PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ

କଟକ,୨୮/୧୧: ମାଟ୍ରିକ୍‌ ସମେଟିଭ୍‌ ଆସେସ୍‌ମେଣ୍ଟ୍‌ (ଏସ୍‌ଏ)-୧ ପରୀକ୍ଷା ଖାତା ଦେଖା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖୋଲିଥିବା ମୋଟ୍‌ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତାଦେଖା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି ।

ମାଟ୍ରିକ ପରୀକ୍ଷା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବାବେଳେ ଖାତା ମୂଲ୍ୟାୟନ ପାଇଁ କିନ୍ତୁ ନୋଡାଲ୍‌ ସେଣ୍ଟରରୁ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଏବଂ ଓଏମ୍‌ଆର ଉତ୍ତର ସିଟ୍‌ ସଂଗ୍ରହ ଆରମ୍ଭ ହୋଇଛି । ବୋର୍ଡର କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ରବିବାରଠୁ ରାଜ୍ୟର ୩୧୬ଟି ନୋଡାଲ୍‌ ସେଣ୍ଟରରେ ପହଞ୍ଚି ଖାତା ସଂଗ୍ରହ କରୁଛନ୍ତି । ଖାତାଦେଖାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପ୍ରତି କେନ୍ଦ୍ରରେ ବ୍ୟାପକ ସିସିଟିଭି କ୍ୟାମେରା ଲଗା ଯିବା ସହ ୨୪ ଘଣ୍ଟିଆ ପୁଲିସ୍‌ ମୁତୟନ କରାଯିବ ।

ସେହିପରି ଡ୍ୟୁଟିରେ ଥିବା କର୍ମଚାରୀ ଏବଂ ଶିକ୍ଷକଙ୍କୁ ଛାଡ଼ି ଦେଲେ ବାକି ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଅନ୍ୟପକ୍ଷରେ ଖାତା ସଂଗ୍ରହରେ ଯେପରି କୌଣସି ଅନିୟମିତତା ନହୁଏ ସେଥିପାଇଁ ସେହି ସମୟରେ ନୋଡାଲ୍‌ ସେଣ୍ଟର ଦାୟିତ୍ୱରେ ଅଧୀକ୍ଷକଙ୍କ ସହ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ରହିବେ । ଏଯାବତ୍‌ ପରୀକ୍ଷା ଶେଷ ହୋଇସାରିଥିବା ବିଷୟଗୁଡ଼ିକର ଉତ୍ତର ଖାତା ମୂଲ୍ୟାୟନ କେନ୍ଦ୍ରକୁ ସିଧାସଳଖ ଯିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଅବଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ଥିବା ଓଏମ୍‌ଆର ସିଟ୍‌ଗୁଡ଼ିକୁ ବୋର୍ଡ କାର୍ଯ୍ୟାଳୟକୁ ଅଣାଯିବାର ବ୍ୟବସ୍ଥା ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ୩ ହଜାର ୨୯ଟି ସେଣ୍ଟରରେ ମାଟ୍ରିକ ଏସ୍‌ଏ-୧ ପରୀକ୍ଷା ଦେଉଛନ୍ତି । ମାଟ୍ରିକ ସହ ଏକାସମୟରେ ଆରମ୍ଭ ହୋଇଥିବା ମଧ୍ୟମା ଓ ଷ୍ଟେଟ୍‌ ଓପନ ସ୍କୁଲ୍‌ ପରୀକ୍ଷା(ଏସ୍‌ଓଏସସି) ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ମଧ୍ୟ ନୋଡାଲ୍‌ ସେଣ୍ଟରରୁ ସଂଗ୍ରହ କରାଯାଇ ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଉଛି ।