ବାଲିଅନ୍ତା, ୨୦।୩: ମାଫିଆ ଆଖି ପକାଇଛି ଶ୍ରୀଜଗନ୍ନାଥଙ୍କ ଜମି ଉପରେ । ୩୫ ଏକର ଦେବ ସମ୍ପତ୍ତିକୁ ହଡ଼ପ କରିନେବ ମାଫିଆ । ଆଉ ମାଫିଆଙ୍କୁ ସହଯୋଗ କରୁଛନ୍ତି ବାଲିଅନ୍ତା ତହସିଲ କାର୍ଯ୍ୟାଳୟର କିଛି ଲାଞ୍ଚୁଆ କର୍ମଚାରୀ, ଅଫିସର । ଏହି କର୍ମଚାରୀମାନଙ୍କ ଏତାଦୃଶ କାର୍ଯ୍ୟନେଇ ଖୋଲା ଆଲୋଚନା ହେଉଛି । ତଥାକଥିତ ଏଭଳି କର୍ମଚାରୀ ଏବଂ ଅଫିସରଙ୍କୁ ଖୋଜି ବାହାର କରି ଜିଲ୍ଲା ପ୍ରଶାସନ ତୁରନ୍ତ ବଦଳି କରିବାକୁ ବିଭିନ୍ନ ମହଲରେ ଦାବି ଉଠିଲାଣି । ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ନାମରେ ଥିବା ଉକ୍ତ ଚାଷଜମିକୁ କିଣିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଛି ।
ଏହା ବି ପଢ଼ନ୍ତୁ... ମଉସାଙ୍କ ହାତ ରନ୍ଧା ପଖାଳ ପାଇଁ ଲୋକଙ୍କ ଭିଡ଼, ମହଙ୍ଗା ମାଡ଼ରେ ଅଳ୍ପ ଟଙ୍କାରେ ପରଶୁଛନ୍ତି ପେଟପୁରା ପଖାଳ କଂସା !
ନିୟମ ଅନୁଯାୟୀ, ଦେବୋତ୍ତର କିମ୍ବା ଶ୍ରୀଜଗନ୍ନାଥଙ୍କ ଜମି ସମ୍ପର୍କିତ କୌଣସି କାରବାର ପୂର୍ବରୁ ସମ୍ପୃକ୍ତ ପଞ୍ଚାୟତ ଓ ମୌଜାକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯିବା କଥା । କିନ୍ତୁ ଆବେଦନକୁ ୧୫ ଦିନରୁ ଅଧିକ ସମୟ ବିତିଯାଇଛି । ତା’ସତ୍ତେ୍ୱ ତହସିଲ କାର୍ଯ୍ୟାଳୟ କୌଣସି ସୂଚନା ଦେଇନାହିଁ କିମ୍ବା ପଦକ୍ଷେପ ଗ୍ରହଣ କରିନାହିଁ । ତହସିଲ କାର୍ଯ୍ୟାଳୟର ଏଭଳି ନିରବତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ଜମି କାରବାର ପଛରେ ମୋଟାଅଙ୍କର ଅର୍ଥ କାରବାର ହୋଇଛି । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ମିଶି କିଛି ଅସାଧୁ କର୍ମଚାରୀ ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ଭାବେ ଉକ୍ତ ମୌଜା ଲୋକଙ୍କ ଅଜାଣତରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ ମସୁଧା ଚାଲିଛି । ତଦନ୍ତ ହେଲେ ଗୁମର ପଦାକୁ ଆସିବ ବୋଲି କୁହାଯାଉଛି । ପଞ୍ଚାୟତ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବାସିନ୍ଦା ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।