ନରେନ୍ଦ୍ର ମୋଦି ଯେତିକି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଛନ୍ତି ଏତିକି ଅର୍ଥରେ ପ୍ରତି ଗାଁରେ ସ୍କୁଲ ଓ ମେଡିକାଲ ଖୋଲା ଯାଇପାରିଥାନ୍ତା: ମାୟାବତୀ

ଲକ୍ଷ୍ନୌ ୧୬।୩: ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକଦଳ ସହିତ ମେଣ୍ଟ କରିବା ପରେ ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରେ କିଛି ଅଧିକ ହିଁ ସ୍ପଷ୍ଟବାଦୀ ହୋଇଯାଇଛନ୍ତି। ଟ୍ବିଟରରେ ଆକାଉଣ୍ଟରେ ଖୋଲିବା ପରେ ବୋଧେ କୈାଣସି ଦିନ ନାହିଁ ଯେ ମାୟାବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷି ନାହାନ୍ତି।
ମାୟାବତୀ ଆଜି ଜନତାଙ୍କୁ ମୋଦିଙ୍କଠାରୁ ସାବଧାନ ରହିବା ପାଇଁ ପରାମର୍ଶ ଦେବା ସହିତ ନକଲି ପ୍ରଚାର କରୁଛନ୍ତି ବୋଲି ମୋଦିଙ୍କ ଉପରେ ଦୋଷ ଲଦିଛନ୍ତି। ଏହା ସହିତ ମାୟାବତୀ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାପନ ବାବଦରେ ୩୦୪୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏତିକି ଅର୍ଥରେ ଉତ୍ତର ପ୍ରଦେଶ ଭଳି ପଛୁଆ ରାଜ୍ୟର ପ୍ରତି ଗ୍ରାମରେ ସ୍କୁଲ ଓ ମେଡିକାଲ ଖୋଲି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ ହୋଇ ପାରି ଥାଆନ୍ତା। କିନ୍ତୁ ବିଜେପି ଲାଗି ବିଜ୍ଞାପନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସର୍ବସାଧାରଣଙ୍କ କଲ୍ୟାଣ ଗୁରୁତ୍ୱପୂର୍ଣ୍ଣ ନୁହେଁ।
ତା’ ପର ଟୁଇଟ୍ରେ ସେ ଲେଖିଛନ୍ତି କି, ସେମାନଙ୍କ ସରକାରର ଅସଫଳତା ଘୋଡ଼ାଇବାକୁ ଓ ସେଥିରୁ ସର୍ବସାଧାରଣଙ୍କ ଧ୍ୟାନ ହଟାଇବାକୁ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି ଅତୀତ ବିଭିନ୍ନ ମାମଲାଗୁଡ଼ିକୁ ଉଜ୍ଜୀବିତ କରୁଛନ୍ତି। ଫଳରେ ଦାରିଦ୍ର୍ୟ ଓ ବେକାରୀ ଭଳି ସମସ୍ୟା ନିର୍ବାଚନର ଆଲୋଚ୍ୟ ପ୍ରସଙ୍ଗ ହୋଇ ପାରିବ ନାହିଁ। ଜନସାଧାରଣ ସତର୍କ ରହିବା ଉଚିତ।