PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

“ମଣ୍ଟୁ’ ଗଲା କୁଆଡ଼େ ? ଅଢ଼େଇ ମାସ ହେଲା ପତ୍ତା ମିଳୁନି…

ଢେଙ୍କାନାଳ,୧୮/୧୧: ସକାଳ ହେଉ କି ସଞ୍ଜ³ ସବୁବେଳେ ଚକ୍କର କାଟୁଥାଏ । ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଚାଲିଆସେ । ‘ମଣ୍ଟୁ’ ଆସିଲାରେ ବୋଲି ହୁରି ପଡ଼େ । ତାଟିକବାଟ ବନ୍ଦ ହୋଇଯାଏ । ରାସ୍ତାଘାଟ ଜନଶୂନ୍ୟ ହୋଇପଡେ । ଚିଡ଼୍‌ଚିଡ଼ା ଓ ଉଗ୍ର ସ୍ୱଭାବର “ମଣ୍ଟୁ’ ସମ୍ମୁଖରେ ଯାହାକୁ ପାଏ ମାରି ଗୋଡ଼ାଏ । ବାଡ଼ି ବଗିଚାରେ ପଶି ଫସଲ ନଷ୍ଟ କରେ । ପଇଁତରା ମାରି ଆତଙ୍କ ରଚେ । ମଣ୍ଟୁର ଉଗ୍ରରୂପ ଓ ଆକ୍ରମଣକୁ ନେଇ ଦୈନିକ ଲୋକଙ୍କ ଅଭିଯୋଗ ଶୁଣିବାକୁ ମିଳେ । ହେଲେ ପ୍ରାୟ ଅଢ଼େଇ ମାସ ହେବ ଏସବୁ ଅଭିଯୋଗ ଆଉ ଆସୁନି । ଦୈନିକ ଜଙ୍ଗଲ ଓ ଜନବସତିରେ ଆତଙ୍କ ରଚୁଥିବା ଏହି ଦନ୍ତାହାତୀ “ମଣ୍ଟୁ’ର ଆଉ ଦେଖାଦର୍ଶନ ମିଳୁନି ।

ଗୋଠରୁ ଅଲଗା ହୋଇ ଆଖପାଖ ଗାଁରେ ଆତଙ୍କ ରଚୁଥିବା ମଣ୍ଟୁର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ମାତ୍ର ଏହାକୁ ବନ ବିଭାଗ ଅସ୍ୱୀକାର କରୁଛି । ହାତୀଟି ଜୀବିତ ଓ ଜଙ୍ଗଲରେ ରହିଥିବା ବନବିଭାଗ କହୁଛି । ଢେଙ୍କାନାଳ ସଦର ବନାଞ୍ଚଳ ତଥା ସହର ନିକଟବର୍ତ୍ତୀ ଭଗବାନପୁର ଅଞ୍ଚଳରେ ଗତ କିଛିମାସ ତଳେ ଏହି ହାତୀର ଉତ୍ପାତ ସୀମା ଟପିଥିଲା । ସଞ୍ଜ ନଇଁଲା ମାତ୍ରେ ହାତୀଟି ସହର ଉପକଣ୍ଠ ବୋରାପଦା ଅଞ୍ଚଳରୁ ବାହାରି ମେଘା ସଂରକ୍ଷିତ ପାହାଡ଼ ତଳ ଦେଇ ଭଗବାନପୁର ଅଞ୍ଚଳରେ ପ୍ରବେଶ କରେ । ସେଠାରେ ବାଡ଼ିବଗିଚାରେ ପଶି କଦଳୀ ଓ ପଣସ ଖାଇବା ସହ ଫସଲ ଦଳିମକଚି କ୍ଷୟକ୍ଷତି ଘଟାଏ । ହାତୀଟି ଗୋବିନ୍ଦପୁର, ବଳଦିଆବନ୍ଧ, ବୋରାପଦା, ଗହମଖୁଣ୍ଟୀ, କୁକୁଡାଝର, କାଇମାଟି, ଭଗବାନପୁର, ସରଖିଆ, ଡାହିସାହି, ପୋଷ୍ୟଗ୍ରାମ, ଅସନବାହାଳି ଆଦି ଅଞ୍ଚଳରେ ସବୁଦିନ ଉପଦ୍ରବ କରିଥାଏ । ଦୈନିକ କେଉଁଠି ନା କେଉଁଠି ଘର ପାଚେରୀ ଭାଙ୍ଗିବା ସହ ଫସଲପାତି ନଷ୍ଟ ଖବର ଆସିଥାଏ । ଏହି ଗୋଠଛଡ଼ା ହାତୀଟିର ନିର୍ଦ୍ଧିଷ୍ଟ କିଛି ଅଞ୍ଚଳରେ ଚଳପ୍ରଚଳ କରୁଥିବା ଅଞ୍ଚଳବାସୀ ସମେତ ବନ କର୍ମଚାରୀମାନେ ତାର ନାମ “ମଣ୍ଟୁ’ ରଖିଥିଲେ ।

