PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ସତର୍କ କରାଇଲା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା: ଓଡି଼ଶାରେ ମାଓବାଦୀଙ୍କ ମେଳି

ଭୁବନେଶ୍ବର,୧୧ ।୭(ବ୍ୟୁରୋ): କେନ୍ଦ୍ରୀୟ ଗୁଇନ୍ଦା ଦେଇଥିବା ତଥ୍ୟ ମୁତାବକ କୋରାପୁଟ ଜିଲ୍ଲା ନନ୍ଦପୁର ସୀମାରୁ ମାତ୍ର ୪କିମି ଦୂର ଡୁମୁରୀଗୁଡ଼ା ନିକଟରେ କିଛି ଦିନ ତଳେ ଶତାଧିକ ମାଓବାଦୀ ଏକାଠି ହୋଇଥିଲେ । ହେଲେ ସେ ଅଞ୍ଚଳରେ ସିଆରପିଏଫ୍‌ ଯବାନଙ୍କ ଛାଉଣୀ ଦେଖି ସମସ୍ତେ ଓଡ଼ିଶାକୁ ଖସି ଆସିଛନ୍ତି । ଏହି ମାଓବାଦୀମାନେ ଓଡ଼ିଶାର ଦୁଇଟି ସ୍ଥାନରେ ଥାଇପାରନ୍ତି ବୋଲି କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ସେମାନେ ମୋଚିମପଟୁ ଦେଇ ଓଡ଼ିଶାରେ ପ୍ରବେଶ କରି ଚିତ୍ରକୋଣ୍ଡା କିମ୍ବା ପଟାଙ୍ଗୀ ବ୍ଲକ୍‌ ଅଧୀନ ବାଘଡ଼ଙ୍ଗରୀରେ ଲୁଚିଥିବା ଅନୁମାନ କରାଯାଇଛି । ଚିତ୍ରକୋଣ୍ଡାରେ ବିଏସ୍‌ଏଫ୍‌ କ୍ୟାମ୍ପ ଥିବାରୁ ବାଘଡ଼ଙ୍ଗରୀ ମାଓବାଦୀଙ୍କ ପାଇଁ ସୁରକ୍ଷିତ ବୋଲି କୁହାଯାଇଛି । ସେମାନଙ୍କ ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖିବାକୁ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ ପୁଲିସ୍‌କୁ ଜଣାଇଛି ।
 

ତେବେ ଏହି ଘଟଣା ଜଣାପଡ଼ିବା ପରେ ସୁରକ୍ଷା ସମୀକ୍ଷା ଦୃଷ୍ଟିକୋଣରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସିଆରପିଏଫ୍‌ ଡିଜି ଆର.ଆର ଭଟ୍ଟନାଗର । ଏନେଇ ଗୁରୁବାର କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ ଡିଜିପି ଆର.ପି ଶର୍ମାଙ୍କ ସହ ବୈଠକ ହୋଇଥିଲା । ଆଗକୁ ଏକ ବଡ଼ କମ୍ବିଂ ଅପରେସନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ତା’ଛଡା ପଡୋଶୀ ରାଜ୍ୟ ସହ ସମନ୍ୱୟ ରକ୍ଷା କରି କାମ କରିବାକୁ ସିଆରପିଏଫ୍‌ ଡିଜି ଭଟ୍ଟନାଗର ଆଲୋଚନା କରିଛନ୍ତି ।
 

