ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ୍ ହାର ୯୦.୫୫ ପ୍ରତିଶତ

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ପାସ ହାର ୯୦.୫୫ ପ୍ରତିଶତ। କଟକ କାର୍ଯ୍ୟାଳୟରେ ଏନେଇ ଆନୁଷ୍ଠାନିକ ଭାବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଫଳାଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ୫ଲକ୍ଷ ୬୮ ହଜାର ୮୧୮ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଲକ୍ଷ ୧୭ ହଜାର ୮୭୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଗ୍ରେଡ୍ ଏ-୧ ରେ ୮୧୧୯ଜଣ, ଏ-୨ରେ ୫୪ ହଜାର ୮୮୯ ଜଣ, ବି-୧ରେ ୧ ଲକ୍ଷ ୨୦ ହଜାର ୩୧୨ ଜଣ, ବି-୨ରେ ୧ଲକ୍ଷ ୪୨ ହଜାର ୫୯୯ଜଣ ରହିଛନ୍ତି । ଚଳିତ ବର୍ଷ ୮୬୯୯ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି ।
ଏଥିରେ ଛାତ୍ରଙ୍କ ପାସ୍ ହାର ୮୮.୭୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୨.୩୭ ପ୍ରତିଶତ ରହିଛନ୍ତି । ତେବେ ୧୧୭୦ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ରାଜ୍ୟର ୩ଟି ସ୍କୁଲରେ ରେଜଲ୍ଟ ଶୂନ । ଅର୍ଥାତ କୌଣସି ଛୁଆ ପାସ କରିନାହାନ୍ତି। ସେଥିମଧ୍ୟରେ ମାଲକାନଗିରିର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲ ଥିବା କହିଛନ୍ତି ମନ୍ତ୍ରୀ। ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଟି ପିଲା ପଢୁଥିବା ବେଳେ ଅନୁଗୁଳର ଉକ୍ତ ସ୍କୁଲରେ ମଧ୍ୟ ୨ଜଣ ପିଲା ପଢୁଥିଲେ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ।
ଦିନ ୨ଟାରେ ପରୀକ୍ଷାଫଳ ବୋର୍ଡ ୱେବ୍ ସାଇଟ୍ www.bseodisha.ac.in ଓ www.bseodisha.nic.inରେ ଉପଲବ୍ଧ ହେବ। ଇଣ୍ଟରନେଟ୍ ସଂଯୋଗ ନ ଥିବା ଅଞ୍ଚଳରେ ଏସ୍ ଏମ୍ଏସ୍ ଜରିଆରେ ଫଳାଫଳ ଜାଣିହେବ। ପରୀକ୍ଷାର୍ଥୀମାନେ OR10<Roll No> ଲେଖି 5676750 ନମ୍ବରକୁ ମେସେଜ୍ କଲେ, ଏମଏମ୍ଏସ୍ ଜରିଆରେ ପରୀକ୍ଷାଫଳ ଜାଣିପାରିବେ ।