ମାଲକାନଗିରି, ୨୬/୨(ଆପ୍ର ) ମାଓମୁକ୍ତ ହେଉଛି ମାଲକାନଗିରି । ମାଓଗଡ଼ରେ ଥିବା ୨୦ ରୁ ଊର୍ଦ୍ଧ୍ବ ମାଓବାଦୀଙ୍କ ସହିଦ ସ୍ମାରକୀ ସ୍ତମ୍ବକୁ ଭାଙ୍ଗି ଧୂଳିରେ ମିଶାଇ ଦେଇଛନ୍ତି ଗ୍ରାମବାସୀ। ଗାଁଲୋକେ ସ୍ୱେଚ୍ଛାକୃତ ଭାବରେ ମାଓଗଡ଼ରେ ସ୍ଥାପିତ ମାଓବାଦୀଙ୍କ ସହିଦ ସ୍ମାରକ ସ୍ତମ୍ବକୁ ଭାଙ୍ଗି ନଷ୍ଟ କରିଦେଇ ଶାନ୍ତି ଏବଂ ବିକାଶ ଆଡ଼କୁ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ସୀମାସୁରକ୍ଷା ବାହିନୀ ଓ ପୁଲିସର ଅକ୍ଲାନ୍ତ ପରିଶ୍ରମରେ ଧିରେ ଧିରେ ମାଓମୁକ୍ତ ହେଉଛି ମାଲକାନଗିରି । ଏବେ ଆଉ ନାହିଁ ମାଓବାଦୀଙ୍କ ହିଂସା, ଗ୍ରାମବାସୀଙ୍କ ମନରୁ ଦୂର ହୋଇଛି ମାଓ ଭୟ ।
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ଏବଂ କାଲିମେଳା, ମାଥିଲି, ଖଇରପୁଟ ଅଞ୍ଚଳର ବିଭିନ୍ନ ଆଭ୍ୟନ୍ତରୀଣ ସ୍ଥାନରୁ ଗ୍ରାମବାସୀମାନେ ମାଓବାଦୀ କ୍ୟାଡରମାନଙ୍କ ଦ୍ୱାରା ପୂର୍ବରୁ ସ୍ଥାପିତ ମୋଟ ୨୦ଟି ସ୍ମାରକୀ ସହିଦ ସ୍ତମ୍ଭକୁ ଭାଙ୍ଗି ଦେଇଛନ୍ତି । ଗ୍ରାମବାସୀମାନେ ସାମୂହିକ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନେଇଥିଲେ ଯେ ଗାଁ ଗହଳ ରେ ଥିବା ମାଓବାଦୀଙ୍କ ସହିଦ ସ୍ତମ୍ବକୁ ଆଉ ରଖାଯିବ ନାହିଁ। ମାଓବାଦୀ ସମସ୍ୟା ଲୋପ ପାଇ ଥିବା ବେଳେ ସ୍ତମ୍ଭ ଗୁଡିକୁ ମଧ୍ୟ ଲୋପ କରାଯିବ। ଗ୍ରାମବାସୀଙ୍କ କହିଛନ୍ତି ଯେ ବର୍ଷ ବର୍ଷ ଧରି ଉଗ୍ରବାଦୀ ପ୍ରଭାବ କେବଳ ଭୟ, ମୌଳିକ ସେବାରେ ବାଧା ଏବଂ ଗ୍ରାମର ବିକାଶକୁ ଅଟକାଇ ଦେଇଛି।
ମାଲକାନଗିରି ପୋଲିସ ଶାନ୍ତି ବଜାୟ ରଖିବା, ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଅନ୍ତର୍ଭୁକ୍ତ ବିକାଶକୁ ପ୍ରୋତ୍ସାହିତ କରୁଥିବା ସମସ୍ତ ପଦକ୍ଷେପକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ଅଛି ବୋଲି ମାଲକାନଗିରି ଏସପି ବିନୋଦ ପାଟିଲ ଏଚ କହିଛନ୍ତି ।