ସିଆରପିଫ୍‌ ଡିଜି ଶ୍ରୀ ଭଟ୍ଟନାଗର କହିଛନ୍ତି, ଓଡ଼ିଶା ଡିଜିପି ଶ୍ରୀ ଶର୍ମାଙ୍କ ଟିମ୍‌ ସହ ବୈଠକ ଥିଲା । ଗୁଇନ୍ଦା ରିପୋର୍ଟକୁ ଦୃଷ୍ଟିରେ ରଖି ମିଳିତ ଅପରେସନ ପାଇଁ ଆଲୋଚନା ହୋଇଛି । ଆଗକୁ ଓଡ଼ିଶା ଓ ଏହାର ପଡୋଶୀ ରାଜ୍ୟରେ ବୈଠକ ହେବ । ବର୍ତ୍ତମାନ ଦେଶର ୧୦ଟି ରାଜ୍ୟରେ ମାଓ କାର୍ଯ୍ୟକଳାପ ରହିଛି । ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା ରହିଛି । ମାଓ ଅଧ୍ୟୁଷିତ ରାଜ୍ୟ ଗୁଡ଼ିକରେ ସିକ୍ୟୁରିଟି ରିଲେଟେଡ୍‌ ଏକ୍ସପେନ୍‌ଡିଚର(ଏସ୍‌ଆର୍‌ଇ) ସ୍କିମ ମୁତାବକ ଗମନାଗମନ, ଯୋଗାଯୋଗ, ଭଡା ଗାଡ଼ି, ଅତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଭତ୍ତା, ସୁରକ୍ଷା ବଳ ପାଇଁ ଭିତ୍ତିଭୂମି ନିର୍ମାଣ ଆଦି କ୍ଷେତ୍ରରେ ଖର୍ଚ୍ଚ ପ୍ରଦାନ କରାଯାଉଛି ।
 

ଅନୁରୂପ ଭାବେ ଡିଜିପି ଶ୍ରୀ ଶର୍ମା କହିଛନ୍ତି, ସିଆରପିଏଫ୍‌ ଡିଜିଙ୍କ ସହ ଏହି ବୈଠକରେ ଅନେକ ରଣନୀତି ପ୍ରସ୍ତୁତ ହୋଇଛି । ମିଳିତ ଭାବେ କାମ କରିବାର ବ୍ଲ୍ୟୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରା ଯାଇଛି । ଓଡ଼ିଶାରେ ୬ ଟି ଜିଲ୍ଳା ଯଥା, ଗଞ୍ଜାମ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଗଞ୍ଜାମ ଓ ଢେଙ୍କାନାଳ ମାଓ ଅଧ୍ୟୁଷିତ ଜିଲ୍ଲାରୁ ବାଦ ପଡିଛି । ତେବେ ଅନୁଗୁଳ ଓ ବୌଦ୍ଧ ମାଓବାଦୀଙ୍କ ନୂଆ ଠିକଣା ପାଲଟିଛି । ଓଡ଼ିଶାରେ ୧୯ ଟି ଜିଲ୍ଳାରେ ମାଓ ପ୍ରବଣ ଥିଲା । ତାଲିକାରୁ ୬ଟି କଟି ପୁଣି ଦୁଇଟି ଯୋଡ଼ି ହେଲା । ଏବେ ୧୫ ଜିଲ୍ଲା ମାଓ ପ୍ରଭାବିତ ରହିଛି । ଯେଉଁ ୬ଟି ଜିଲ୍ଲା ତାଲିକାରୁ କଟିଛି ସେଠି ଦୁଇବର୍ଷ ଭିତରେ କୌଣସି ମାଓ ହିଂସା ହୋଇନାହିଁ । ବର୍ତ୍ତମାନ କୋରାପୁଟ ଓ ମାଲକାନାଗିରି ଜିଲ୍ଲା ଉପରେ ଆମର ଅଧିକ ଫୋକସ ରହିଛି । କାରଣ ଏହି ୨ ଟି ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ଥିବା ଶ୍ରୀ ଶର୍ମା କହିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ନିର୍ଦ୍ଦେଶକ ସୁନିଲ ରାୟ, ଗୁଇନ୍ଦା ଆଇଜି, ଏଡିଜି ଅପରେସନ ଆର.ପି କେଚେଙ୍କ ସମେତ ଓଡ଼ିଶା ସିଆରପିଏଫ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।