ରାୟଗଡା, (ଆପ୍ର)- ଓଡିଶା ସରକାର ଓ ଗୃହ ବିଭାଗକୁ ଚାରିଟି ସର୍ତ୍ତ ରଖି ଟପ ମାଓ ନେତା ନିଖିଲ ଓ ଇନ୍ଦୁ ଆତ୍ମସମର୍ପଣ କରିବେ ବୋଲି ଖୋଲା ଚିଠି ଜାରି କରିଛନ୍ତି। ସର୍ତ୍ତ ପୂରଣ କଲେ ଓଡିଶା ପୁଲିସ ପାଖରେ ଆମେ ଆତ୍ମ ସମର୍ପଣ କରିବୁ ବୋଲି ଲିଖିତ ମାଓବାଦୀ ପତ୍ର ଗଣମାଧ୍ୟମର ହସ୍ତଗତ ହୋଇଛି। ସିପିଆଇ (ମାଓବାଦୀ) ରାଜ୍ୟ କମିଟି ସଦସ୍ୟ ନିଖିଲ ଓରଫ୍ ନିରଞ୍ଜନ ରାଉତ, ଇନ୍ଦୁ ଓରଫ୍ ଅଙ୍କିତା, ରଶ୍ମିତା ଲେଙ୍କା ବୋଲି ଚିଠିରେ ଉଲ୍ଲେଖ ରହିଛି। ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତିକ ପଦ୍ଧତିରେ କାର୍ଯ୍ୟ କରିବା ପାଇଁ ଗଣମାଧ୍ୟମ ଜରିଆରେ ମଧ୍ୟ ଓଡିଶା ସରକାର ଓ ଗୃହ ବିଭାଗ ଉଦ୍ଦେଶ୍ୟରେ ଖୋଲା ଚିଠି ଜାରି କରିଛନ୍ତି ଦୁଇ ଟପ ମାଓବାଦୀ ନେତା।
ବିଗତ ସାଢେ ତିନି ଦଶକ ହେବ ଆମ ପାର୍ଟି ନେତୃତ୍ୱରେ ଚାଲିଥିବା ସଂଘର୍ଷ ଯୋଗୁଁ ଦେଶରେ ବଡ ଧରଣର ରାଜନୈତିକ, ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ଭୌଗଳିକ ସ୍ଥିତିରେ ବହୁ ପରିବର୍ତ୍ତନ ଆସିଛି ଓ ଆସିବାରେ ଲାଗିଛି। ପରିବର୍ତ୍ତିତ ପରିସ୍ଥିତିରେ ସଶସ୍ତ୍ର କ୍ରାନ୍ତି ରାସ୍ତା ସଠିକ ନୁହେଁ ଓ ଏହି ରାସ୍ତାରେ କ୍ରାନ୍ତିକାରି ଆନ୍ଦୋଳନକୁ ଫାଇଦା ହେବ। ଜନ ଭାଗିଦାରୀ ବଢିବା ବଦଳରେ ଲୋକଙ୍କ ଠାରୁ ଦୂର ହେବା ଓ କ୍ଷତି ବୃଦ୍ଧି ହେଉଛି। ପାର୍ଟିର ବଡ଼ସୂତ୍ରବାଦୀ ବିଚାର ଯୋଗୁଁ ସମୟ ଉପଯୋଗୀ ଉପଯୁକ୍ତ ନିର୍ଣ୍ଣୟ ନେଇପାରୁନାହିଁ। ପରିଣାମ ସ୍ୱରୂପ ଭାରତ ନୂଆ ଗଣତାନ୍ତ୍ରିକ ବିଭାଗକୁ ବହୁ କ୍ଷତି ଉଠାଇବାକୁ ପଡୁଛି। ଏହି ପରିସ୍ଥିତିରେ ରାଜ୍ୟ ସରକାର ଓ ଗୃହ ବିଭାଗ ଉପରେ ବିଶ୍ୱାସ କରି ବିପ୍ଳବ ରାସ୍ତା ତ୍ୟାଗ କରି ଆତ୍ମସର୍ମପଣ କରିବୁ ବୋଲି ଉଲ୍ଲେଖ କରିଛନ୍ତି। ଆମେ ଦ୍ୱୟ ଓଡିଶା ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିବୁ। ଆଉ ବାକି ସାଥିମାନଙ୍କୁ ସାମ୍ବିଧାନିକ ରାସ୍ତାରେ ଫେରି ଆସି ଆତ୍ମସମର୍ପଣ କରିଦେବା ପାଇଁ ଆହ୍ୱାନ କରିବୁ ବୋଲି ଦର୍ଶାଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ୪ଟି ଦାବି ରଖିଛନ୍ତି।
ଚାରିଟି ଦାବି ହେଲା ଗଣତାନ୍ତ୍ରିକ ଓ ଆଇନଗତ ସୀମା ମଧ୍ୟରେ ଦେଶର ଶୋଷିତ ଉତ୍ପୀଡ଼ିତ ଶ୍ରେଣୀ, ଶ୍ରମିକ, କୃଷକ, ହକ ଅଧିକାର ସହିତ ଜଳ -ଜମି- ଜଙ୍ଗଲ - ଅଧିକାର ଲାଗି କାର୍ଯ୍ୟ କରିବାକୁ ଚାହୁଁ, ତେଣୁ ଏହା ଉପରେ ପ୍ରତିବନ୍ଧକ ନ ଲଗାଇ କାର୍ଯ୍ୟ କରିବା ପାଇଁ ଆମକୁ ସୁଯୋଗ ଦିଆଯିବ। ଦ୍ୱିତୀୟଟି ଆତ୍ମସମର୍ପଣ ପରେ କୌଣସି ପ୍ରକାର ମାଓବାଦୀ ବିରୋଧୀ ସଶସ୍ତ୍ର ଅଭିଯାନ ଓ ଜନ ବିରୋଧୀ କାର୍ଯ୍ୟରେ ଆମକୁ ନିୟୋଜିତ କରାନଯାଉ। ତୃତୀୟ ମାଓବାଦୀ ସଂଗଠନ ଛାଡି ଆତ୍ମସମର୍ପଣ କରିଥିବା ଆଜାଦ, ସବ୍ୟସାଚି ପଣ୍ଡାଙ୍କୁ ବହୁବର୍ଷ ହେବ ଜେଲରେ ବନ୍ଦି କରି ରଖାଯାଇଛି। ତେଣୁ ରାଜ୍ୟ ସରକାର ଯେଉଁ ଆତ୍ମସମର୍ପଣ ନୀତି ବନାଇଛନ୍ତି ଓ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ଆତ୍ମସମର୍ପଣକାରି ମାଓବାଦୀଙ୍କ କ୍ଷେତ୍ରରେ ତାହାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରି କରନ୍ତୁ।
ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଜଳ, ଜମି,ଜଙ୍ଗଲ, ମା, ମାଟି ଓ ପରିବେଶ ସୁରକ୍ଷା, ସାମ୍ବିଧାନିକ, ହକ ଅଧିକାରର ଆନ୍ଦୋଳନ ଉପରେ ଅଗଣତାନ୍ତ୍ରିକ ଭାବେ ଦମନ ଚଳାଯାଉଛି ବୋଲି ଉଲ୍ଲେଖ ରହିଛି। ପରୋକ୍ଷରେ ଏହା ସଶସ୍ତ୍ର ସଂଘର୍ଷକୁ ପ୍ରୋତ୍ସାହନ କରୁଛି ବୋଲି ଅଭିଯୋଗ କରିଛନ୍ତି। ଚିଠିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓବାଦୀ)ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା )ବୋଲି ଉଲ୍ଲେଖ ରହିଛି।