‘ମଣ୍ଟୁ’ଲୋକଙ୍କୁ ମାରି ଗୋଡ଼ାଇବା ସହ ଗୃହପାଳିତ ପଶୁଙ୍କୁ ବି ଛାଡ଼ି ନଥାଏ । କିଛି ମାସ ତଳେ ଗହମଖୁଣ୍ଟୀ ଅଞ୍ଚଳରେ ହାତୀଟି ଉତ୍ପାତ କରୁଥିବା ବେଳେ ଘଉଡ଼ାଇବାକୁ ଯାଇଥିବା ହାତୀସ୍କ୍ୱାଡ୍‌ର ସଦସ୍ୟ ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କୁ ଦିନ ଦ୍ୱିପ୍ରହରରେ ଦଳି ଦେଇଥିଲା । କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଅଘଟଣାରେ ସଦର ବନାଞ୍ଚଳ ଅଧିକାରୀ ବିଭୁଦାନନ୍ଦ ମିଶ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ । ଖାଲି ସେତିକି ନୁହେଁ, ଏହାପରେ ମଧ୍ୟ ୧୦ରୁ ଅଧିକ ଲୋକଙ୍କୁ ହାତୀଟି ଆକ୍ରମଣ କରି କ୍ଷତାକ୍ତ କରିଛି । ବାଇକ୍‌ ଭାଙ୍ଗିଛି । ଆକ୍ରମଣରେ ଅନେକ ଗୋରୁ, ମଇଁଷିଙ୍କ ପ୍ରାଣଯାଇଛି । ବିଶେଷ କରି ଦନ୍ତାହାତୀର ଆତଙ୍କରେ ଢେଙ୍କାନାଳ-କାଇମାଟି-ଗହମଖୁଣ୍ଟି ରାସ୍ତାରେ ସକାଳ ଓ ସଞ୍ଜରେ ଯାତାୟାତ କରିବାକୁ ଲୋକେ ଭୟ କରିଥାନ୍ତି । ହାତୀଟି କେବଳ ଅଞ୍ଚଳବାସୀଙ୍କର ନୁହେଁ, ବନ ବିଭାଗର ନିଦ ହଜାଇ ଦେଇଥିଲା । ହେଲେ ପ୍ରାୟ ଅଢେଇ ମାସ ହେବ ମଣ୍ଟୁ ଆଉ କ୍ଷୟକ୍ଷତି ଘଟାଉନି କି ତାର ନାମରେ ଆଉ ଅଭିଯୋଗ ଆସୁନି ।

ସବୁକିଛିରେ ଯେମିତି ଯବନିକା ପଡ଼ିଯାଇଛି । ଜନବସତି ଅଞ୍ଚଳରେ ସବୁବେଳେ ଚଳପ୍ରଚଳ କରୁଥିବା ଗୋଠଛଡ଼ା ଦନ୍ତାହାତୀର ନୀରବତା ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି । ହାତୀଟି ଜଙ୍ଗଲ ମଧ୍ୟରେ ମରିଯାଇଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ଏପରିକି ହାତୀ ମୃତ୍ୟୁକୁ ନେଇ ରାଜ୍ୟ ଓ ଦେଶରେ ବଦନାମର ବୋଝ ମୁଣ୍ଡାଇଥିବା ବନବିଭାଗ ଏହି ଘଟଣାକୁ ଲୁଚାଇଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ମାତ୍ର ବନ ବିଭାଗ ଏହି ଘଟଣାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛି । ଏ ସମ୍ପର୍କରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି, ଦନ୍ତାହାତୀ ଜୀବିତ ଅଛି । ଜଙ୍ଗଲରେ ସୁରକ୍ଷିତ ଭାବେ ଚଳପ୍ରଚଳ କରୁଛି । ବିଶେଷ ପଦାକୁ ବାହାରୁ ନାହିଁ । ଆମର କର୍ମଚାରୀମାନେ ତାକୁ ଦେଖିଛନ୍ତି । ରିପୋର୍ଟ ବି ଦେଇଛନ୍ତି । ହାତୀଟି ମରିଗଲେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହେବ । ବନ କର୍ମଚାରୀଙ୍କ ସମେତ ଲୋକେ ବି ଜାଣିପାରିବେ । ତେଣୁ ଏହି ହାତୀକୁ ନେଇ ଆଶଙ୍କାବ୍ୟକ୍ତ କରିବାର କୌଣସି କାରଣ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।