବ୍ଲ୍ୟୁଜିର ୪୬ ଜଣ ସକ୍ରିୟ କ୍ୟାଡର ମୁଖ୍ୟସ୍ରୋତକୁ ଫେରିବା ପାଇଁ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି । ଇମ୍ଫାଲର ମନ୍ତ୍ରୀ ପୁଖରୀସ୍ଥିତ ଆସାମ ରାଇଫଲ୍ସ ମୁଖ୍ୟାଳୟରେ ମଣିପୁର ଗୃହ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର "ହୋମକମିଂ" କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ସମସ୍ତ ଉଗ୍ରବାଦୀ ମୁଖ୍ୟମନ୍ତ୍ରୀ ଯୁମ୍ନାମ ଖେମଚାନ୍ଦ ସିଂହଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ ।
ସରକାରୀ ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ଉଗ୍ରବାଦୀମାନେ ବିପୁଳ ପରିମାଣର ଜୀବନ୍ତ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ସମର୍ପଣ କରିଛନ୍ତି । ୩ଟି AK-ସିରିଜ୍ ରାଇଫଲ, ୪ଟି AK-56, ଗୋଟିଏ ଇନ୍ସାସ୍ Ex-Calibur, ଗୋଟିଏ SLR, ଗୋଟିଏ ୯ ମିମି କାର୍ବାଇନ, ୩ଟି 303 ରାଇଫଲ, ୨ଟି ଡବଲ ବାରେଲ ଏବଂ ୯ଟି ସିଙ୍ଗଲ ବାରେଲ ବନ୍ଧୁକ । ଗୋଟିଏ RPG ଲଞ୍ଚର, ୨ଟି ୯ ମିମି ପିସ୍ତଲ, ୧ଟି ୭.୬୫ ମିମି ପିସ୍ତଲ । ୧୬ଟି ମ୍ୟାଗଜିନ୍, ୯ଟି RPG ଷେଲ୍, ୨୩ଟି ହ୍ୟାଣ୍ଡ ଗ୍ରେନେଡ୍, ୪୦ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୬ଟି ନମ୍ବର-୨୭ ଡେଟୋନେଟର, ୩୦୦ଟି ବ୍ଲାଷ୍ଟିଂ କ୍ୟାପ୍, ପ୍ରାୟ ୧୫ କିଲୋଗ୍ରାମ ଓଜନର ୭ଟି ଦେଶୀ ଆଇଇଡି (IED) ବୋମା, ୭ଟି କମ୍ୟୁନିକେସନ୍ ଡିଭାଇସ୍ ଏବଂ ୩୪୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ।
ଏହା ବି ପଢ଼ନ୍ତୁ... NCP-NDA Alliance Buzz: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ଏବଂ ସୁପ୍ରିୟା ସୁଲେ, ଉତ୍ସାହର ସହ ସ୍ୱାଗତ କଲେ ପିଏମ୍ ମୋଦି
ଉଗ୍ରବାଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ସ୍ଵତନ୍ତ୍ର ଥଇଥାନ ଯୋଜନା ଘୋଷଣା କରିଛନ୍ତି । ପ୍ରତ୍ୟେକ ଆତ୍ମସମର୍ପଣକାରୀ କ୍ୟାଡରଙ୍କୁ ଏକାକାଳୀନ ୪ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଦିଆଯିବ । ଏହି ଅର୍ଥ ୩ ବର୍ଷ ପାଇଁ ଫିକ୍ସଡ୍ ଡିପୋଜିଟ୍ ଆକାରରେ ରହିବ । ସେମାନଙ୍କୁ ପ୍ରତି ମାସରେ ୬,୦୦୦ ଟଙ୍କା ଲେଖାଏଁ ମାସିକ ଭତ୍ତା ଯୋଗାଇ ଦିଆଯିବ । ସମସ୍ତ କ୍ୟାଡର ୩ ବର୍ଷ ପର୍ଯ୍ୟନ୍ତ ଥଇଥାନ କ୍ୟାମ୍ପରେ ରହିବେ ଏବଂ ସେଠାରେ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଧନ୍ଦାମୂଳକ ଓ ରୋଜଗାରକ୍ଷମ ତାଲିମ ପ୍ରଦାନ କରାଯିବ । ଏହି ସଫଳତା ମଣିପୁର ପୁଲିସ, ଆସାମ ରାଇଫଲ୍ସ, ସେନା, CRPF, BSF ଏବଂ ITBP ର ମିଳିତ ଉଦ୍ୟମ ଯୋଗୁଁ ସମ୍ଭବ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୁମ୍ନାମ ଖେମଚାନ୍ଦ ସିଂହ କହିଛନ୍ତି, "୩ ମେ ୨୦୨୩ ପୂର୍ବରୁ ମଣିପୁରରେ ସମସ୍ତ ସମ୍ପ୍ରଦାୟ ଶାନ୍ତିପୂର୍ଣ୍ଣ ଭାବେ ବସବାସ କରୁଥିଲେ । କିନ୍ତୁ ଜାତୀୟ ହିଂସା ପରେ ପ୍ରାୟ ୧,୨୦୦ ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଥିଲା । ବନ୍ଧୁକ ସଂସ୍କୃତି ଦ୍ୱାରା କେବେବି ଏକ ଭଲ ସମାଜ ଗଠନ ହୋଇପାରିବ ନାହିଁ ଏବଂ ହିଂସା କୌଣସି ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ ।"