କୋଣାର୍କ, ୪।୨ : କୋଣାର୍କ ସମୁଦ୍ର ଉପକୂଳରେ ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଫେବୃୟାରୀ ମାସରୁ ଆରମ୍ଭ ହୋଇଛି। ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସୁରକ୍ଷା ପାଇଁ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କଅଁରପୁର, ଚନ୍ଦ୍ରଭାଗା,ଦଶଧାଡିଆ ଓ ରାମଚଣ୍ଡୀ ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ର ଖୋଲାଯାଇଛି। ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୯ଟି ବସାରେ ସମୁଦାୟ ୨୦୭୭ ଅଣ୍ଡା ସଂଗୃହିତ କରାଯାଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି। ଏହି ଅଣ୍ଡାଗୁଡିକ ୪ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରର ସୁରକ୍ଷିତ ଉପାୟରେ ରଖାଯାଇଛି।
ସଂଗୃହୀତ ହୋଇଥିବା ଅଣ୍ଡାରୁ ଆସନ୍ତା ୪୫ରୁ ୫୫ ଦିନ ମଧ୍ୟରେ ଛୁଆ ଫୁଟିବ। ଏହା ପରେ ସୁରକ୍ଷିତ ଭାବେ ଅଲିଭ ରିଡଲେ ଶାବକମାନଙ୍କୁ ଗଭୀର ସମୁଦ୍ରକୁ ଛଡ଼ାଯିବ। ଅଲିଭ ରିଡଲେ କଇଁଛମାନଙ୍କ ନିରାପଦ ଓ ସମୂହ ଅଣ୍ଡାଦାନ ପାଇଁ ବନବିଭାଗ ତତ୍ପର ହୋଇଉଠିଛି। ଅଲିଭ ରିଡଲେଙ୍କ ଅଣ୍ଡାଦାନ ପରେ ଅଣ୍ଡାଗୁଡିକ ବିଲୁଆ, କୁକୁରଙ୍କ ଠାରୁ ରକ୍ଷା କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିବା କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ସୂଚନା ଦେଇଛନ୍ତି।
ଏହି ଖବରଟିକୁ ପଢନ୍ତୁ- କେନାଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