ଓଡ଼ିଆ ପ୍ରଶ୍ନପତ୍ର ଲିକ:୪ କେନ୍ଦ୍ର ଅଧୀକ୍ଷକ, ୪ ନିରୀକ୍ଷକ ସସ୍ପେଣ୍ଡ୍, ଜଣେ ପରୀକ୍ଷାର୍ଥୀ ବି ପରୀକ୍ଷାରୁ ବାସନ୍ଦ, ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟରୁ ଭାଇରାଲ୍ ହୋଇଥିଲା

କଟକ,୨୨ା୨(ବ୍ୟୁରୋ): ସକାଳ ସାଢ଼େ ୯ଟାରେ ଛାତ୍ରଛାତ୍ରୀମାନଙ୍କୁ ଧରାଇ ଦିଆଗଲା ଓଏମ୍ଆର୍ (ଅପ୍ଟିକାଲ୍ ମାର୍କ ରେକଗ୍ନିସନ୍) ସିଟ୍ ବା ଉତ୍ତରଫର୍ଦ୍ଦ । ୯ଟା ୪୫ରେ ଦିଆଗଲା ଉଭୟ ଅବ୍ଜେକ୍ଟିଭ୍ ଓ ସବ୍ଜେକ୍ଟିଭ୍ ପ୍ରଶ୍ନପତ୍ର । ପରୀକ୍ଷା ୧୦ଟାରେ ଆରମ୍ଭ ହୋଇ ସାଢେ ବାରଟାରେ ସରିବା କଥା । ପାଖାପାଖି ଦେଢ଼ ଘଣ୍ଟା ବିତିଥିବ କି ନାହିଁ । ‘ଭାଇରାଲ୍’ ହୋଇ ସୋସିଆଲ୍ ମିଡ଼ିଆରେ ଘୂରି ବୁଲିଲା ଫର୍ଦ୍ଦ ଫର୍ଦ୍ଦ ଅବ୍ଜେକ୍ଟିଭ୍ ପ୍ରଶ୍ନପତ୍ର ।
ଏମିତିକା ସାଂଘାତିକ ବିଭ୍ରାଟ ଆଜି ଘଟିଛି ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ । ପରୀକ୍ଷା ଚାଲିଥିବା ବେଳେ ମାତୃଭାଷା ଓଡ଼ିଆର ଅବ୍ଜେକ୍ଟିଭ୍ ପ୍ରଶ୍ନପତ୍ର ଫୋନ୍ରୁ ଫୋନ୍କୁ ଘୂରି ବୁଲୁଥିବା ଖବର ଫୁଟିଆରା ହେବା ପରେ, ଏକରକମ ଚାଞ୍ଚଲ୍ୟ ଖେଳିଯାଇଛି ସାରା ରାଜ୍ୟରେ । ପ୍ରଶ୍ନପତ୍ର ପ୍ରଘଟ ହୋଇଥିବାର ଆଶଙ୍କା ବି ଜଳଜଳ କରୁଛି ସବୁ ମହଲରେ । ଏହାଛଡ଼ା, ପରୀକ୍ଷା ପରିଚାଳନାରେ ସରକାର ଯେ କେତେ ବେପରବାୟ ଓ ବେଫିକର³ ପ୍ରଶ୍ନପତ୍ର ଲିକ୍କୁ ରୋକିବାରେ ସରକାରୀ କଳର ତମାମ୍ ବ୍ୟବସ୍ଥା ଯେ କେତେ ଅପାରଗ³ ତାହାର ପ୍ରମାଣ ମଧ୍ୟ ହାତାହାତି ମିଳିଯାଇଛି ।
ପ୍ରଥମରୁ କିନ୍ତୁ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସିଧାସଳଖ ଆଜି ଫାଙ୍କିଥିଲେ ‘ପ୍ରଶ୍ନ ଲିକ୍’ ଅଭିଯୋଗକୁ । ‘ଲିକ୍ ହୋଇନି, ଗୁଜବ ହୋଇଥିବ’ ବୋଲି କହିଥିଲେ । ପରେ କିନ୍ତୁ ପରୀକ୍ଷା ପରିଚାଳନାକାରୀ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ମାନିଥିଲେ ଯେ, ପରୀକ୍ଷା ସରିବା ପୂର୍ବରୁ ପ୍ରଶ୍ନପତ୍ର ବାହାରକୁ ଆସିଛି..ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ବୁଲିଛି । ଯାହା କେବେ ବି ହେବା କଥା ନୁହେଁ । ତେବେ ଏହା ଲିକ୍ ନୁହେଁ, ପରୀକ୍ଷା ଆରମ୍ଭ ହେବାର ବହୁ ସମୟ ପରେ କାହାର ବଦମାସି ଯୋଗୁଁ ପ୍ରଶ୍ନ ଭାଇରାଲ୍ ହୋଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ ସଫେଇ ବାଢ଼ିଥିଲେ ।
