ନାଇଜେରିଆରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୨୬/ ୦୧: ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ଏବଂ ବେନ୍ୟୁ ମଧ୍ୟରେ ବୋମା ବିସ୍ଫୋରଣ ଘଟିଛି । ବୋମା ବିସ୍ଫୋରଣରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଗୋପାଳକ ଥିବା ଜଣାପଡିଛି । ଅତର୍କିତ ଭାବେ ଆକ୍ରମଣ କରାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଥିରେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତିରେ ବୋମା ବିସ୍ଫୋରଣ ହୋଇଥିବା ବେଳେ ଏ ନେଇ ସରକାରୀ ତଥ୍ୟ ବୁଧବାର ପ୍ରକାଶ ପାଇଛି ।
ମିଳିଥିବା ସୂଚନା ଅନୁସାରେ, କିଛି ଗୋପାଳକ ଗୋରୁ ଗୁଡିକୁ ନେଇ ନସାରାଓ୍ବାରୁ ବେନ୍ୟୁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ସ୍ଥାନୀୟ ପ୍ରଶାସନ । ଏତିକି ବେଳେ ହଠାତ୍ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସେଠାରେ ବେଶ୍ କିଛି ମିନିଟ ଧରି କିଛିବି ଦୃଶ୍ୟମାନ ହୋଇନଥିଲା । ବିସ୍ଫୋରଣରେ ମୋଟ ୫୦ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତରଙ୍କ ସଂଖ୍ୟା ନେଇ କୌଣସି ରିପୋର୍ଟ ଆସିନାହିଁ ।
ଘଟଣାକୁ ନେଇ ନସାରାଓ୍ବା ରାଜ୍ୟପାଳ ପ୍ରତିକ୍ରିୟା ଦେବା ସହିତ କହିଛନ୍ତି ଯେ, ମୃତ୍ୟୁସଂଖ୍ୟା ପ୍ରକୃତରେ କେତେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ତେବେ ବୋମା ବିସ୍ଫୋରଣ ହୋଇଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟପାଳ । ଆକ୍ରମଣ ପଛରେ କେଉଁମାନଙ୍କର ହାତ ଅଛି ସେ ନେଇ ଜଣାପଡି ନାହିଁ । ସୁରକ୍ଷା ଏଜେନ୍ସି ସହ ଆଲୋଚନା ଜାରି ରହିଛି । ଖୁବଶୀଘ୍ର ଆକ୍ରମଣକାରୀଙ୍କୁ ଖୋଜି ବାହାର କରାଯିବ ।
ପଢନ୍ତୁ: ଦିନିକିଆ କ୍ରିକେଟ୍ରେ ନୂଆ ବୋଲିଂ ବାଦଶାହ, ICC ରାଙ୍କିଂ ଶୀର୍ଷରେ ମହମ୍ମଦ ସିରାଜ