ନୂଆଦିଲ୍ଲୀ,୩ା୨(ଏଜେନ୍ସି): ଦେଶରେ ନୂଆ ଇ-କମର୍ସ ନୀତି ଲାଗୁ ହେବା ପରେ ଏହି କ୍ଷେତ୍ରର କମ୍ପାନିଗୁଡ଼ିକ ମୁଣ୍ଡରେ ଚଡ଼କ ପଡ଼ିଛି । ଏହାଦ୍ୱାରା ଚଳିତବର୍ଷ ବଜାରରେ ସେମାନଙ୍କ ଅଭିବୃଦ୍ଧି ପାଖାପାଖି ଅଧା କମିଯିବ ବୋଲି ଆଶଙ୍କା କରାଯାଉଛି । ଗତ ଶୁକ୍ରବାର ଇ-କମର୍ସ ନୀତି ଲାଗୁ କରାଯିବା ପରେ ଆମାଜନ୍ ଓ ୱାଲ୍ମାର୍ଟର ସେୟାର ମୂଲ୍ୟ ହ୍ରାସ ପାଇଥିଲା । ଫଳରେ ଏମାନଙ୍କ ବଜାର ମୂଲ୍ୟ ୫,୦୦୦ କୋଟି ଡଲାର ହ୍ରାସ ଘଟିଥିଲା । ଏବେ କମ୍ପାନିଗୁଡ଼ିକର ୱେବ୍ସାଇଟ୍ରେ ହଜାର ହଜାର ଉତ୍ପାଦ ଗାଏବ ହେବାରେ ଲାଗିଛି ।
ଶୁକ୍ରବାରଠାରୁ ଲାଗୁ ହୋଇଥିବା ନୂଆ ଇ-କମର୍ସ ନୀତି ମୁତାବକ ଇ-କମର୍ସ କମ୍ପାନି ଯେଉଁ କମ୍ପାନିରେ ପୁଞ୍ଜି ଲଗାଇଥିବେ ବା ଯେଉଁଥିରେ ସେମାନଙ୍କ ଅଂଶଧନ ରହିଥିବ, ଉକ୍ତ କମ୍ପାନିର ଉତ୍ପାଦକୁ ସେମାନେ ବିକ୍ରି କରିପାରିବେ ନାହିଁ । ଏପରିକି କୌଣସି ଉତ୍ପାଦର ଏକ୍ସକ୍ଲୁସିଭ୍ ସେଲ୍ରୁ ମଧ୍ୟ ଏମାନେ ଦୂରେଇ ରହିବେ ବୋଲି ନିୟମ ରହିଛି । ଏହା କମ୍ପାନିଗୁଡ଼ିକୁ ଆଘାତ ଦେଇଛି ।
ଭାରତର କ୍ଷୁଦ୍ର ଦୋକାନୀ ଓ ଘରୋଇ ବିକ୍ରେତାଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେବା ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଇ-କମର୍ସ ନୀତିକୁ କଠୋର କରିଦେଇଥିଲେ । ଏହା ପ୍ରଭାବରେ ଇ-କମର୍ସ କମ୍ପାନିଗୁଡ଼ିକର ୱେବ୍ସାଇଟ୍ରୁ ହଜାର ହଜାର ଉତ୍ପାଦ ଉଭାନ ହୋଇଯାଉଥିବା ଜଣାପଡ଼ିଛି । ଆମାଜନ୍ ଓ ୱାଲ୍ମାର୍ଟ ୱେବ୍ସାଇଟ୍ରେ ମଧ୍ୟ ସହସ୍ରାଧିକ ଉତ୍ପାଦ ଗାଏବ ହୋଇଯାଇଛି । ଭାରତର ଅନ୍ଲାଇନ୍ ଖୁଚୁରା ବଜାରରେ ଏମାନଙ୍କ ଅଂଶ ପାଖାପାଖି ୭୦% ରହିଥିବାରୁ ୱେବ୍ସାଇଟ୍ରୁ ଉତ୍ପାଦ ଉଭାନ ହୋଇଯିବା ଗ୍ରାହକଙ୍କୁ ଚକିତ କରିଛି । ଏହାଦ୍ୱାରା କମ୍ପାନିଗୁଡ଼ିକର ରାଜସ୍ୱ ଅଭିବୃଦ୍ଧି ଗୁରୁତର ଭାବେ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି ।
ଅରବିନ୍ଦ ଆଡ୍ଭାଇଜର୍ସ ପ୍ରାଇଭେଟ୍ ପକ୍ଷରୁ ଆକଳନ କରାଯାଇଛି ଯେ ଏହାର ରାଜସ୍ୱ ଅଭିବୃଦ୍ଧି ୧୫%କୁ ହ୍ରାସ ପାଇବ । ପୂର୍ବ ମାସଗୁଡ଼ିକରେ ଏହା ୨୫ରୁ ୩୦% ରହିଥିଲା । ଅନ୍ୟ ପ୍ରମୁଖ କମ୍ପାନିଗୁଡ଼ିକର ଅବସ୍ଥା ମଧ୍ୟ ସମାନ ହେବ ବୋଲି କୁହାଯାଉଛି ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ନାସ୍ଦାକ୍ରେ ଆମାଜନ୍ର ସେୟାର ମୂଲ୍ୟରେ ୫.୩୮% ହ୍ରାସ ଘଟିଥିଲା । ଫଳରେ ଏହା ୧୬୨୬.୨୩ ଡଲାର (ପାଖାପାଖି ୧,୧୫,୮୫୨ ଟଙ୍କା)କୁ ଖସିଆସିଛି । କମ୍ପାନିର ବଜାର ମୂଲ୍ୟରେ ୪,୫୨୨ କୋଟି ଡଲାର (ପାଖାପାଖି ୩,୨୨,୧୪୭.୨୮ କୋଟି ଟଙ୍କା) ହ୍ରାସ ଘଟିଛି । ଅନ୍ୟପକ୍ଷରେ ୱାଲ୍ମାର୍ଟର ସେୟାର୍ ମୂଲ୍ୟ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜ୍ରେ ୨.୦୬% ହ୍ରାସ ଘଟି ୯୩.୮୬ ଡଲାର (ପାଖାପାଖି ୬,୭୦୦ ଟଙ୍କା)କୁ ଖସିଆସିଛି । କମ୍ପାନିର ବଜାର ମୂଲ୍ୟରେ ପାଖାପାଖି ୫୭୦ କୋଟି ଡଲାର (ପାଖାପାଖି ୪୧,୦୦୦ କୋଟି ଟଙ୍କା) ହ୍ରାସ ଘଟିଥିଲା ।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...