ପ୍ରମୂଖ ଖବର
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ; ୨୦ରେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହେବେ ସାମିଲ୍
  • ||
  • ଜନ୍ମ ତିଥିରେ ସ୍ନାନ କରୁଛନ୍ତି ଜଗତର ମଉଡ଼ମଣି, ସନ୍ଧ୍ୟାରେ ଗଜାନନ ବେଶ
  • ||
  • ମହାପ୍ରଭୁଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ, ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁଦିଅଁ
  • ||
  • ବଲାଙ୍ଗୀର : ଜୁନ୍‌ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ ଓ ମନ୍ତ୍ରୀ
  • ||
  • କଟକ : ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ସମ୍ପର୍କୀୟ ଦାଦା ଗିରଫ
  • ||
  • ଦିବ୍ୟ ଭବ୍ୟ ଦେବ ସ୍ନାନପୂର୍ଣ୍ଣିମା, ଭକ୍ତମୟ ବଡ଼ଦାଣ୍ଡ, ଜନସମୁଦ୍ର ଶ୍ରୀକ୍ଷେତ୍ର
  • ||
  • ସ୍ନାନବେଦୀରେ ସାଆନ୍ତେଙ୍କୁ ଦେଖି ଭିଜିଲା ଭକ୍ତଙ୍କ ଆଖି, ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଚତୁର୍ଦ୍ଦିଗ
  • ||
  • ଗଞ୍ଜାମ : ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ବିବାହ, ହନିମୁନ୍, ହତ୍ୟା ମାମଲା; ଜାଣନ୍ତୁ କ’ଣ ଥିଲା ରାଜା ରଘୁବଂଶୀ ହତ୍ୟାକାଣ୍ଡର ପୁରା ଘଟଣା...

Published By : Bijay Swain | June 10, 2025 5:48 PM

Image courtesy: indiatoday

ଶିଲଙ୍ଗ: ମଧ୍ୟପ୍ରଦେଶ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମେଘାଳୟ ପୁଲିସ୍ ଦେଇଥିବା ସୂଚନା ଅନୁସାରେ, ଆରୋପି ସୋନମ୍ ନିଜ ସ୍ୱାମୀ ରାଜାଙ୍କୁ ହତ୍ୟା କରିବା ପାଇଁ ସୁପାରୀ କିଲର ନିୟୋଜିତ କରିଥିଲା। ଏବଂ ପରେ ଉତ୍ତରପ୍ରଦେଶର ଗାଜିପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ସୋନମ୍ ଏବଂ ତାଙ୍କ ପ୍ରେମିକ ରାଜ୍ କୁଶୱାହା ମଧ୍ୟ ରହିଛନ୍ତି।

ଆପଣଙ୍କୁ ଜଣାଇରଖୁ ଯେ ଗତ ମଇ ମାସ ୧୦ ତାରିଖରେ ରାଜା ଏବଂ ସୋନମ୍ ଇନ୍ଦୋରରେ ବିବାହ କରିଥିଲେ। ଏହାର ଦଶ ଦିନ ପରେ ଅର୍ଥାତ ମଇ ୨୦ ତାରିଖ ଦିନ ଉଭୟ ଦମ୍ପତି ହନିମୁନ୍ ପାଇଁ ମେଘାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପ୍ରାରମ୍ଭିକ ଯୋଜନା ମୁତାବକ ଉଭୟେ ଗୌହାଟୀର କାମାଖ୍ୟା ମନ୍ଦିର ଦର୍ଶନ କରିବାର ଯୋଜନା ରହିଥିଲା। କିନ୍ତୁ ପରେ ସୋନମ୍ ହତ୍ୟାକୁ ରୁପରେଖ ଦେବାପାଇଁ ରାଜାଙ୍କୁ କହି ଶିଲଙ୍ଗକୁ ଯାତ୍ରା କରିଥିଲେ।

ଶିଲଙ୍ଗରେ ପହଞ୍ଚି ଉଭୟେ ମଇ ମାସ ୨୨ ତାରିଖ ଦିନ ସୋହରା (ଚେରାପୁଞ୍ଜୀ)ରେ ଏକ ସ୍କୁଟର ଭଡ଼ା ନେଇ ମାଉଲାକାୟା ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ତା ପରଦିନ ଅର୍ଥାତ ମଇ ୨୩ ତାରିଖ ଦିନ ସୋନମ୍ ତାଙ୍କ ଶାଶୁଙ୍କୁ ଫୋନ୍ କରି କହିଥିଲେ ଯେ ସେମାନେ ଜଙ୍ଗଲ ଅଞ୍ଚଳରେ ଟ୍ରେକିଂ କରୁଛନ୍ତି। ଏହା ପରେ ଉଭୟଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା।

ତେବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏ ଘଟଣା ନେଇ ଚର୍ଚ୍ଚା ଜୋର ଧରିବା ପରେ ସ୍ଥାନୀୟ ପୋଲିସ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଯାହାର ନାମ ଅପରେସନ ହମନିମୁନ ଦିଆଯାଇଥିଲା। ମଇ ୨୪ ତାରିଖ ଦିନ ସୋହରା ଅଞ୍ଚଳରେ ଥିବା ଏକ କାଫେ ନିକଟରେ ସେମାନଙ୍କ ଭଡ଼ା ସ୍କୁଟର ଚାବି ଲାଗିଥିବ ସହ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା।

ଉଭୟୋଙ୍କ ପରିତ୍ୟକ୍ତ ସ୍କୁଟି ମିଳିବା ପରେ ପୁଲିସ ଉପରେ ଚାପ ବଢିଥିଲା। ଏହାସହ ସ୍ଥାନିୟ ସରକାର ଏନଡିଆରଏଫ, ଏସଡିଆରଏଫ ଓ ଜରୁରିକାଳିନ ସହାୟତା ଦଳଙ୍କୁ ମଧ୍ୟ ଉଭୟ ଦମ୍ପତ୍ତିଙ୍କୁ ଖୋଜିବାରେ ନିୟୋଜତି କରିଥିଲେ। ଏହାପରେ ଗତ ଜୁନ୍ ମାସ ୨ ତାରିଖରେ ରାଜାଙ୍କ ଗଳିତ ମୃତଦେହ ଓଇସାଉଡଙ୍ଗ ଫଲ୍ସ ନିକଟରେ ଥିବା ଏକ ଗଭୀର ଖାଇରୁ ଉଦ୍ଧାର ହୋଇଥିଲା। ପୁଲିସ ମୃତ ଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ସୋନମ୍ ଙ୍କୁ ଖୋଜିବାର ପରିସର ବଢାଇଥିଲା। ତେବେ ରାଜାଙ୍କ ଅଟୋପ୍ସି ରିପୋର୍ଟ ଆସିବା ପରେ ସମସ୍ତଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ରିପୋର୍ଟ ଅନୁସାରେ, ତାଙ୍କ ମୁଣ୍ଡରେ ଦୁଇଟି ଗଭୀର କ୍ଷତ ଥିଲା, ଯାହା ଏକ ଧାରୁଆ ଅସ୍ତ୍ର (ସମ୍ଭବତଃ ମାଚେଟ) ଦ୍ୱାରା କରାଯାଇଥିଲା।

ଏହାପରେ ପୋଲିସର ସନ୍ଦେହ ସୋନମ୍ ଙ୍କ ଉପରକୁ ଯାଇଥିଲା। ପୋଲିସ ତାଙ୍କୁ ଖୋଜଖୋଜି କରିବା ପରେ ଗତ ୮ ତାରିଖ ଦିନ ସୋନମ୍ ଗାଜିପୁରର ଏକ ରାସ୍ତାକଡ଼ ଢାବାରେ ମିଳିଥିଲେ ଏବଂ ସେ ତାଙ୍କ ଭାଇଙ୍କ ସହାୟତାରେ ନନ୍ଦଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ। ଗତ ସୋମବାର ମେଘାଲୟ ପୁଲିସ୍ ତିନି ସୁପାରୀ କିଲର ଆକାଶ ରାଜପୁତ, ବିଶାଲ ଚୌହାନ ଏବଂ ଆନନ୍ଦ କୁର୍ମୀଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରିଥିଲା। ସୋନମ୍‌ଙ୍କ ପ୍ରେମିକ ରାଜ୍ କୁଶୱାହାଙ୍କୁ ମଧ୍ୟ ଏହି ମାମଲାରେ ସାମିଲ ଥିବା ନେଇ ଗିରଫ କରାଯାଇଥିଲା।

ହତ୍ୟାର ପରିକଳ୍ପନା:

