ମାଲକାନଗିରି, ୧୫।୭(ଆପ୍ର): ସୀମାନ୍ତରେ ମାଓବାଦୀ ମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଦୁଇଜଣ ପାରା ଶିକ୍ଷକଙ୍କ ଗଳାକାଟି ହତ୍ୟା କରିବା ସହ ମୋବାଇଲ ଟୱାର ପୋଡିଦେଇଛନ୍ତି। ସହିଦ ସପ୍ତାହ ଅବ୍ୟାହତ ପୁର୍ବରୁ ମାତିଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଦୁଇ ଜଣ ପାରା ଶିକ୍ଷକଙ୍କୁ ଗଳାକାଟି ହତ୍ୟା କରିବା ସହିତ ଅନ୍ୟ ଏକ ସ୍ଥାନରେ ମୋବାଇଲ ଟାୱାରରେ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ।
ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ପିଲୁର ଗାଁ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଥିବା ବେଳେ ଟେକାମେଟା ଗାଁ ନିକଟରେ ଅନ୍ୟ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଏହି ଦୁଇଜଣ ମୃତକ ପାରା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଜଣଙ୍କ ପରିଚୟ ମିଳି ପାରିଛି। ପରିଚୟ ମିଳିଥିବା ମୃତକଙ୍କ ନାମ ବିନୋଦ ମାଡେ ବୋଲି ଜଣାପଡିଛି। ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ହାତ ଲେଖା ପୋଷ୍ଟରରେ ଉଲ୍ଲେଖ ରହିଛି। ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଞ୍ଚଳରେ ତଲାସି ଅଭିଯାନକୁ ବଢାଇ ଦିଆଯାଇଛି।
ଅନ୍ୟ ଏକ ପୃଥକ ଘଟଣାରେ ମାଧେନାର ଗାଁର ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ ମାଲକାନଗିରି ସିମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଜିଲ୍ଲାର ଛୋଟେ ଡଙ୍ଗର ଥାନା ଅନ୍ତର୍ଗତ ମାଧେନାର ଗାଁର ଏକ ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ। ସୂଚନା ଅନୁଯାୟୀ ଛୋଟେ ଡଙ୍ଗର ଥାନା ଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ମାଧେନାର ଗାଁରେ ୫୦ ରୁ ୬୦ ଜଣ ମାଓବାଦୀ ଆସି ଏପରି ତାଣ୍ଡବ କରିଛନ୍ତି ବୋଲି ଜଣା ପଡିଛି। ନୂତନ ଭାବେ ସ୍ଥାପନ ହୋଇଥିବା ଜିଓ ଟାୱାରକୁ ନିଆଁ ଲଗାଇ ସଂପୂର୍ଣ୍ଣ ଭାବେ ଧ୍ବଂସ କରିଛନ୍ତି ମାଓବାଦୀ।
ଟାୱାରରେ ନିଆଁ ଲଗାଇ ମାଓବାଦୀ ମାନେ ଘଟଣା ସ୍ଥଳରୁ ପଳାୟନ କରିଥିବା ବେଳେ ଛୋଟେ ଡଙ୍ଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାଓବାଦୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସହିଦ ସପ୍ତାହ ପୁର୍ବରୁ ହିଂସା କାଣ୍ଡ ଘଟାଇ ମାଓବାଦୀ ମାନେ ପୁଣିଥରେ ନିଜର ସ୍ଥିତି ଜାହିର କରିଛନ୍ତି।