ନୂଆଦିଲ୍ଲୀ,୭।୪: ପୂର୍ବୋତ୍ତର ରାଜ୍ୟ ମଣିପୁରକୁ ପୁରି ଫେରିଛି ହିଂସା। ବିଷ୍ଣୁପୁର ଜିଲ୍ଲାରେ ସୋମବାର ରାତିରେ ସନ୍ଦିଗ୍ଧ କୁକି ଉଗ୍ରବାଦୀଙ୍କ ଦ୍ବାରା ରକେଟ୍ ଓ ମିସାଇଲ ମାଡ଼ କରାଯାଇଛି। ଏଥିରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା’ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସେଠାରେ ପ୍ରବଳ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ପୁରା ଅଞ୍ଚଳରେ ହିଂସାକାଣ୍ଡ ମଧ୍ୟ ଲାଗି ରହିଛି। ଏହାକୁ ଦେଖି ସୁରକ୍ଷାକର୍ମୀଙ୍କୁ ଫାୟରିଂ ମଧ୍ୟ କରିବାକୁ ପଡିଥିଲା। ଏହି ଫାୟରିଂରେ ବହୁ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି। ଏହି ବିବାଦକୁ ଦେଖି ଅଧିକାରୀମାନେ ବିଷ୍ଣୁପୁର ଓ ଏହାକୁ ଲାଗିଥିବା ୫ଟି ଜିଲ୍ଲା ପଶ୍ଚିମ ଇମ୍ଫାଲ, ପୂର୍ବ ଇମ୍ଫାଲ, ଥୋବଲ୍, କାକାଚିଂ ଓ ବିଷ୍ଣୁପୁରରେ ଇଣ୍ଟରନେଟ୍ ଓ ମୋବାଇଲ ଡାଟା ସେବା ଉପରେ ଅସ୍ଥାୟୀ ରୋକ ଲଗାଇ ଲଗାଇ ଦେଇଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ, ବିଷ୍ଣୁପୁର ଜିଲ୍ଲାର ମୋଇରାଙ୍ଗ ଟ୍ରାଙ୍ଗେଲୋଓବି ଅଞ୍ଚଳରେ ଲୋକଙ୍କୁ ଉତ୍ୟକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ରାତି ପ୍ରାୟ ୧ଟା ବେଳେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଏକ ଘର ଉପରକୁ ବୋମା ମାଡ଼ କରିଥିଲେ। ଏଥିରେ ୫ ବର୍ଷର ଜଣେ ଝିଅ ଓ ୬ ମାସର ଶିଶୁର ମୃତ୍ୟୁ ହୋଇଛି। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ଯେଉଁ ରୁମ୍‌ରେ ପିଲାଙ୍କ ମା’ ଶୋଉଥିଲେ, ତାହା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଏହି ଘଟଣାରେ ଶିଶୁ ଏବଂ ମା’ ଉଭୟ ଆହତ ହୋଇଛନ୍ତି।

ଏହି ଘଟଣାର ବିରୋଧରେ ସକାଳ ହେଉ ହେଉ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ରାସ୍ତାକୁ ଓହ୍ଲାଇ ଆସିଥିଲେ। ରାସ୍ତା ଏବଂ ସଡକ ଜାମ୍ କରିଦେଇଥିଲେ। କେବଳ ସେତିକି ନୁହେଁ ପ୍ରଦର୍ଶନକାରୀ ପୋଲିସ ପିକେଟିଂକୁ ବି ଟାର୍ଗେଟ କରିଥିଲେ। ପେଟ୍ରୋଲ ପମ୍ପ ନିକଟରେ ଦୁଇଟି ଟ୍ୟାଙ୍କର ଓ ଏକ ଟ୍ରକ୍ ସହିତ ବହୁ ବାହନରେ ନିଆଁ ଲଗାଇ ଦେଇଥିଲେ। ପୋଲିସର ଏକ ଅସ୍ଥାୟୀ ପୋଷ୍ଟରେ ମଧ୍ୟ ଭଙ୍ଗାରୁଜା ହୋଇଛି। ବିବାଦ ବଢିବା ମାତ୍ରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ଅଧିକାରୀଙ୍କ କହିବା ଅନୁସାରେ, ଯେତେବେଳେ ପ୍ରଦଶର୍ନକାରୀ ଅନିୟନ୍ତ୍ରିତ ହୋଇଥିଲେ, ତାଙ୍କୁ କାବୁ କରିବା ପାଇଁ ଫାୟାରିଂ କରାଯାଇଥିଲା। ଫଳରେ ବହୁ ପ୍ରଦଶର୍ନକାରୀ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଓ୍ବାଇ ଖେମଚନ୍ଦ ସିଂହ ଏହି ଆକ୍ରମଣର କଡା ନିନ୍ଦା କରିଛନ୍ତି। ସେ ଆଶ୍ବାସନା ଦେଇଛନ୍ତି ଏହି ଘଟଣା ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରାଯିବ ଓ ଆଇନ ଅନୁସାରେ,କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।