“ପ୍ରମେୟ’ ସମ୍ପାଦକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମେୟର

ଦେଶର ଏକ ନମ୍ବର ସହର ହେବ ଭୁବନେଶ୍ୱର
ଭୁବନେଶ୍ୱର,୨୮/୧୧: ବିଏମ୍ସି ମେୟର ସୁଲୋଚନା ଦାସ ରବିବାର ସନ୍ଧ୍ୟାରେ ପ୍ରମେୟ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସମୟରେ ସହରର ସ୍ୱଚ୍ଛତା ଓ ପରିମଳ ପାଇଁ ବିଏମ୍ସି ନେଉଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ସେ ବିସ୍ତୃତ ସୂଚନା ଦେଇଛନ୍ତି ।
ବାଇକ୍ରେ ଅଳିଆ ସଂଗ୍ରହଠୁ ନେଇ ଅଳିଆ ଗାଡ଼ିରେ ଜିପିଏସ୍ ଲାଗିବା, ସଫା ଆପ୍ ଯୋଗେ ଅଭିଯୋଗ ଗ୍ରହଣ, ନୂଆ ଏମ୍ସିସି ନିର୍ମାଣ, ବାୟୋ ମାଇନିଂ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା, ଦିନକୁ ଦୁଇ ଥର ଅଳିଆ ସଂଗ୍ରହ ଭଳି ଏକାଧିକ ଦିଗ ଉପରେ ସେ ଆଲୋଚନା କରିଥିଲେ । ସଫେଇ ଗାଡ଼ି ଯୋଗେ ଓଦା, ଶୁଖିଲା ଅଳିଆ ଅଲଗା କରି ଦେବାକୁ ଲୋକଙ୍କୁ ବ୍ୟାପକ ସଚେତନ କରାଯାଉଛି । ସହରକୁ ସ୍ୱଚ୍ଛ ରଖିବାରେ ଲୋକଙ୍କ ସହଭାଗିତା ଜରୁରି । ଲୋକଙ୍କୁ ଆହୁରି ସଚେତନ କରାଇବାରେ ପ୍ରମେୟ ସକ୍ରିୟ ସହଯୋଗ କରିବାକୁ ସେ ସମ୍ପାଦକ ଶ୍ରୀ ମହାପାତ୍ରଙ୍କୁ ଅନୁରୋଧ କରିଥିଲେ । ଲୋକଙ୍କୁ ଜାଗ୍ରତ କରିବାରେ ଗଣମାଧ୍ୟମର ବଡ଼ ଭୂମିକା ଅଛି । ପ୍ରମେୟ ଏହି ଦାୟିତ୍ୱ ତୁଲାଇ ସହରର ବିକାଶରେ ଭାଗିଦାରୀ ହେବାକୁ ସେ ଅନୁରୋଧ କରିଛନ୍ତି । ବିଭିନ୍ନ ରାସ୍ତା ଓ ଡ୍ରେନ୍ ନିର୍ମାଣର ଅଗ୍ରଗତି ପାଇଁ ସବୁ ବିଭାଗର ଉତ୍ତରଦାୟିତ୍ୱ ରହିଛି । ସହରରେ ବିଏମ୍ସି ଅଧୀନରେ ଥିବା ରାସ୍ତା ଓ ଡ୍ରେନ୍ ଠାରୁ ପୂର୍ତ୍ତ ବିଭାଗ ଓ ଏନ୍ଏଚଆଇର ରାସ୍ତା ଓ ଡ୍ରେନ୍ ସଂଖ୍ୟା କିଛି କମ୍ ନୁହେଁ। ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ହିଁ ସହରାଞ୍ଚଳ ଭିତ୍ତିଭୂମି ବିକାଶ ଠିକ୍ ହେବ । ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ରକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରତି ମାସରେ ବୈଠକ ବସୁଛି । ହକି ବିଶ୍ୱକପ୍ ପାଇଁ ସହରକୁ ନୂଆ ରୂପ ଦେବାକୁ ସବୁ ବିଭାଗ ଲାଗି ପଡ଼ିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ସବୁଠୁ ବଡ଼ କଥା, ବିଏମ୍ସି ଏବେ ଲୋକଙ୍କ ପାଖକୁ ଯାଉଛି । ପ୍ରତି ୱାର୍ଡରେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ନିୟମିତ ବୈଠକ କରୁଛି । ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ଏହାକୁ କିଭଳି ସମାଧାନ କରାଯିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ସହରକୁ ସଫା ରଖିବାକୁ ସ୍ୱତନ୍ତ୍ର ସଫେଇ ଅଭିଯାନ କରାଯାଉଛି । ଏଥିରେ ସବୁ ୱାର୍ଡର କର୍ପୋରେଟର୍ ସାମିଲ ହେଉଛନ୍ତି । ଅଫିସର ଓ କର୍ପୋରେଟର୍ମାନେ ମିଶି ଗୋଟିଏ ଟିମ୍ ହୋଇ କାମ କରୁଛନ୍ତି । ସହରରେ ଆହୁରି ଅଧିକ ଏମ୍ସିସି ତିଆରି କରାଯାଉଛି । ଆଗକୁ ରାଜଧାନୀରୁ ବାହାରୁ ଥିବା ଅଳିଆ ଯେଭଳି ଏମ୍ସିସିରେ ଟ୍ରିଟମେଣ୍ଟ ହେବ ଏବଂ ଦାରୁଠେଙ୍ଗ ଡମ୍ପିଂୟାର୍ଡ ଯିବନାହିଁ, ସେଥିପାଇଁ ଆମେ ପ୍ରସ୍ତୁତ ହେଉଛୁ । ନିକଟରେ ପଳାଶୁଣି ପାଖରେ ଏକ ମେଗା ଏମ୍ସିସି ତିଆରି ପାଇଁ ଆମକୁ ୫୦ ଏକର ଜାଗା ମିଳିଛି । ଖୁବ୍ଶୀଘ୍ର ରାଜଧାନୀ ସବୁ କ୍ଷେତ୍ରରେ ଏକ ନମ୍ବର ସହର ହେବ ବୋଲି ସେ ଦୃଢ଼କ୍ତି କରିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ ପ୍ରମେୟର ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ପ୍ରମେୟ ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର୍, ପ୍ରସାର ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ ଓ ଭୁବନେଶ୍ୱର ରିପୋର୍ଟରମାନେ ଉପସ୍ଥିତ ଥିଲେ ।