ପୁଲିସ ସୂତ୍ର ଅନୁସାରେ, ସୋନମ୍ ରାଜ୍ କୁଶୱାହାଙ୍କ ସହ ଏକ ଅନୈତିକ ସମ୍ପର୍କରେ ରହିଥିଲେ। ରାଜ୍ ତାଙ୍କ ପିତାଙ୍କ ପ୍ଲାଇଉଡ୍ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ। ସୋନମ୍ ବିବାହର ମାତ୍ର ତିନି ଦିନ ପରେ ରାଜାଙ୍କୁ ହତ୍ୟା କରିବା ପାଇଁ ନିଜ ପ୍ରେମିକଙ୍କ ସହ ଯୋଜନା କରିଥିଲେ। ସେ ଜାଣିଶୁଣି ମେଘାଳୟର ଏକ ନିର୍ଜନ ଅଞ୍ଚଳକୁ ରାଜାଙ୍କୁ ନେଇ ଯାଇଥିଲେ। ଯେଉଁଠାରେ ସୁପାରୀ କିଲରମାନେ ପୂର୍ବରୁ ଅପେକ୍ଷା କରି ରହିଥିଲେ। ସୋନମ୍ ରାଜ୍ କୁଶୱାହାଙ୍କୁ ନିୟମିତ ଭାବେ ଫୋନ୍ ଯୋଗେ ସୂଚନା ଦେଉଥିଲେ ଏବଂ ଦମ୍ପତିଙ୍କ ଲାଇଭ୍ ଲୋକେସନ୍ ମଧ୍ୟ ଶେୟାର କରିଥିଲେ। ହତ୍ୟା ପରେ, ସୋନମ୍ ଏବଂ ତିନି କିଲର ଗୁଆହାଟୀ ଦେଇ ଫେରାର ହୋଇଯାଇଥିଲେ।

ମେଘାଳୟ ପୁଲିସର ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (SIT) ଏହି ମାମଲାରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏକ ସ୍ଥାନୀୟ ଗାଇଡ୍‌ଙ୍କ ସୂଚନା ଅନୁସାରେ, ଦମ୍ପତିଙ୍କୁ ଶେଷ ଥର ପାଇଁ ତିନି ଅଜଣା ବ୍ୟକ୍ତିଙ୍କ ସହ ଦେଖା ଯାଇଥିଲା। ସିସିଟିଭି ଫୁଟେଜ୍, ସ୍କୁଟରର ଜିପିଏସ୍ ଡାଟା ଏବଂ ସୋନମ୍‌ଙ୍କ କଲ୍ ରେକର୍ଡ ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ପୁଲିସର ଏହି ତ୍ୱରିତ୍ କାର୍ଯ୍ୟନୁଷ୍ଟାନକୁ ପ୍ରଶଂସା କରିଛନ୍ତି।

ଏହି ମାମଲାରେ ନିଜ ପୁଅକୁ ହରାଇ ଭାଙ୍ଗି ପଡିଥିବା ରାଜାଙ୍କ ମାଆ ଉମା ରାଘବଂଶୀ କହିଛନ୍ତି ଯେ ସୋନମ୍ ଏକାକୀ ଭାବେ ମେଘାଲୟ ଯାତ୍ରାର ଯୋଜନା କରିଥିଲେ। ଏହା ସହ ସେ ଘର ଛାଡିବା ପୂର୍ବରୁ ରାଜାଙ୍କୁ ୯ ଲକ୍ଷ ଟଙ୍କାର ଆଭୂଷଣ ମଧ୍ୟ ପିନ୍ଧାଇ ଥିଲେ। ଜଣେ ନବ ବିବାହିତା କିପରି ଏପରି ଜଘନ୍ୟ କାମ କରିପାରେ ବୋଲି କହି ନିଜ କୋହ ସମ୍ବରଣ କରିପାରି ନାହାନ୍ତି। ଯଦି ଏହି ମାମଲାରେ ସୋନମ୍ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ସୋନମ୍‌ଙ୍କ ପିତା ଦେବୀ ସିଂହ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ତାଙ୍କ ତାଙ୍କ ଝିଅ ନିର୍ଦ୍ଦୋଷ ଏବଂ ମେଘାଳୟ ପୁଲିସ୍ ମିଛ ମାମଲା ରୁଜୁ କରି ତାଙ୍କ ଝିଅକୁ ଫସେଇ ଦେବାକୁ ଚାହୁଁଛି। ସେ ଏନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି।

ସୋନମ୍‌ଙ୍କୁ ବର୍ତ୍ତମାନ ଗାଜିପୁରରୁ ମେଘାଳୟକୁ ନିଆଯାଉଛି। ଯେଉଁଠାରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଶିଲଙ୍ଗକୁ ଅଣାଯାଉଛି। ପୁଲିସ୍ ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜିବା ଜାରି ରଖିଛି। ବର୍ତ୍ତମାନ ଏହି ମାମଲା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଯାହା ବିଶ୍ୱାସଘାତକତା ଏବଂ ପୂର୍ବପରିକଳ୍ପିତ ଅପରାଧର ଏକ ଭୟଙ୍କର କାହାଣୀକୁ ସମସ୍ତଙ୍କ ସାମ୍ନାକୁ ଆଣିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.