କପ୍ତିପଦା, ୦୪/୦୨ : ଗଞ୍ଜେଇ ଚାଲାଣର ନୂଆ ତରିକା। ପିକଅପ୍ ଭ୍ୟାନର ଉପରେ ଲୋଡ୍ ହୋଇଛି ବନ୍ଧାକୋବି। ଭିତରେ ଅଛି କୋଟିଏ ଟଙ୍କାର ଗଞ୍ଜେଇ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଭରଡ଼ା ଛକ ନିକଟରୁ ଏହି ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି। ନାର୍କୋ କେନ୍ଦ୍ରୀୟ ବ୍ୟୁରୋ ଚଢାଉ କରି ଗାଡିରୁ ପ୍ରାୟ ପାଞ୍ଚ କ୍ଵିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିଛି। 

ସୂଚନାନୁଯାୟୀ, ଏକ ବନ୍ଧା କୋବି ବୋଝେଇ ପିକଅପ୍ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇ କେନ୍ଦୁଝରରୁ କପ୍ତିପଦାକୁ ଆସୁଥିଲା। ନାର୍କୋ କେନ୍ଦ୍ରୀୟ ବ୍ୟୁରୋ ବିଶେଷ ସୂତ୍ରରୁ ଖବର ପାଇ ଗାଡିକୁ ଧରିବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲା। ବୁଧବାର ରାତି ୩ଟାରେ ଠାକୁରମୁଣ୍ଡା ଘାଟି ଦେଇ ଗାଡିଟି ପହଞ୍ଚିବା ବେଳକୁ ଏହି ଗାଡିକୁ ଆଉ ଏକ ଗାଡ଼ି ସୁରକ୍ଷା ଦେଉଥିଲା। ନାର୍କୋ କେନ୍ଦ୍ରୀୟ ବ୍ୟୁରୋ ପ୍ରସ୍ତୁତି ମୁତାବକ ଭରଡ଼ା ଛକ ନିକଟରେ ଗାଡିକୁ ଅଟକାଇବା ପରେ ଡ୍ରାଇଭର୍ ଗାଡି ଛାଡ଼ି ଫେରାର୍ ହେବାକୁ ବସିଥିଲା। ହେଲେ କିଛି ସ୍ଥାନୀୟ ଯୁବକ ଡ୍ରାଇଭରକୁ କାବୁ କରି ପୁଲିସକୁ ଦେଇଥିଲେ। ଦୁଇଟି ଯାକ ଗାଡିକୁ କପ୍ତିପଦା ଥାନାକୁ ଅଣାଯାଇ ତଦନ୍ତ ଚାଲିଛି। ପାଞ୍ଚ କ୍ଵିଣ୍ଟାଲ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି। ଏହି ଗଞ୍ଜେଇ ସବୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଜଣାପଡ଼ିଛି। 

ଏହି ଖବରଟିକୁ ପଢନ୍ତୁ- କୋଣାର୍କ ଉପକୂଳରେ ୨୦୭୭ ଅଲିଭ ରିଡଲେ ଅଣ୍ଡା ସଂଗ୍ରହ, ଛୁଆ ଫୁଟିବା ପରେ ସମୁଦ୍ରରେ ଛଡ଼ାଯିବ