ତେବେ ଚାପ ବଢ଼ିବା ପରେ ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ବାଧ୍ୟ ହୋଇଥିଲେ ବୋର୍ଡ କର୍ତ୍ତୃପକ୍ଷ । ପରୀକ୍ଷା ଅଧାରେ ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ପରୀକ୍ଷା ଆଗରୁ କାହିଁକି ପ୍ରଘଟ ହୋଇନଥିବ ବୋଲି ଗଣମାଧ୍ୟମରୁ ପ୍ରଶ୍ନ ହେବା ପରେ ଆରମ୍ଭ ହୋଇଥିଲା ଖୋଳତାଡ଼ । ଅପରାହ୍ନରେ କାର୍ଯ୍ୟାନୁଷ୍ଠାନକୁ ଓହ୍ଲାଇଥିଲା ବୋର୍ଡ । ପ୍ରାଥମିକ ତଦନ୍ତରୁ ୩ଟି ଜିଲ୍ଲାରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା କଥା ଜଣାପଡ଼ିଥିଲା । ଯେଉଁ ତିନିଟି ଜିଲ୍ଲାରୁ ଭାଇରାଲ୍ ଅଭିଯୋଗ ମିଳିଥିଲା, ସେଠାକାର ସ୍ଥାନୀୟ ପୁଲିସ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଏନେଇ ବୋର୍ଡକୁ ଜଣାଇବା ପରେ ଅପରାହ୍ନରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା । ପ୍ରଥମେ ଢ଼େଙ୍କାନାଳ ଜିଲ୍ଲା ଚିରୁଲେଇ ବ୍ଲକ ସୁଦର୍ଶନ ବିଦ୍ୟାଭବନରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଓ ଏଥିରେ ଜଣେ ଛାତ୍ର ସଂମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଉକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ସଂପୂର୍ଣ୍ଣ ପରୀକ୍ଷାରୁ ବାଦ୍ ଦିଆଯାଇ ‘ବାସନ୍ଦ’ କରାଯାଇଛି । ସେ ଆଉ ପରୀକ୍ଷା ଦେଇପାରିବେ ନାହିଁ । ଏଥିସହିତ ଉକ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ (ସୁପରିନ୍ଟେଣ୍ଡେଣ୍ଟ୍) ଓ ନିରୀକ୍ଷକ (ଇନ୍ଭିଜିଲେଟର୍)ଙ୍କୁ ବି ସସ୍ପେଣ୍ଡ୍ କରାଯାଇଛି । ସେହିପରି କୋରାପୁଟ ବନ୍ଧଗାଁ ସରକାରୀ ହାଇସ୍କୁଲ, ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ କରଙ୍ଗମାଳ ହାଇସ୍କୁଲ ଓ ଗୋପୀନାଥ ହାଇସ୍କୁଲରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଜଣାପଡ଼ିବା ପରେ ଏହିସବୁ କେନ୍ଦ୍ରର ଅଧୀକ୍ଷକ ଓ ନିରୀକ୍ଷକଙ୍କୁ ବି ସସ୍ପେଣ୍ଡ୍ କରାଯାଇଛି । ଏମିତି ଭାବେ ମୋଟ ୮ ଜଣଙ୍କୁ ସସ୍ପେଣ୍ଡ୍ କରାଯିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବାକୁ ସରକାରଙ୍କୁ ବୋର୍ଡ ପକ୍ଷରୁ ସୁପାରିସ କରାଯାଇଛି । ସେମାନଙ୍କ ବିରୋଧରେ ଥାନାରେ ଏତଲା ଦାଏର କରିବାକୁ ସ୍ଥାନୀୟ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏତଲା ଆଧାରରେ ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବୋର୍ଡ ସଭାପତି ଡ. ଜାହାନ୍ ଆରା ବେଗମ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପ୍ରଶ୍ନପତ୍ର ଲିକ୍ ଘଟଣା ବାବଦରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା ନିଆଯିବା ବେଳେ ସେ ପ୍ରଥମେ ଏହାକୁ ଗୁଜବ ବୋଲି କହିଥିଲେ । କହିଥିଲେ, ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହାଛଡା ପୁଲିସ ହେପାଜତ୍ରେ ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରକୁ ଯାଇଛି । ସେଠାରେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯାଇଛି । ଏଭଳି ସ୍ଥିତିରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ମୁଁ ବିଶ୍ୱାସ କରିପାରୁନି । ହେଲେ ପରୀକ୍ଷା ଶେଷ ହେବା ପରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ସ୍ପଷ୍ଟ ଜଣାପଡ଼ିଯାଇଥିଲା । ବୋର୍ଡ କର୍ତ୍ତୃପକ୍ଷ ଅଗତ୍ୟା ମାନିଥିଲେ ଯେ ପରୀକ୍ଷା ପୂର୍ବରୁ ପ୍ରଶ୍ନ ଯଦିଓ ଲିକ୍ ହୋଇନି, ପରେ କିନ୍ତୁ କେନ୍ଦ୍ରରୁ ବାହାରକୁ ମୋବାଇଲ ଯୋଗେ ଭାଇରାଲ୍ ହୋଇ ପ୍ରଘଟ ହୋଇଛି । ନିଜ ଅସହାୟତା ପ୍ରକାଶ କରି କହିଥିଲେ, ପ୍ରତ୍ୟେକ ଶିକ୍ଷକ, ପରୀକ୍ଷାର୍ଥୀ ଯଦି ସଚେତନ ନହେବେ, ତେବେ ଭାଇରାଲ୍କୁ ରୋକାଯାଇ ପାରିବ ନାହିଁ ।
ତେବେ ଆଜିର ଏହି ସନ୍ଦିଗ୍ଧ ‘ପ୍ରଶ୍ନ ଲିକ୍’ ପରୀକ୍ଷା ଉପରେ କିଛି ପ୍ରଭାବ ପକାଇନାହିଁ କି ପକାଇବ ନାହିଁ ବୋଲି ବୋର୍ଡ ସଭାପତି ଡ. ବେଗମ୍ କହିଛନ୍ତି । ତାଙ୍କ କହିବାନୁସାରେ ତଦନ୍ତରୁ ଲିକ୍ ଜଣାପଡ଼ିନି । ଏଣୁ ଆଜିକାର ପରୀକ୍ଷା ବାତିଲ୍ ହେବାର ନାହିଁ । ଛାତ୍ରଛାତ୍ରୀମାନେ ଅଯଥା ବ୍ୟତିବ୍ୟସ୍ତ ନହେବାକୁ ସେ ପରାମର୍ଶ ଦେବା ସହ ସମସ୍ତ ପରୀକ୍ଷା ଶାନ୍ତିଶୃଙ୍ଖଳାରେ ସରିବ ବୋଲି ଦୃଢୋକ୍ତିି ବାଢିଛନ୍ତି । ଆଗାମୀ ପରୀକ୍ଷାଗୁଡ଼ିକରେ ଯେମିତି ପ୍ରଶ୍ନପତ୍ର ଭାଇରାଲ୍ ହୋଇ ହଲ୍ ବାହାରକୁ ନଯିବ ସେଥିପ୍ରତି ଧ୍ୟାନ ଦିଆଯିବ ଓ ମୋବାଇଲ୍ କଟକଣାକୁ ଆହୁରି କଡା କରାଯିବ ବୋଲି ସେ କହିଛନ୍ତି ।
