ସିନାପାଲିରେ ଉପସ୍ଥିତି ଜାହିର କଲେ ମାଓବାଦୀ, ନଙ୍ଗଲବୋଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଲା ମାଓ ପୋଷ୍ଟର

ସିନାପାଲି, ୩୧/୦୧ : ଉପସ୍ଥିତି ଜାହିର କଲେ ମାଓବାଦୀ। ନୂଆପଡା ଜିଲ୍ଲା ଉପାନ୍ତ ସିନାପାଲି ଥାନା ନଙ୍ଗଲବୋଡ଼ ଅଞ୍ଚଳରେ ପୁଣି ଲାଗିଲା ମାଓ ପୋଷ୍ଟର। ମାଓବାଦୀମାନେ ଏହି ପୋଷ୍ଟରରେ ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନ କରାଯାଇଥିବା ଦର୍ଶାଇଛନ୍ତି। ଏହି ପୋଷ୍ଟରରେ ମେନପୁର ନୂଆପଡ଼ା ମାଓ ଡିଭିଜନ କମିଟି ଲେଖା ହୋଇଛି।
ସୂଚନାନୁଯାୟୀ, ସିନାପାଲି ବ୍ଲକ ନଙ୍ଗଲବୋଡ଼ ନିକଟ ଫୁଲଚି ରାସ୍ତା କଡରେ ଏକ ଫରେଷ୍ଟ ବୋର୍ଡ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଗେଟରେ ଧଳା କାଗଜରେ ସବୁଜ ରଙ୍ଗରେ ଲେଖା ହୋଇଥିବା ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ମାଓବାଦୀମାନେ ଉଲ୍ଲେଖ କରିଛନ୍ତି ଯେ, ଅଞ୍ଚଳର ନଙ୍ଗଲବୋଡ଼ ଗାଁର ସମୁଦ୍ର ବାଗ ନାମକ ଜଣେ ବ୍ୟକ୍ତି ମାଓବାଦୀଙ୍କୁ ଚିକିତ୍ସା ପାଇଁ ଯାଉଥିଲେ। ସେହି ସମୟରେ ଦୁଇ ଜଣଙ୍କୁ ନବରଙ୍ଗପୁର ଡିଭିଏଫ ପୋଲିସ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ସମୁଦ୍ର ବାଗକୁ ପାର୍ଟି ମେମ୍ବର ଦର୍ଶାଇଥିଲା ପୋଲିସ। ହେଲେ ଏହାକୁ ମାଓବାଦୀମାନେ ଖଣ୍ଡନ କରିଛନ୍ତି। ସମୁଦ୍ର ବାଗ ପାର୍ଟି ମେମ୍ବର ନୁହେଁ ବୋଲି ପୋଷ୍ଟରରେ ଉଲ୍ଲେଖ କରିବା ସହ ଗିରଫ ଦୁଇ ଜଣଙ୍କୁ ୨୪ ଘଣ୍ଟା ଭିତରେ ପୋଲିସ କୋର୍ଟ ଚାଲାଣ କରି ନଥିବା ସମ୍ଵିଧାନ ନିୟମର ଉଲ୍ଲଙ୍ଘନ ବୋଲି ମାଓବାଦୀମାନେ ଉଲ୍ଲେଖ କରିଛନ୍ତି।