ଦୋହା, ୦୨/୧୨: ଚଳିତ ବର୍ଷ ଫର୍ମୁଲା ୱାନ୍ ସିଜନ ବେଶ୍ ରୋମାଞ୍ଚକର ରହିଛି । ୨୩ଟି ରେସ୍ ଶେଷ ହୋଇ ସାରିଥିଲେ ହେଁ ଏପର୍ଯ୍ୟନ୍ତ ଟାଇଟଲ ବିଜେତା ଚୂଡ଼ାନ୍ତ ହୋଇପାରି ନାହାନ୍ତି । ମ୍ୟାକଲରେନ ଡ୍ରାଇଭର ଲାଣ୍ଡୋ ନରିସ ସର୍ବାଧିକ ପଏଣ୍ଟ ଅର୍ଜନ କରିଥିଲେ ହେଁ ରେଡବୁଲ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ୍ ଅନ୍ୟତମ ଟାଇଟଲ ଦାବିଦର ରୂପେ ଉଭା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ମାତ୍ର ୧୨ ପଏଣ୍ଟର ବ୍ୟବଧାନ ରହିଛି । ଆଗକୁ ରହିଛି ମାତ୍ର ଗୋଟିଏ ରେସ୍ ଓ ସର୍ବାଧିକ ୨୫ ପଏଣ୍ଟ ।

ଭର୍ଷ୍ଟାପେନ କ୍ରମାନ୍ୱୟରେ ଲାସ ଭେଗାସ ଓ କତାର ଗ୍ରାଁପ୍ରି ଜିତିବା ଫଳରେ ପ୍ରମୁଖ ଟାଇଟଲ ଦାବିଦାର ରୂପେ ଉଭା ହୋଇଛନ୍ତି । ୨୧ଟି ରେସ ଶେଷ ସୁଦ୍ଧା ନରିସ୍ ଓ ତାଙ୍କ ସାଥୀ ଡ୍ରାଇଭର ଓସ୍କା ପିୟାଷ୍ଟ୍ରୀ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ବଜାୟ ରଖିଥିଲେ । କତାରରେ ଭର୍ଷ୍ଟାପେନ ଚାମ୍ପିଅନ ହୋଇଥିଲେ ଓ ନରିସ ଚତୁର୍ଥ ସ୍ଥାନ ଦଖଲ କରିଥିଲେ। ଭର୍ଷ୍ଟାପେନ ୧ଘଣ୍ଟା ୨୪ ମିନିଟ୍ ୩୮.୨୪୧ ସେକେଣ୍ଡରେ ରେସ ଶେଷ କରିଥିଲେ ।

ପିୟାଷ୍ଟ୍ରୀ ଅତିରିକ୍ତ ୭.୯୯୫ ସେକେଣ୍ଡରେ ରେସ୍ ଶେଷ କରି ଦ୍ୱିତୀୟ, ୱିଲିୟମ୍ସ ଡ୍ରାଇଭର କାର୍ଲୋସ ସେଞ୍ଜ +୨୨.୬୬୫ ସେକେଣ୍ଡ ଅଧିକ ସମୟ ନେଇ ରେସ ଶେଷ କରି ତୃତୀୟ ସ୍ଥାନରେ ରହିଥିଲେ । ଏହି ରେସରୁ ଭର୍ଷ୍ଟାପେନ୍ ୨୫ ପଏଣ୍ଟ ଅର୍ଜନ କରିଥିବାବେଳେ ପିୟାଷ୍ଟ୍ରୀ ୧୮, ସେଞ୍ଜ ୧୫ ଓ ନରିସ ୧୨ ପଏଣ୍ଟ ପାଇଥିଲେ । ୨୩ଟି ରେସ୍‌ରୁ ନରିସ ମୋଟ୍ ୪୦୮ ପଏଣ୍ଟ ଅର୍ଜନ କରିଥିବାବେଳେ ଭର୍ଷ୍ଟାପେନ୍ ୩୯୬, ପିୟାଷ୍ଟ୍ରୀ ୩୯୨ ଓ ମର୍ସିଡିସ୍ ଡ୍ରାଇଭର ଗ୍ରେଗ ରସେଲ ୩୦୯ ପଏଣ୍ଟ ପରବର୍ତ୍ତୀ ସ୍ଥାନରେ ରହିଛନ୍ତି ।