ମାଟ୍ରିକ୍ ପରୀକ୍ଷା ସହ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ମଧ୍ୟ ଆଜି ଆରମ୍ଭ ହୋଇଛି । ମୋଟ ୫ ଲକ୍ଷ ୮୭ ହଜାର ୭୨୦ ଜଣ ଛାତ୍ରଛାତ୍ରୀ ଏବର୍ଷ ପରୀକ୍ଷା ଦେଉଛନ୍ତି । ମାଟ୍ରିକ୍ରେ ୨ ହଜାର ୮୩୦ଟି ପରୀକ୍ଷାକେନ୍ଦ୍ରରେ ୫ ଲକ୍ଷ ୭୨ ହଜାର ୬୯୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସଂସ୍କୃତ ମଧ୍ୟମାରେ ୪୪ଟି ପରୀକ୍ଷା କେନ୍ଦ୍ରରେ ୩ ହଜାର ୯ ଜଣ ପରୀକ୍ଷାର୍ଥୀ ଓ ରାଜ୍ୟ ମୁକ୍ତ ସ୍କୁଲ ସାର୍ଟିଫିକେଟ (ଏସ୍ଓଏସ୍ସି) ପରୀକ୍ଷାରେ ୧୨ ହଜାର ୧୨ ଜଣ ପରୀକ୍ଷାର୍ଥୀ ୭୯ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ଆଜି ପ୍ରଥମ ଦିନରେ ୬୦ ଜଣ ମାଟ୍ରିକ୍ ପରୀକ୍ଷାର୍ଥୀ କପି କରି ଧରାପଡ଼ିଥିବା ବେଳେ, ମଧ୍ୟମା ପରୀକ୍ଷାରେ ୩ ଜଣ ଓ ଏସ୍ଓଏସ୍ସିରେ ୧୫ ଜଣ, ଏହିପରି ମୋଟ ୭୮ ଜଣ ଛାତ୍ରଛାତ୍ରୀ କପି କରି ଧରାପଡ଼ିଛନ୍ତି । ଏଥର ପରୀକ୍ଷା ପାଇଁ ସମସ୍ତ ନୋଡାଲ ସେଣ୍ଟର ସମେତ ୧୦୦ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ପରୀକ୍ଷା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ବୋର୍ଡ କର୍ମଚାରୀ, ସ୍କ୍ୱାଡ୍ ଅଧିକାରୀ, ପରୀକ୍ଷା ସୁପରିନ୍ଟେଣ୍ଡେଣ୍ଟ, ଡାଟା ଅପରେଟର, ଚେକର୍ ଓ ମେକର୍ଙ୍କୁ ତାଲିମ ଦିଆଯାଇଛି । ପ୍ରଶ୍ନପତ୍ରକୁ ତ୍ରିସ୍ତରୀୟ ପ୍ୟାକିଂ କରାଯାଇଥିବା ବେଳେ ପରୀକ୍ଷା ହଲ ଭିତରକୁ ମୋବାଇଲ୍ ଫୋନ୍ ବାରଣ କରାଯାଇଥିଲା । ହେଲେ ସମସ୍ତ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ପ୍ରଶ୍ନପତ୍ର ଲିକ୍ ହୋଇଛି । ପୂର୍ବ ବର୍ଷ ମଧ୍ୟ ମାଟ୍ରିକ୍ ପରୀକ୍ଷାରେ ଓଡ଼ିଆ ଓ ଇଂରାଜୀ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ଘୂରି ବୁଲିଥିଲା । ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସେତେବେଳେ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦିଆଯାଇଥିଲା । ହେଲେ ତଦନ୍ତର ସୁଫଳ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସେହିଭଳି ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ଏବର୍ଷ ଲିକ୍ ହୋଇ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ବାରମ୍ବାର ଏଭଳି ପ୍ରଶ୍ନପତ୍ର ଲିକ୍ ବା ଭାଇରାଲ୍ ହେଉଥିବା ଯୋଗୁଁ ବୋର୍ଡର ପରୀକ୍ଷା ପରିଚାଳନା ଦକ୍ଷତାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି ।