ନୂଆପଡ଼ା,୧୨ା୨(ଆପ୍ର): ଓଡ଼ିଶା-ଛତିଶଗଡ଼ ସୀମାରେ ସିଆର୍ପିଏଫ୍କୁ ମିଳିଛି ବଡ଼ ସଫଳତା । ସୁନାବେଡ଼ା ଅଭୟାରଣ୍ୟର ଜୋଙ୍କ ଥାନା ସନ୍ତୋଷପଡ଼ା-ବାଞ୍ଜିପାଣି-ପଣ୍ଡରିପାଣି ମଧ୍ୟବର୍ତ୍ତୀ ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ଅର୍ଦ୍ଧସାମରିକ ବାହିନୀ ଯବାନ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି । ସେଠାରୁ ୨ଟି ରାଇଫଲ, ୨ ହେଣ୍ଡ ଗ୍ରେନେଡ୍, ୧୨ ଜିଲୋଟିନ୍, ୨୫ ଡିଟୋନେଟର, ୫ କେଜି ବିସ୍ଫୋରକ ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି ।
ଛତିଶଗଡ଼ ସୀମା ସୁନାବେଡ଼ା ଅଭୟାରଣ୍ୟରେ ୧୦ ବର୍ଷ ହେଲା ମାଓବାଦୀ କାୟାବିସ୍ତାର କରିଛନ୍ତି । ଅଭୟାରଣ୍ୟ ଭିତରେ ସିଆର୍ପିଏଫ୍ କ୍ୟାମ୍ପ ସତ୍ତେ୍ୱ ଅନେକ ସମୟରେ ଅଞ୍ଚଳରେ ମାଓ ହିଂସା ଘଟୁଛି । ଆସନ୍ତା ବିଧାନସଭା, ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ହିଂସାକାଣ୍ଡ ଏଡ଼ାଇବା ପାଇଁ ଅଭୟାରଣ୍ୟ ଭିତରେ କମ୍ବିଂ ଅପରେସନ ଜାରି ରହିଛି । ଗତକାଲି ସିଆରପିଏଫ୍ ବ୍ୟାଟାଲିୟନ ୨୧୬ର ଯବାନମାନେ ଧରମବନ୍ଧା ଥାନା ଅଞ୍ଚଳ ସନ୍ତୋଷପଡ଼ା-ବାଞ୍ଜିପାଣି-ପଣ୍ଡରିପାଣି ମଝିରେ ଘଞ୍ଚ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚଲାଇଥିଲେ । ଅପରେସନ ସମ୍ପର୍କରେ ମାଓବାଦୀମାନେ ଆଗତୁରା ଖବର ପାଇ ଉକ୍ତ କ୍ୟାମ୍ପ ଛାଡ଼ି ପଳାୟନ କରିଥିବା ଅନୁମାନ କରାଯାଉଛି । ଏଥିରେ ୨ଟି ରାଇଫଲ, ୨ଟି ହେଣ୍ଡ ଗ୍ରେନେଡ, ୧୨ଟି ଜିଲୋଟିନ, ୨୫ଟି ଇଲେକ୍ଟ୍ରି ଡିଟୋନେଟର, ୫ କେଜି ବିସ୍ଫୋରକ, ୱାୟାରଲେସ ସେଟ, ୮ଟି ଚାର୍ଯ୍ୟ ବ୍ୟାଟେରୀ, ସୋଲାର ପ୍ଲେଟ, ୨ଟି ରେଡିଓ, ଟର୍ଚ୍ଚ, କାଲ୍କୁଲେଟର ଭଳି ବହୁ ମାଓ ସାମଗ୍ରୀ, ଅସ୍ତ୍ରଶସ୍ତ୍ର, ମାଓ ପତ୍ରିକା ଜବତ କରିଥିଲେ ।
ପ୍ରକାଶ ଯେ ଗତ ୭ ତାରିଖରେ ପାଟଦର୍ହା ସଂରକ୍ଷିତ ଜଙ୍ଗଲର କାଠଫାର ଅଞ୍ଚଳରେ ଏସଓଜି ଯବାନ କମ୍ବିଂ ଅପରେସନ ସମୟରେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ । ସେଠାରେ ମଧ୍ୟ ବହୁ ମାଓ ସାମଗ୍ରୀ ଜବତ କରାଯାଇଥିଲା । ଦୁଇ ଥର ମାଓ ସାମଗ୍ରୀ ଜବତ ହୋଇଥିଲେ ବି ଜିଲ୍ଲା ପୁଲିସ କିମ୍ବା ସିଆରପିଏଫ୍ ତରଫରୁ କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ପ୍ରେସ ବାର୍ତ୍ତା ଦିଆଯାଉନାହିଁ । ଏଣୁ ଏସବୁ ମାଓ କ୍ୟାମ୍ପ ଠାବକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ମାଓ କ୍ୟାମ୍ପ ଠାବ ହୋଇଥିବା ଖବର ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଏସ୍ପିଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସେ ମାଓ କ୍ୟାମ୍ପ ଠାବ ଉପରେ କୌଣସି ଖବର ପାଇ ନଥିବା କହିଥିଲେ । ମାତ୍ର ସିଆରପିଏଫ ଅଧିକାରୀମାନେ ଧରମବନ୍ଧା ଥାନାରେ ଜବତ ମାଓ ସାମଗ୍ରୀକୁ ହସ୍ତାନ୍ତର କରିଥିବା ଚିଠିରେ ଦର୍ଶାଇଛନ୍ତି । ଏନେଇ ଧରମବନ୍ଧା ଆଇଆଇସି ଦିଲୀପ ଲାକ୍ରାଙ୍କୁ ପଚାରିବାରୁ, ମୁଁ ବାହାରେ ଅଛି । ଜବତ ହୋଇଥିବା ମାଓ ସାମଗ୍ରୀ ଆମ ଥାନାରେ ଜମା ଦେଇଥିବା କର୍ମଚାରୀ କହିଛନ୍ତି ବୋଲି ସୂଚନା ଦେଇଥିଲେ । ସିଆର୍ପିଏଫ୍ କମାଣ୍ଡାଣ୍ଟ ନରେନ୍ଦ୍ର କୁମାର ମଧ୍ୟ ମାଓକ୍ୟାମ୍ପ ଠାବ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...