ସେମିକଣ୍ଡକ୍ଟର ସମସ୍ୟା ଦେଇ ଗତି କରୁଛି ମାରୁତି, କମ୍ପାନୀ ପାଖରେ ୩ ଲକ୍ଷ ଗାଡିର ବୁକିଂ ପେଣ୍ଡିଂ

ନୂଆଦିଲ୍ଲୀ ୮/୩: ଦେଶର ସବୁଠାରୁ ବଡ ଅଟୋମୋବାଇଲ ମାନୁଫ୍ୟାକ୍ଚରିଂ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆର କହିବାନୁସାରେ ସେମିକଣ୍ଡକ୍ଟର ସମସ୍ୟା ଏବେ ମଧ୍ୟ ଲାଗି ରହିଛି । ଏବଂ ଏହି ସମସ୍ୟା ଆଗାମୀ କିଛି ମାସ ପର୍ଯ୍ୟନ୍ତ ଲାଗି ରହିପାରେ । ମାରୁତି ସୁଜୁକି କହିଛି କି ସେମିକଣ୍ଡକ୍ଟରର ସମସ୍ୟା ଯୋଗୁଁ କମ୍ପାନୀ କିଛି ଖାସ୍ ମଡେଲର ଡେଲିଭରୀ କରିପାରୁନି । ମାରୁତି ସୁଜୁକି ଇଣ୍ଡିଆର ସିନିୟର ଏଗଜିକ୍ୟୁଟିଭ୍ ଅଫିସର(ସେଲ୍ସ ଏଣ୍ଡ ମାର୍କେଟିଂ) ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି କି ସେମିକଣ୍ଡକ୍ଟରର ଡେଲିଭରୀ ଏବେ ମଧ୍ୟ ଏକ ବଡ ସମସ୍ୟା । ସେ କହିଛନ୍ତି କି ଗତ କିଛି ମାସରେ ସେମିକଣ୍ଡକ୍ଟର ଯୋଗୁଁ ୪୬,୦୦୦ ଗାଡିର କ୍ଷତି ଉଠାଇବାକୁ ପଡିଥିଲା । ଏହି ତ୍ରୈମାସିକରେ ମଧ୍ୟ କିଛି ମଡେଲ ପାଇଁ ସମସ୍ୟା ରହିଛି ।
ମାରୁତି ସୁଜୁକି ପାଖରେ ୩.୬୯ ଲକ୍ଷ ଗାଡିର ବୁକିଂ ପେଣ୍ଡିଂ ରହିଛି । କେବଳ ଏର୍ଟିଗା ମଡେଲର ହିଁ ୯୪,୦୦୦ ୟୁନିଟ୍ସ ବୁକିଂ ରହିଛି । ଏହା ବ୍ୟତୀତ ଗ୍ରାଣ୍ଡ୍ ଭିଟାରା ଏବଂ ବ୍ରିଜା ଭଳି ଲୋକପ୍ରିୟ ମଡେଲର ମଧ୍ୟ ଯଥାକ୍ରମେ ୩୭,୦୦୦ ଏବଂ ୬୧,୫୦୦୦ ରୁ ଅଧିକ ବୁକିଂ ରହିଛି । ଆଜିର ସମୟରେ ଗାଡିରେ ସେମିକଣ୍ଡକ୍ଟରର ବ୍ୟବହାର ବଢିଯାଇଛି । ତେଣୁ ଚିପ୍ ଅଭାବ ଫଳରେ ଉପଲବ୍ଧତାରେ ସମସ୍ୟା ନଜର ଆସିବା ସହ ଡେଲିଭରୀ ମଧ୍ୟ ହୋଇପାରୁନି । ଗତ ୩ ବର୍ଷରୁ ସେମିକଣ୍ଡକ୍ଟରର ଉପଲବ୍ଧତା ଅଟୋମୋବାଇଲ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ ସମସ୍ୟା ସାଜିଛି ।
MSIକୁ ସେମିକଣ୍ଡକ୍ଟର ନମିଳିବା ଯୋଗୁଁ ସମସ୍ୟା ଆଗକୁ ବଢିବା ଆଶଙ୍କା ଦେଖାଦେଉଛି । ଶ୍ରୀବାସ୍ତବ କହିଛନ୍ତି କି ଏହା ଅନୁମାନ କରିବା କଷ୍ଟ ଯେ ଏହି ସମସ୍ୟାର କେବେ ସମାଧାନ ଆସିବ । ତେବେ ସୂଚନା ଅନୁସାରେ ବର୍ତ୍ତମାନ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପାସେଞ୍ଜର ଭେଇକଲର ବିକ୍ରି ଆକଳନ ୩୮.୮ ଲକ୍ଷ ୟୁନିଟ୍ସ ପର୍ଯ୍ୟନ୍ତ ପହଞ୍ଚି ପାରିବ ଯାହା ଏପର୍ଯ୍ୟନ୍ତର ରେକର୍ଡ ବିକ୍ରି ହେବ । ଗତ ଆର୍ଥିକ ବର୍ଷରେ ୩୦.୭ ଲକ୍ଷ ଯାତ୍ରୀ ଗାଡିର ବିକ୍ରି ହୋଇଥିଲା ।